କନକ ବ୍ୟୁରୋ: ଲୋକସଭାରେ ଯେଉଁ ସ୍ଥିତି,ରାଜ୍ୟ ସଭାରେ ବି ସେହି ସ୍ଥିତି । ଅର୍ଥାତ୍ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ରାଜ୍ୟସଭାରେ । ଏହି ଆଲୋଚନା ଭାଗ ନେଇ ନିଜର ବକ୍ତବ୍ୟ ରଖୁଥିଲେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ । ଏହି ସମୟରେ ହଠାତ୍ ବିଜେପି ସାଂସଦ ଛିଡ଼ା ହୋଇ କିଛି କହିବାରୁ ରାଗିଯାଇଥିଲେ ଖଡଗେ । କହିଥିଲେ, ତୁମ ବାପା ମୋ ସହ କାମ କରୁଥିଲେ । ତୁମେ ମତେ କଣ କହିବ । ଚୁପ୍ ହୋଇ ନିଜ ଜାଗାରେ ବସ । ଖଡଗେ ରାଗିଯାଇ ଏମିତି କହିବା ପରେ ପୁରା ରାଜ୍ୟସଭା କିଛି ମୁହୂର୍ତ୍ତ ଲାଗି ନୀରବ ହୋଇଥିଲା । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଛି ।
ହଠାତ୍ ରାଗିଗଲେ ଖଡଗେ
ଶାସକ ଦଳ ସାଂସଦଙ୍କୁ ଚୁପ୍ ହୋଇ ବସିବାକୁ ନିର୍ଦ୍ଦେଶ ଦେଲେ
ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେଉଥିଲା । ରାଜ୍ୟସଭାର ବିରୋଧୀ ଦଳ ନେତା ଖଡଗେ ବି ନିଜ ପ୍ରତିକ୍ରିୟା ରଖୁଥିଲେ । ହେଲେ ତାଙ୍କ କଥା ମଝିରେ ବିଜେପି ସାଂସଦ ନୀରଜ ଶେଖର କିଛି କହିଥିଲେ । ଯାହା ଲାଗି ମଲ୍ଲିକାର୍ଜୁନ ରାଗିଯାଇଥିଲେ । କହିଥିଲେ, ଡଲାର ତୁଳନାରେ ଯେବେ ଟଙ୍କା ଦୁର୍ବଳ ହେଉଥିଲା ସେବେ ମୋଦି କହିଥିଲେ ଟଙ୍କା ମେଡ଼ିକାଲରେ ଅଛି…ବାସ୍ ଏହାପରେ ଆରମ୍ଭ ହୋଇଯାଇଥିଲା ଶାସକ ବିରୋଧୀ ତୁ ତୁ ମେଁ ମେଁ । ସ୍ଥିତି ଅଣାୟତ୍ତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି କହିଥିଲେ ମୁଁ ହସ୍ତକ୍ଷେପ କରୁଛି । ଦୟାକରି ଆପଣ ନୀରବତା ରକ୍ଷା କରନ୍ତୁ । ଏହାସହ ଖଡେଗଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷ କହିଥିଲେ, ଆମେ କାହାକୁ ସଦନରେ ଅପମାନ କରିବା ନାହିଁ । କାହାକୁ ବାଧିବା ପରି କଥା ହେବା ନାହିଁ । ତେଣୁ ଏ ବକ୍ତବ୍ୟକୁ ଗୃହର ପ୍ରୋସିଡିଂରୁ ବାହର କରିଦିଆଯାଉ ।
କାହିଁକି ଏମିତି କହିଲେ ଖଡଗେ
ଅଧ୍ୟକ୍ଷଙ୍କୁ ସରଳରେ ବୁଝାଇଲେ
ରାଜ୍ୟସଭାରେ ବିରୋଧୀ ଦଳ ନେତା ରାଗିଯିବା ପରେ ଅଧ୍ୟକ୍ଷ ହସ୍ତକ୍ଷେପ କରିଥିଲେ । ପରେ ପରେ ଖଡଗେ କହିଥିଲେ, ମୁଁ ଯେବେ ନୀରଜ ବାବୁଙ୍କ ସହ କଥା ହୁଏ ଅତି ବ୍ୟକ୍ତିଗତ ଭାବରେ କଥାହୁଏ । ଆମର ସମ୍ପର୍କ ପାରିବାରିକ । ତାଙ୍କ ବାପା ମୁଁ ସାଥୀ ହୋଇ ଅନେକ ଦିନ ପର୍ଯ୍ୟନ୍ତ କାମ କରିଛୁ । ତେଣୁ ମୁଁ ଏମିତି କହିଲି । ଏଥିରେ ରାଗିବାର କୌଣସି ଆବଶ୍ୟକତା ନାହିଁ । ଆମେ କୃତଜ୍ଞ କି ତାଙ୍କ ବାପା ଆମ ସହ କାମ କରିଛନ୍ତି । କାହାକୁ ଅସମ୍ମାନ କରିବା ମୋର ଆଦୌ ଉଦ୍ଦେଶ୍ୟ ନୁହେଁ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ନୀରଜ ଶେଖରଙ୍କ ବାପା ପୂର୍ବତନ ସାଂସଦ ଥିଲେ । ଅନେକ କାମ ବି ସେ କରିଛନ୍ତି । ତେଣୁ ତାଙ୍କୁ ନେଇ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ଆମେ ଚିନ୍ତା କରିବା ଦରକାର ବୋଲି ରାଜ୍ୟସଭା ଅଧ୍ୟକ୍ଷ କହିଥିଲେ । ସେପଟେ ଖଡଗେ କହିଥିଲେ, ମୋଦି କହିଥିଲେ ନେପାଳ, ପାକିସ୍ତାନ , ଶ୍ରୀଲଙ୍କା ଓ ବାଂଲାଦେଶର ଟଙ୍କା ଡଲାର ତୁଳନାରେ ହ୍ରାସ ହେଉନି ହେଲେ ଲଗାତାର ଭାରତର ଟଙ୍କା ହ୍ରାସ ହେବାରେ ଲାଗିଛି । କିନ୍ତୁ ସେତେବେଳେ ଟଙ୍କା ମେଡ଼ିକାଲ ଆଇସିୟୁରେ ଥିଲା କିନ୍ତୁ ଏବେ ଭେଣ୍ଟିଲେଟରରେ ଅଛି । କେନ୍ଦ୍ର ସରକାର କେବଳ ବାହାସ୍ପୋଟ ମାରୁଛନ୍ତି ହେଲେ ବିକାଶ କେମିତି ହେଉଛି ସମସ୍ତେ ଜାଣନ୍ତି । ଇଏ ତ ଗଲା ରାଜ୍ୟସଭାର କଥା । ସେପଟେ ଗତକାଲି ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ ।
ନଜର ପକାନ୍ତୁ କଣ କହିଥିଲେ ମୋଦି…
ମୋଦିଙ୍କ ଟାର୍ଗେଟ୍ରେ କେଜ୍ରିୱାଲ-ରାହୁଲ
ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଧୋଇଲେ
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଗତକାଲି ଲୋକସଭାରେ ପ୍ରବଳ ବର୍ଷିଥିଲେ ମୋଦି । ସଂସଦରେ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେଉଥିଲା । ତେଣୁ ଦେଶବାସୀଙ୍କ ନଜର ମୋଦିଙ୍କ ଅଭିଭାଷଣ ଉପରେ ରହିଥିଲା । ମୋଦି ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ , କିଛି ଦଳ ଭୋଟ ପୂର୍ବରୁ ଯାହା କହିଛନ୍ତି କିଛି କରିନାହାନ୍ତି । ସେଇଥି ଲାଗି ଜନତା ତାଙ୍କ କଥାକୁ ବିଶ୍ୱାସ କରୁନାହାନ୍ତି । ଦୁର୍ନୀତି କଲେ ଏହାକୁ କେହି ବରଦାସ୍ତ କରିବେ ନାହିଁ ମୋଦି କହିବା ସହିତ ଯୁବବର୍ଗଙ୍କ ଜୀବନ ସହ କିଛି ଦଳ ଖେଳ ଖେଳୁଛନ୍ତି ବୋଲି କହିଛନ୍ତି ।
