କନକ ବ୍ୟୁରୋ: ଭାରତ-ଚୀନ ସମ୍ପର୍କ ସେମିତି ତାହା ପୁରା ବିଶ୍ବ ଜାଣିଛି । ବର୍ଷବର୍ଷ ଧରି ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଅବଶ୍ୟ କୂଟନୈତିକ ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିଛି । ହେଲେ ଚୀନର ଚାଲିକିକୁ ନେଇ କୌଣସି ଦେଶ ତାହା ଉପରେ ବିଶ୍ବାସ କରିପାରୁନାହାନ୍ତି । କଥା ହେଲା, ଭାରତ ସୀମାର ହଜାର ହଜାର କିଲୋମିଟର ଚୀନ ସହ ଯୋଡି ହୋଇ ରହିଛି । ତେଣୁ ସୀମାକୁ ସୁରକ୍ଷା ଦେବା ଭାରତ ଲାଗି ଏକ ବଡ଼ ଚ୍ୟାଲେଞ୍ଜ। ଯେହେତୁ ଏଲଏସି ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ରହିଛି, ତେଣୁ ସେଠାରେ ଭାରତୀୟ ଯବାନ ପ୍ରହାର ଦେବା ଆଦୌ ସହଜ ନୁହେଁ । ଖାଲି ଏତିକି ନୁହେଁ ବରଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ଏଲଏସିରେ ପହଞ୍ଚିବା ସହଜ ନୁହେଁ । ତେଣୁ ଏଲଏସିକୁ ଯେଉଁ ପରି ଭାବରେ ରାସ୍ତା ତିଆରି କଲା ଇଣ୍ଡିଆ ଏବଂ ଏହାର ଟେର ପାଇଲା ନାହିଁ ଚୀନ ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ପାକିସ୍ତାନ ସହ ଏଲଓସି
ଚୀନ ସହିତ ଏଲଏସି
ଦୁଇ ପଡ଼ୋଶୀ, ଦୁଇ ଶତ୍ରୁ
ଭାରତ ଏମିତି ଏକ ଦେଶ ଯିଏ କି ନିଜର ଅଧିକାଂଶ ସୀମା ଦୁଇ ଶତ୍ରୁ ପଡୋଶୀ ସହ ଯୋଡ଼ି ହୋଇ ରହିଛି । ତେଣୁ ପ୍ରତି ମୁହୂର୍ତ୍ତରେ ସୀମାକୁ ନେଇ ଟେନସନ୍ ଦେଖାଯାଏ । ଏଲଓସି ଓ ଏଲଏସି ଏମିତି ଏକ ସ୍ଥାନ ଯେଉଁଠି ୨୪ ଘଂଟିଆ ଆଲର୍ଟରେ ରୁହନ୍ତି ସେନା । ଖାସ କରି ଏଲଏସିର ପ୍ରହାର ଦେବା କଷ୍ଟସାଧ୍ୟ । କାରଣ ସମୁଦ୍ର ପତ୍ତନଠାରୁ ଏହା ୯ ହଜାର ଫୁଟରୁ ଆରମ୍ଭ କରି ୧୯ ହଜାର ଫୁଟ ପର୍ଯ୍ୟନ୍ତ ରହିଛି । ଯଦି ସୀମାରେ କିଛି ହଲଚଲ ହେଲା ସେଠାରେ ସଙ୍ଗେ ସଙ୍ଗେ ପହଞ୍ଚିବା ସମ୍ଭବ ବି ହୁଏନାହିଁ । ହେଲେ ଏବେ ସେମିତି ହେବନି । କାରଣ ବର୍ଡର ରୋଡ୍ ଅର୍ଗାନାଇଜେସନ୍ ସୀମାରେ ରାସ୍ତା ନିର୍ମାଣ କରୁଛି । ଏହି ରାସ୍ତା ନିର୍ମାଣ ସରିଗଲେ ସୀମାରେ ଅପ୍ରିତୀକର ପରିସ୍ଥିତିର ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଆବଶ୍ୟକୀୟ ଯବାନ ସେଠାରେ ପହଞ୍ଚିପାରିବେ । ଯାହାର ଉଦାହରଣ ୨୦୨୦ ମସିହାରେ ଦେଖିବାକୁ ମିଳିଛି । ଭାରତ ଯେଉଁପରି ଭାବରେ ସଡ଼କ ନିର୍ମାଣ କରୁଛି ସୀମାରେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଆଗାମୀ ଦିନରେ ଚୀନ ଆଉ ନାଲିଆଖି ଦେଖାଇପାରିବ ନାହିଁ । ସ୍ଥିତି ଏବେ ଏମିତି ହେଲାଣି ସୀମାରେ କୌଣସି ପ୍ରକାରର ହଲଚଲ କରିବା ପୂର୍ବରୁ ଚୀନ ଅନ୍ତତଃ ୧୦ ଥର ଚିନ୍ତା କରିବାକୁ ବାଧ୍ୟ ହେବ ।
୨୫-୨୬ ଆର୍ଥିକ ବଜେଟ୍ରେ
ସୀମା ସଡ଼କ ନିର୍ମାଣକୁ ଗୁରୁତ୍ବ
ସୀମାକୁ ମଜବୁତ କରିବା ଲାଗି ଭାରତ ସରକାର ଅନେକ ଯୋଜନା କରୁଛନ୍ତି । ସେଇଥି ଲାଗି ତ ସୀମାରେ ଅତିଶୀଘ୍ର ରାସ୍ତା ନିର୍ମାଣ କରିବା ଲାଗି ବଜେଟ୍ରେ ବି ବ୍ୟୟବରାