କନକ ବ୍ୟୁରୋ: ସରଗରମ ହେଲା ଲୋକସଭା । ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ । ଆଉ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ମୋଦୀ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି । କହିଛନ୍ତି, ଆମ ସରକାର ଦେଶର ବିକାଶ ଲାଗି ଲଗାତାର କାମ କରୁଛି । ଆମେ ଲଗାତାର ତୃତୀୟ ଥର ଲାଗି କେନ୍ଦ୍ର ସରକାରର ଦାୟିତ୍ୱରେ ଅଛୁ । ବିଜେପି ସରକାର ଯେଉଁପରି ଭାବରେ ବିକାଶର ଧ୍ୱଜା ଉଡ଼ାଇଛି ତାହା ପୂର୍ବରୁ କେବେ ହୋଇନଥିଲା । ଖାଲି ଏତିକି ନୁହେଁ ବରଂ ବିଗତ ୧୦ ବର୍ଷ ହେଲାଣି ଖବର କାଗଜରେ ଦୁର୍ନୀତି ହେଡ୍‌ଲାଇନ୍‌ ହେଉନାହିଁ ବୋଲି କହିବାକୁ ପଛାଇନାହାନ୍ତି । 

Advertisment

ମୋଦିଙ୍କ ଟାର୍ଗେଟ୍‌ରେ କେଜ୍ରିୱାଲ-ରାହୁଲ
ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଧୋଇଲେ

ରାତି ରାହିଲେ ଦିଲ୍ଲୀ ନିର୍ବାଚନ । ଆଉ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେଉଛି । ତେଣୁ ଦେଶବାସୀଙ୍କ ନଜର ମୋଦିଙ୍କ ଅଭିଭାଷଣ ଉପରେ ରହିଛି । ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, କିଛି ଦଳ ଭୋଟ ପୂର୍ବରୁ ଯାହା କହିଛନ୍ତି କିଛି କରିନାହାନ୍ତି । ସେଇଥି ଲାଗି ଜନତା ତାଙ୍କ କଥାକୁ ବିଶ୍ୱାସ କରୁନାହାନ୍ତି । ଦୁର୍ନୀତି କଲେ ଏହାକୁ କେହି ବରଦାସ୍ତ କରିବେ ନାହିଁ ମୋଦି କହିବା ସହିତ ଯୁବବର୍ଗଙ୍କ ଜୀବନ ସହ କିଛି ଦଳ ଖେଳ ଖେଳୁଛନ୍ତି ବୋଲି କହିଛନ୍ତି । 

ବିଜେପି କେମିତି କାମ କରେ, ହରିୟାଣା ନିର୍ବାଚନରେ ପୁରା ଦେଶ ଦେଖିଲା । ଆମେ ଯାହା କହୁ ତାହା କାମରେ କରୁ । ଯୁବବର୍ଗଙ୍କୁ ଚାକିରି ଦେବା ଲାଗି ଆମେ ପ୍ରତିଶ୍ରୁତି ଦେଇଥିଲୁ ଏବଂ କାର୍ଯ୍ୟକାରୀ ବି କରିଛୁ । ସେଇଥି ଲାଗି ହରିୟାଣାରେ ଆମେ ତୃତୀୟଥର କ୍ଷମତାକୁ ଆସିଛୁ । ମହାରାଷ୍ଟ୍ରରେ ବି ସର୍ବାଧିକ ସିଟ୍‌ ଆମେ ପାଇଛୁ । ଏହା କେବଳ ଜନସାଧାରଣଙ୍କ ଲାଗି ସମ୍ଭବ ହୋଇପାରିଛି । ସେପଟେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ଆମେ ସାଧାରଣ ଲୋକଙ୍କ ଟଙ୍କାରେ ଶିଶୁମହଲ କରିନୁ । ମୁଖ୍ୟମନ୍ତ୍ରୀଙ୍କ କାମ ଲୋକଙ୍କ ଲାଗି କାମ କରିବା । ହେଲେ ଜଣେ ମୁଖ୍ୟମନ୍ତ୍ରୀ ନିଜ ପାଇଁ କାମ କରିବା ପରିବର୍ତ୍ତେ ନିଜ ଲାଦି ଆଲିସାନ ଘର କଲେ । ଆମେ ଯେବେ ୨୦୧୪ରେ ସରକାର କଲୁ ସେବେ ବିରୋଧୀ ଦଳ ମାନ୍ୟତା କୌଣସି ଦଳ ପାଇନଥିଲେ । ଆମେ ମନଇଚ୍ଛା କାମ କରିନଥିଲୁ ବରଂ ଲୋକସଭାରେ ବିରୋଧୀ ଆସନରେ ବସିଥିବା ଦଳଙ୍କ ମଧ୍ୟରେ ଯାହାର ଅଧିକ ଆସନ ଥିଲା ତାଙ୍କୁ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିମନ୍ତ୍ରଣ କଲୁ । 


ସମ୍ବିଧାନର ପାଠ ପଢାଇଲେ ମୋଦି

ବିଜେପି ସମ୍ବିଧାନକୁ ବିଶ୍ୱାସ କରେ, ସମ୍ବିଧାନର ବିଚାରଧାରାରେ କାମ କରେ । କିଛି ଲୋକ ସମ୍ବିଧାନକୁ ନିଜ ଘର ଭିତରେ ରଖିଥିଲେ ହେଲେ ଆମେ ସେମିତି କରିନୁ । ଆମେ ପିଏମ ମ୍ୟୁଜିୟମ୍‌ ନିର୍ମାଣ କରିଛୁ । ବିରୋଧୀମାନେ ସମସ୍ତେ ସେଠାକୁ ଯାଆନ୍ତୁ ଯଦି ସେଠାରେ କିଛି ତ୍ରୁଟି ରହିଛି ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । ଆମେ ପ୍ରତିଶ୍ରୁତି ଦେଉଛୁ, ଆମେ ନିଶ୍ଚିତ ସେଦିଗରେ କାମ କରିବୁ । କ୍ଷମତାରେ ରହିବା ପରେ ଯେଉଁମାନେ ନିୟମକାନୁନ ମାନୁନାହାନ୍ତି ସେମାନେ ଗଣତନ୍ତ୍ରର ହତ୍ୟା କରନ୍ତି । ଦେଶକୁ ଏକାଠି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ସେଇଥି ଲାଗି ତ ସର୍ଦ୍ଦାର ବଲ୍ଲିଭଭାଇ ପଟେଲ୍‌ଙ୍କ ସର୍ବୋଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରିଛୁ । କିନ୍ତୁ ଦେଶର ଦୁର୍ଭାଗ୍ୟ କିଛି ନେତା ସହରାଞ୍ଚଳ ନକ୍ସଲଙ୍କ ପରି କଥା ହେଉଛନ୍ତି । 


ଯୋଜନାକୁ ନେଇ ବଡ଼ ଟିପ୍ପଣୀ କଲେ

ନିଜ ଅଭିଭାଷଣରେ ମୋଦି କହିଛନ୍ତି, ଆୟୁଷ୍ମାନ ଯୋଜନାରେ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଜନୌଷଧି କେନ୍ଦ୍ର ଜରିଆରେ  ୮୦ ପ୍ରତିଶତ ରିହାତି ମିଳୁଛି । WHO ରିପୋର୍ଟ ଅନୁସାରେ ନଳ ଯୋଗେ ଘରକୁ ଜଳ ଗଲେ ପରିବାର ପିଛା ୪୦ ହଜାର ଟଙ୍କା କମ୍‌ ଖର୍ଚ୍ଚ ହେବ । ସେପଟେ ଆୟକର କମ୍‌ କରି ମଧ୍ୟବିତ୍ତଙ୍କ ଚାପ ହ୍ରାସ କରିଛୁ ।  ପୂର୍ବରୁ ପଞ୍ଚାୟତରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଗୋଟିଏ ଦଳର ଶାସନ ଥିଲା । ୧ ଟଙ୍କା ରିଲିଜ ହେଲେ ୧୫ ପଇସା ଲୋକଙ୍କ ପାଖରେ ପହଞ୍ଚୁଥିଲା କିନ୍ତୁ ଆମ ସରକାର ଡିବିଟି ଜରିଆରେ ଅର୍ଥ ପହଞ୍ଚାଇଲା । ଆମ ସରକାର ଏଯାବତ ୪୦ ଲକ୍ଷ କୋଟି ଡିବିଟିରେ ପହଞ୍ଚାଇଛନ୍ତି । ଲୋକଙ୍କ ପଇସା ଆମେ ଲୋକଙ୍କ ପାଖରେ ପହଞ୍ଚାଇଛୁ । ଆଗାମୀ ଦିନରେ ବି ପହଞ୍ଚାଇବୁ । ଏହାସହ ୧୦ ଲକ୍ଷ ଫର୍ଜି ଲୋକଙ୍କୁ ସୁବିଧାରୁ ବଞ୍ଚିତ କରିଛୁ । ରାଜକୋଷରୁ ଏବାବଦରେ ଯାଉଥିବା ୩ ଲକ୍ଷ କୋଟି ବଞ୍ଚିଯାଇଛି । ରାଜନୈତିକ ଲାଭ କ୍ଷତିକୁ ମୋ ସରକାର ଗୁରୁତ୍ବ ଦେଇ ନାହିଁ, ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇଛୁ । ସେଇଥି ଲାଗି ତ ଲଗାତାର ଗତ ୧୦ ବର୍ଷ ହେଲା ଦେଶବାସୀ ସେବା କରିବାର ସୁଯୋଗ ଦେଇଛନ୍ତି । ଏହା ଭିତରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି । ପୂର୍ବରୁ ‘ଗରିବୀ ହଟାଓ’ କେବଳ ନାରାରେ ସୀମିତ ଥିଲା, ହେଲେ ଏବେ ନାରା ନୁହେଁ ବରଂ କାମରେ ବିଶ୍ୱାସ କରିଛୁ । ପୂର୍ବଭାରତର ବିକାଶ ଲାଗି ଆମେ ସ୍ୱତନ୍ତ୍ର ମନ୍ତ୍ରଣାଳୟ କରିଛୁ । ଚାଷୀଙ୍କ ଲାଗି ଯୋଜନା କରିଛୁ । 

ସ୍ୱାସ୍ଥ୍ୟକୁ ଗୁରୁତ୍ୱ

ସ୍ୱାସ୍ଥ୍ୟ ସେବାକୁ ନେଇ ମୋଦୀ କହିଛନ୍ତି, ଆମ ସରକାର ପୂର୍ବରୁ ମେଡିକାଲ କଲେଜ ଓ ସ୍ୱାସ୍ଥ୍ୟସେବା କେମିତି ଥିଲା ତାହା ଆମେ ସମସ୍ତେ ଜାଣନ୍ତି । କିନ୍ତୁ ୨୦୧୪ ପରେ ମେଡ଼ିକାଲ ସିଟ୍‌ ସଂଖ୍ୟା ବହୁ ମାତ୍ରାରେ ବଢିଛି । ପୂର୍ବରୁ ମେଡ଼ିକାଲ ପଢିବା ଲାଗି ଇଚ୍ଛା କରୁଥିଲା ପିଲାମାନେ ସିଟ୍‌ ଲାଗି ଟେନସନ୍‌ ହେଉଥିଲେ । ହେଲେ ଏବେ ସେମିତି ହେବନି । କାରଣ ଏବେ ବଜେଟ୍‌ରେ ଆଗାମୀ ୫ ବର୍ଷରେ ୭୫ ହଜାର ସିଟ୍‌ ବଢାଇବାକୁ ଘୋଷଣା କରାଯାଇଛି । ଏସ୍‌ସି ଓ ଏସଟି ପିଲାଙ୍କ ଲାଗି ପୂର୍ବରୁ ଯେତିକି ଥିଲା ଏବେ ବହୁଗୁଣାରେ ତାହା ବଢିଛି । ଓବିସି ପିଲାଙ୍କ ଲାଗି ବି ସିଟ୍‌ ସଂଖ୍ୟା ବଢିଛି । ବିଗତ ୧୦ ବର୍ଷ ମଧ୍ୟରେ ପ୍ରତି ସପ୍ତାହରେ କଲେଜ୍‌, ଶିକ୍ଷାନୁଷ୍ଠାନ ଖୋଲିଛି । ଚିନ୍ତା କରିବାର ଆବଶ୍ୟକତା ରହିଛି, ବିଜେପି ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟକୁ କେତେ ମାତ୍ରାରେ ଗୁରୁତ୍ୱ ଦେଉଛି । 

ହକ୍‌ ଯାହାର ତାଙ୍କୁ ମିଳିବ

ସରକାରଙ୍କ ଯୋଜନା ଯେଉଁମାନଙ୍କ ଲାଗି ଉଦ୍ଦିଷ୍ଟ ସେମାନଙ୍କୁ ମିଳିବ । ଟଙ୍କାଟିଏ ଦେଲେ ୧୫ ପଇସାର ଖେଳ ଆଉ ଚଳିବ ନାହିଁ । ପୃଷ୍ଟିକରଣ ନୁହେଁ ବରଂ ସନ୍ତୁଷ୍ଟିକରଣ ରାଜନୀତିରେ ଆମେ ବିଶ୍ୱାସ କରୁ । ପୂର୍ବରୁ କିଛି ଲୋକଙ୍କୁ ସରକାରୀ ଯୋଜନା ମିଳୁଥିଲା, ଅନ୍ୟମାନେ କଷ୍ଟ ପାଉଥିଲେ । ହେଲେ ଏବେ ସବୁ ଯୋଗ୍ୟଙ୍କୁ ସରକାରୀ ଯୋଜନା ମିଳୁଛି । ସମ୍ବିଧାନରେ କୁହାଯାଇଛି, ପ୍ରତି ଲୋକଙ୍କୁ ଭଲରେ ସ୍ୱାସ୍ଥ୍ୟସେବା ମିଳୁ । ଆମେ ଏହି କ୍ଷେତ୍ରରେ କାମ କରିଛୁ । କିଛି ଲୋକ ସ୍ୱାସ୍ଥ୍ୟକୁ ନେଇ ରାଜନୀତି କରୁଥିଲେ କିନ୍ତୁ ଆୟୁଷ୍ମାନ ଭାରତ ଆସିବା ପରେ ଦେଶର ୩୦ ହଜାର ଘରୋଇ ମେଡ଼ିକାଲ ସାମିଲ ହୋଇଛନ୍ତି । ମାଗଣାରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଆମର ଲକ୍ଷ୍ୟ ରହିଛି । ପୂର୍ବରୁ ଘରୋଇ ମେଡ଼ିକାଲ ଆର୍ଥିକ ଅନଗ୍ରସର ଲୋକଙ୍କୁ ଚାହୁଁନଥିଲେ ହେଲେ ଏବେ ସେମିତି ମନୋଭାବ ଦେଖାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଦୁର୍ନୀତିରେ ଶୂନ୍ୟ ସହନଶୀଳତା ଲାଗି ଆମେ କାମ କରିଛୁ, କରିବୁ ବୋଲି ମୋଦି କହିଛନ୍ତି । ଏହାସହ କ୍ୟାନସର ରୋଗୀଙ୍କ ସମ୍ପର୍କରେ କହି, ଆମ ସରକାର କ୍ୟାନସର ଔଷଧ ଉପରୁ ଟାକ୍ସ କମାଇଛୁ । କ୍ୟାନସର ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଅଧିକରୁ ଅଧିକ କ୍ୟାନସର ମେଡ଼ିକାଲ ଖୋଲିବାକୁ ଆମେ ନିଷ୍ପତ୍ତି ନେଇଛୁ ।

ଫରେନ୍‌ ନକହିଲେ କିଛି ଲୋକଙ୍କୁ ଭଲ ଲାଗେନି

କିଛି ଲୋକ ଭାବନ୍ତି ବିଦେଶ ନୀତି ବଦଳରେ ଫରେନ୍‌ ଆଫେୟାର୍ସ କହିଲେ ଅଧିକ ପରିପକ୍ୱ ଲାଗିବେ । ହେଲେ ସେଇଥି ଲାଗି ମୁଁ ଏକ ବହି ନାଁ କହୁଛି । ଯେଉଁମାନେ ଚାହିଁବେ ସେମାନେ ସେହି ବହି ପଢିଲେ ବୁଝିଯିବେ କେଉଁଠି କେଉଁ କଥା କହିବା ଆବଶ୍ୟକ । ସେହି ବହିରେ ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ ଓ ଆମେରିକା ରାଷ୍ଟ୍ରପତି ଜଜ୍‌ କେନେଡିଙ୍କ କଥା ଉଲ୍ଲେଖ ରହିଛି । ଦେଶ ଯେବେ ସଂଘର୍ଷ କରୁଥିଲା, ବିଦେଶୀ ନୀତିରେ କଣ ହେଉଥିଲା ସେନେଇ ଉଲ୍ଲେଖ ରହିଛି । ତେଣୁ ସମସ୍ତେ ଏହି ବହି ପଢିବା ଦରକାର ବୋଲି ମୋଦି କହିଛନ୍ତି । 

ରାଜନୀତିରେ ହତାଶ ହେଲେ ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ କୁହନ୍ତି

ଦେଶର ରାଷ୍ଟ୍ରପତି ଜଣେ ଅତି ସରଳ । ଗରୀବ ପରିବାରରୁ ସେ ଆସିଛନ୍ତି । ଆମେ ତାଙ୍କୁ ନେଇ ଗର୍ବ କରିବାର କଥା । ହେଲେ କିଛି ନେତା ତାଙ୍କୁ ବି ଅପମାନସୂଚକ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି । ରାଜନୀତିରେ ଏମିତି ହତାଶଭାବ ବୁଝାପଡ଼େ, ହେଲେ ଏମିତି ବୟାନ ଦେବା କେତେ ଦୂର ଠିକ୍‌ ତାହା ଦେଶବାସୀ ବିଚାର କରିବେ । ମହିଳାଙ୍କୁ ବିଜେପି ସରକାର ଗୁରୁତ୍ୱ ଦେଉଛି । ମହିଳା ସଶକ୍ତିକରଣ ଦିଗରେ ଆମେ କାମ କରୁଛୁ । ମିଶନ ଶକ୍ତି ଲାଗି ଅଧିକ ଆର୍ଥିକ ବ୍ୟବସ୍ଥା ହୋଇଛି । ଯାହାର ଉଦାହରଣ ଲକ୍ଷପତି ଦିଦି ଯୋଜନା । ସରକାରୀ ସୂଚନା ଅନୁସାରେ, ୫୦ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଛନ୍ତି । ଆମର ଲକ୍ଷ୍ୟ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ଏହି ଯୋଜନା ଲାଗି ଆର୍ଥିକ ବ୍ୟବସ୍ଥା ହୋଇଛି ଆଗାମୀ ଦିନରେ ମଧ୍ୟ ହେବ । ଏବେ କ୍ଷତରେ କାମ କରି ଦେଶବାସୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । 

ମହିଳାଙ୍କୁ ଗୁରୁତ୍ୱ

ଆମେ ସରକାରକୁ ଆସିବା ପରେ ସାଢେ ଚାରିକୋଟି ଲୋକଙ୍କୁ ଘର ଦେଇଛୁ । ଯାହାର ମାଲିକାନା ରହିଛି ୭୫ ପ୍ରତିଶତ ମହିଳାଙ୍କ ପାଖରେ । ଗ୍ରାମୀଣ ଅଞ୍ଚଳର ବିକାଶ ହେଲେ ଦେଶର ବିକାଶ ହେବ । ଅର୍ଥନୀତି ଚାଷୀଙ୍କ ଉପରେ ନିର୍ଭର କରେ । ତେଣୁ କୃଷିକ୍ଷେତ୍ରରେ ହୋଇଥିବା ବଜେଟ୍‌ରେ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି । ୨୦୧୪ ପୂର୍ବରୁ ୟୁରିଆ ମାଗିଲେ ମାଡ଼ି ମିଳୁଥିଲା । ରାତି ଅନିଦ୍ରା ହୋଇ ସାର ଯୋଗାଡ କରୁଥିଲେ ଚାଷୀ । କିନ୍ତୁ ଏବେ ସେମିତି ହେଉନି । ଆଜି ଚାଷୀଙ୍କୁ ଭରପୁର ସାର ମିଳୁଛି । ୟୁରିଆ ଆମେ ବାହାରୁ ଆମଦାନୀ କରୁ ବସ୍ତା ପିଛା ୩ ହଜାର ଟଙ୍କାରେ । ହେଲେ ଚାଷୀଙ୍କୁ ଦିଆଯାଉଛି ୩୦୦ ଟଙ୍କାଠୁ କମ୍‌ରେ । ତେଣୁ ଚାଷୀଙ୍କ ଏ ସରକାର କେତେ ଗୁରୁତ୍ୱ ଦେଉଛି ତାହା ସ୍ପଷ୍ଟ ଅନୁମେୟ । ଏମଏସପି ବି ବୃଦ୍ଧି ହୋଇଛି । ଚାଷୀମାନଙ୍କଠୁ ଉତ୍ପାଦିତ ସାମଗ୍ରୀ କିଣିବାରେ ଆମେ ରେକର୍ଡ କରିଛୁ । ଚାଷୀଙ୍କ ପୂର୍ବରୁ ହଇରାଣ କରାଯାଉଥିଲା, ହେଲେ ଏବେ ଚାଷୀଙ୍କୁ ସମ୍ମାନ ମିଳୁଛି । ଆଜି ଯେଉଁମାନେ ସମ୍ବିଧାନର କଥା କୁହନ୍ତି, ସେମାନେ ସଠିକ୍‌ ଭାବରେ ସମ୍ବିଧାନ ପଢିନାହାନ୍ତି ।