ବିଜେପି କେମିତି କାମ କରେ, ହରିୟାଣା ନିର୍ବାଚନରେ ପୁରା ଦେଶ ଦେଖିଲା । ଆମେ ଯାହା କହୁ ତାହା କାମରେ କରୁ । ଯୁବବର୍ଗଙ୍କୁ ଚାକିରି ଦେବା ଲାଗି ଆମେ ପ୍ରତିଶ୍ରୁତି ଦେଇଥିଲୁ ଏବଂ କାର୍ଯ୍ୟକାରୀ ବି କରିଛୁ । ସେଇଥି ଲାଗି ହରିୟାଣାରେ ଆମେ ତୃତୀୟଥର କ୍ଷମତାକୁ ଆସିଛୁ । ମହାରାଷ୍ଟ୍ରରେ ବି ସର୍ବାଧିକ ସିଟ୍ ଆମେ ପାଇଛୁ । ଏହା କେବଳ ଜନସାଧାରଣଙ୍କ ଲାଗି ସମ୍ଭବ ହୋଇପାରିଛି । ସେପଟେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ମୋଦି କହିଥିଲେ, ଆମେ ସାଧାରଣ ଲୋକଙ୍କ ଟଙ୍କାରେ ଶିଶୁମହଲ କରିନୁ । ମୁଖ୍ୟମନ୍ତ୍ରୀଙ୍କ କାମ ଲୋକଙ୍କ ଲାଗି କାମ କରିବା । ହେଲେ ଜଣେ ମୁଖ୍ୟମନ୍ତ୍ରୀ ନିଜ ପାଇଁ କାମ କରିବା ପରିବର୍ତ୍ତେ ନିଜ ଲାଦି ଆଲିସାନ ଘର କଲେ । ଆମେ ଯେବେ ୨୦୧୪ରେ ସରକାର କଲୁ ସେବେ ବିରୋଧୀ ଦଳ ମାନ୍ୟତା କୌଣସି ଦଳ ପାଇନଥିଲେ । ଆମେ ମନଇଚ୍ଛା କାମ କରିନଥିଲୁ ବରଂ ଲୋକସଭାରେ ବିରୋଧୀ ଆସନରେ ବସିଥିବା ଦଳଙ୍କ ମଧ୍ୟରେ ଯାହାର ଅଧିକ ଆସନ ଥିଲା ତାଙ୍କୁ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିମନ୍ତ୍ରଣ କଲୁ ।
ସମ୍ବିଧାନର ପାଠ ପଢାଇଲେ ମୋଦି
ବିଜେପି ସମ୍ବିଧାନକୁ ବିଶ୍ୱାସ କରେ, ସମ୍ବିଧାନର ବିଚାରଧାରାରେ କାମ କରେ । କିଛି ଲୋକ ସମ୍ବିଧାନକୁ ନିଜ ଘର ଭିତରେ ରଖିଥିଲେ ହେଲେ ଆମେ ସେମିତି କରିନୁ । ଆମେ ପିଏମ ମ୍ୟୁଜିୟମ୍ ନିର୍ମାଣ କରିଛୁ । ବିରୋଧୀମାନେ ସମସ୍ତେ ସେଠାକୁ ଯାଆନ୍ତୁ ଯଦି ସେଠାରେ କିଛି ତ୍ରୁଟି ରହିଛି ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । ଆମେ ପ୍ରତିଶ୍ରୁତି ଦେଉଛୁ, ଆମେ ନିଶ୍ଚିତ ସେଦିଗରେ କାମ କରିବୁ । କ୍ଷମତାରେ ରହିବା ପରେ ଯେଉଁମାନେ ନିୟମକାନୁନ ମାନୁନାହାନ୍ତି ସେମାନେ ଗଣତନ୍ତ୍ରର ହତ୍ୟା କରନ୍ତି । ଦେଶକୁ ଏକାଠି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ସେଇଥି ଲାଗି ତ ସର୍ଦ୍ଦାର ବଲ୍ଲିଭଭାଇ ପଟେଲ୍ଙ୍କ ସର୍ବୋଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରିଛୁ । କିନ୍ତୁ ଦେଶର ଦୁର୍ଭାଗ୍ୟ କିଛି ନେତା ସହରାଞ୍ଚଳ ନକ୍ସଲଙ୍କ ପରି କଥା ହେଉଛନ୍ତି ।
ଯୋଜନାକୁ ନେଇ ବଡ଼ ଟିପ୍ପଣୀ କଲେ
ନିଜ ଅଭିଭାଷଣରେ ମୋଦି କହିଥିଲେ, ଆୟୁଷ୍ମାନ ଯୋଜନାରେ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଜନୌଷଧି କେନ୍ଦ୍ର ଜରିଆରେ ୮୦ ପ୍ରତିଶତ ରିହାତି ମିଳୁଛି । WHO ରିପୋର୍ଟ ଅନୁସାରେ ନଳ ଯୋଗେ ଘରକୁ ଜଳ ଗଲେ ପରିବାର ପିଛା ୪୦ ହଜାର ଟଙ୍କା କମ୍ ଖର୍ଚ୍ଚ ହେବ । ସେପଟେ ଆୟକର କମ୍ କରି ମଧ୍ୟବିତ୍ତଙ୍କ ଚାପ ହ୍ରାସ କରିଛୁ । ପୂର୍ବରୁ ପଞ୍ଚାୟତରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଗୋଟିଏ ଦଳର ଶାସନ ଥିଲା । ୧ ଟଙ୍କା ରିଲିଜ ହେଲେ ୧୫ ପଇସା ଲୋକଙ୍କ ପାଖରେ ପହଞ୍ଚୁଥିଲା କିନ୍ତୁ ଆମ ସରକାର ଡିବିଟି ଜରିଆରେ ଅର୍ଥ ପହଞ୍ଚାଇଲା । ଆମ ସରକାର ଏଯାବତ ୪୦ ଲକ୍ଷ କୋଟି ଡିବିଟିରେ ପହଞ୍ଚାଇଛନ୍ତି । ଲୋକଙ୍କ ପଇସା ଆମେ ଲୋକଙ୍କ ପାଖରେ ପହଞ୍ଚାଇଛୁ । ଆଗାମୀ ଦିନରେ ବି ପହଞ୍ଚାଇବୁ । ଏହାସହ ୧୦ ଲକ୍ଷ ଫର୍ଜି ଲୋକଙ୍କୁ ସୁବିଧାରୁ ବଞ୍ଚିତ କରିଛୁ । ରାଜକୋଷରୁ ଏବାବଦରେ ଯାଉଥିବା ୩ ଲକ୍ଷ କୋଟି ବଞ୍ଚିଯାଇଛି । ରାଜନୈତିକ ଲାଭ କ୍ଷତିକୁ ମୋ ସରକାର ଗୁରୁତ୍ବ ଦେଇ ନାହିଁ, ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇଛୁ । ସେଇଥି ଲାଗି ତ ଲଗାତାର ଗତ ୧୦ ବର୍ଷ ହେଲା ଦେଶବାସୀ ସେବା କରିବାର ସୁଯୋଗ ଦେଇଛନ୍ତି । ଏହା ଭିତରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି । ପୂର୍ବରୁ ‘ଗରିବୀ ହଟାଓ’ କେବଳ ନାରାରେ ସୀମିତ ଥିଲା, ହେଲେ ଏବେ ନାରା ନୁହେଁ ବରଂ କାମରେ ବିଶ୍ୱାସ କରିଛୁ । ପୂର୍ବଭାରତର ବିକାଶ ଲାଗି ଆମେ ସ୍ୱତନ୍ତ୍ର ମନ୍ତ୍ରଣାଳୟ କରିଛୁ । ଚାଷୀଙ୍କ ଲାଗି ଯୋଜନା କରିଛୁ ।
କେନ୍ଦ୍ର ଫୋକସରେ ସ୍ବାସ୍ଥ୍ଯସେବା
ସ୍ୱାସ୍ଥ୍ୟ ସେବାକୁ ନେଇ ମୋଦୀ କହିଛନ୍ତି, ଆମ ସରକାର ପୂର୍ବରୁ ମେଡିକାଲ କଲେଜ ଓ ସ୍ୱାସ୍ଥ୍ୟସେବା କେମିତି ଥିଲା ତାହା ଆମେ ସମସ୍ତେ ଜାଣନ୍ତି । କିନ୍ତୁ ୨୦୧୪ ପରେ ମେଡ଼ିକାଲ ସିଟ୍ ସଂଖ୍ୟା ବହୁ ମାତ୍ରାରେ ବଢିଛି । ପୂର୍ବରୁ ମେଡ଼ିକାଲ ପଢିବା ଲାଗି ଇଚ୍ଛା କରୁଥିଲା ପିଲାମାନେ ସିଟ୍ ଲାଗି ଟେନସନ୍ ହେଉଥିଲେ । ହେଲେ ଏବେ ସେମିତି ହେବନି । କାରଣ ଏବେ ବଜେଟ୍ରେ ଆଗାମୀ ୫ ବର୍ଷରେ ୭୫ ହଜାର ସିଟ୍ ବଢାଇବାକୁ ଘୋଷଣା କରାଯାଇଛି । ଏସ୍ସି ଓ ଏସଟି ପିଲାଙ୍କ ଲାଗି ପୂର୍ବରୁ ଯେତିକି ଥିଲା ଏବେ ବହୁଗୁଣାରେ ତାହା ବଢିଛି । ଓବିସି ପିଲାଙ୍କ ଲାଗି ବି ସିଟ୍ ସଂଖ୍ୟା ବଢିଛି । ବିଗତ ୧୦ ବର୍ଷ ମଧ୍ୟରେ ପ୍ରତି ସପ୍ତାହରେ କଲେଜ୍, ଶିକ୍ଷାନୁଷ୍ଠାନ ଖୋଲିଛି । ଚିନ୍ତା କରିବାର ଆବଶ୍ୟକତା ରହିଛି, ବିଜେପି ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟକୁ କେତେ ମାତ୍ରାରେ ଗୁରୁତ୍ୱ ଦେଉଛି ।
ସରକାରୀ ଯୋଜନା
ହକ୍ ଯାହାର ପାଇବ ସିଏ
ସରକାରଙ୍କ ଯୋଜନା ଯେଉଁମାନଙ୍କ ଲାଗି ଉଦ୍ଦିଷ୍ଟ ସେମାନଙ୍କୁ ମିଳିବ । ଟଙ୍କାଟିଏ ଦେଲେ ୧୫ ପଇସାର ଖେଳ ଆଉ ଚଳିବ ନାହିଁ । ପୃଷ୍ଟିକରଣ ନୁହେଁ ବରଂ ସନ୍ତୁଷ୍ଟିକରଣ ରାଜନୀତିରେ ଆମେ ବିଶ୍ୱାସ କରୁ । ପୂର୍ବରୁ କିଛି ଲୋକଙ୍କୁ ସରକାରୀ ଯୋଜନା ମିଳୁଥିଲା, ଅନ୍ୟମାନେ କଷ୍ଟ ପାଉଥିଲେ । ହେଲେ ଏବେ ସବୁ ଯୋଗ୍ୟଙ୍କୁ ସରକାରୀ ଯୋଜନା ମିଳୁଛି । ସମ୍ବିଧାନରେ କୁହାଯାଇଛି, ପ୍ରତି ଲୋକଙ୍କୁ ଭଲରେ ସ୍ୱାସ୍ଥ୍ୟସେବା ମିଳୁ । ଆମେ ଏହି କ୍ଷେତ୍ରରେ କାମ କରିଛୁ । କିଛି ଲୋକ ସ୍ୱାସ୍ଥ୍ୟକୁ ନେଇ ରାଜନୀତି କରୁଥିଲେ କିନ୍ତୁ ଆୟୁଷ୍ମାନ ଭାରତ ଆସିବା ପରେ ଦେଶର ୩୦ ହଜାର ଘରୋଇ ମେଡ଼ିକାଲ ସାମିଲ ହୋଇଛନ୍ତି । ମାଗଣାରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଆମର ଲକ୍ଷ୍ୟ ରହିଛି । ପୂର୍ବରୁ ଘରୋଇ ମେଡ଼ିକାଲ ଆର୍ଥିକ ଅନଗ୍ରସର ଲୋକଙ୍କୁ ଚାହୁଁନଥିଲେ ହେଲେ ଏବେ ସେମିତି ମନୋଭାବ ଦେଖାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଦୁର୍ନୀତିରେ ଶୂନ୍ୟ ସହନଶୀଳତା ଲାଗି ଆମେ କାମ କରିଛୁ, କରିବୁ ବୋଲି ମୋଦି କହିଛନ୍ତି । ଏହାସହ କ୍ୟାନସର ରୋଗୀଙ୍କ ସମ୍ପର୍କରେ କହି, ଆମ ସରକାର କ୍ୟାନସର ଔଷଧ ଉପରୁ ଟାକ୍ସ କମାଇଛୁ । କ୍ୟାନସର ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଅଧିକରୁ ଅଧିକ କ୍ୟାନସର ମେଡ଼ିକାଲ ଖୋଲିବାକୁ ଆମେ ନିଷ୍ପତ୍ତି ନେଇଛୁ
ଫରେନ୍ ପଲିସି ବଦଳରେ ବିଦେଶ ନୀତି କହିଲେ
କିଛି ରାଜନୈତିକ ବ୍ୟକ୍ତି ଅପରିପକ୍ବ ଭାବନ୍ତି
କିଛି ଲୋକ ଭାବନ୍ତି ବିଦେଶ ନୀତି ବଦଳରେ ଫରେନ୍ ଆଫେୟାର୍ସ କହିଲେ ଅଧିକ ପରିପକ୍ୱ ଲାଗିବେ । ହେଲେ ସେଇଥି ଲାଗି ମୁଁ ଏକ ବହି ନାଁ କହୁଛି । ଯେଉଁମାନେ ଚାହିଁବେ ସେମାନେ ସେହି ବହି ପଢିଲେ ବୁଝିଯିବେ କେଉଁଠି କେଉଁ କଥା କହିବା ଆବଶ୍ୟକ । ସେହି ବହିରେ ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ ଓ ଆମେରିକା ରାଷ୍ଟ୍ରପତି ଜଜ୍ କେନେଡିଙ୍କ କଥା ଉଲ୍ଲେଖ ରହିଛି । ଦେଶ ଯେବେ ସଂଘର୍ଷ କରୁଥିଲା, ବିଦେଶୀ ନୀତିରେ କଣ ହେଉଥିଲା ସେନେଇ ଉଲ୍ଲେଖ ରହିଛି । ତେଣୁ ସମସ୍ତେ ଏହି ବହି ପଢିବା ଦରକାର ବୋଲି ମୋଦି କହିଛନ୍ତି ।
ଯିଏ ହତଉତ୍ସାହିତ ହେବ
ଦେଶର ପ୍ରଥମ ନାଗରିକଙ୍କ ପ୍ରତି ଅପଶଦ୍ଦ କହିବ
ଦେଶର ରାଷ୍ଟ୍ରପତି ଜଣେ ଅତି ସରଳ । ଗରୀବ ପରିବାରରୁ ସେ ଆସିଛନ୍ତି । ଆମେ ତାଙ୍କୁ ନେଇ ଗର୍ବ କରିବାର କଥା । ହେଲେ କିଛି ନେତା ତାଙ୍କୁ ବି ଅପମାନସୂଚକ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି । ରାଜନୀତିରେ ଏମିତି ହତାଶଭାବ ବୁଝାପଡ଼େ, ହେଲେ ଏମିତି ବୟାନ ଦେବା କେତେ ଦୂର ଠିକ୍ ତାହା ଦେଶବାସୀ ବିଚାର କରିବେ । ମହିଳାଙ୍କୁ ବିଜେପି ସରକାର ଗୁରୁତ୍ୱ ଦେଉଛି । ମହିଳା ସଶକ୍ତିକରଣ ଦିଗରେ ଆମେ କାମ କରୁଛୁ । ମିଶନ ଶକ୍ତି ଲାଗି ଅଧିକ ଆର୍ଥିକ ବ୍ୟବସ୍ଥା ହୋଇଛି । ଯାହାର ଉଦାହରଣ ଲକ୍ଷପତି ଦିଦି ଯୋଜନା । ସରକାରୀ ସୂଚନା ଅନୁସାରେ, ୫୦ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଛନ୍ତି । ଆମର ଲକ୍ଷ୍ୟ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ଏହି ଯୋଜନା ଲାଗି ଆର୍ଥିକ ବ୍ୟବସ୍ଥା ହୋଇଛି ଆଗାମୀ ଦିନରେ ମଧ୍ୟ ହେବ । ଏବେ କ୍ଷତରେ କାମ କରି ଦେଶବାସୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।
ମହିଳାଙ୍କ ବିକାଶ ହେଲେ ଦେଶର ବିକାଶ ହେବ
ଆମେ ସରକାରକୁ ଆସିବା ପରେ ସାଢେ ଚାରିକୋଟି ଲୋକଙ୍କୁ ଘର ଦେଇଛୁ । ଯାହାର ମାଲିକାନା ରହିଛି ୭୫ ପ୍ରତିଶତ ମହିଳାଙ୍କ ପାଖରେ । ଗ୍ରାମୀଣ ଅଞ୍ଚଳର ବିକାଶ ହେଲେ ଦେଶର ବିକାଶ ହେବ । ଅର୍ଥନୀତି ଚାଷୀଙ୍କ ଉପରେ ନିର୍ଭର କରେ । ତେଣୁ କୃଷିକ୍ଷେତ୍ରରେ ହୋଇଥିବା ବଜେଟ୍ରେ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି । ୨୦୧୪ ପୂର୍ବରୁ ୟୁରିଆ ମାଗିଲେ ମାଡ଼ି ମିଳୁଥିଲା । ରାତି ଅନିଦ୍ରା ହୋଇ ସାର ଯୋଗାଡ କରୁଥିଲେ ଚାଷୀ । କିନ୍ତୁ ଏବେ ସେମିତି ହେଉନି । ଆଜି ଚାଷୀଙ୍କୁ ଭରପୁର ସାର ମିଳୁଛି । ୟୁରିଆ ଆମେ ବାହାରୁ ଆମଦାନୀ କରୁ ବସ୍ତା ପିଛା ୩ ହଜାର ଟଙ୍କାରେ । ହେଲେ ଚାଷୀଙ୍କୁ ଦିଆଯାଉଛି ୩୦୦ ଟଙ୍କାଠୁ କମ୍ରେ । ତେଣୁ ଚାଷୀଙ୍କ ଏ ସରକାର କେତେ ଗୁରୁତ୍ୱ ଦେଉଛି ତାହା ସ୍ପଷ୍ଟ ଅନୁମେୟ । ଏମଏସପି ବି ବୃଦ୍ଧି ହୋଇଛି । ଚାଷୀମାନଙ୍କଠୁ ଉତ୍ପାଦିତ ସାମଗ୍ରୀ କିଣିବାରେ ଆମେ ରେକର୍ଡ କରିଛୁ । ଚାଷୀଙ୍କ ପୂର୍ବରୁ ହଇରାଣ କରାଯାଉଥିଲା, ହେଲେ ଏବେ ଚାଷୀଙ୍କୁ ସମ୍ମାନ ମିଳୁଛି । ଆଜି ଯେଉଁମାନେ ସମ୍ବିଧାନର କଥା କୁହନ୍ତି, ସେମାନେ ସଠିକ୍ ଭାବରେ ସମ୍ବିଧାନ ପଢିନାହାନ୍ତି । ଏମିତି କିଛି କହି ବର୍ଷିଥିଲେ ମୋଦି । ସେପଟେ ରାଜ୍ୟସଭାରେ ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଖଡଗେ । ତେଣୁ ଏମିତି ସ୍ଥିତିରେ ଆଗାମୀ ଦିନରେ ଗୃହରେ ପୁଣି କେଉଁ ପ୍ରସଙ୍ଗରେ ମୁହାଁମୁହିଁ ହେଉଛନ୍ତି ଉଭୟ ଦଳର ନେତା ତାହା ତ ସମୟ କହିବ । କିନ୍ତୁ ବଜେଟ୍ ଅଧିବେଶ ସରଗରମ ହେବ ସେଥିରେ କୌଣସି ଦ୍ବିମତ ନାହିଁ ।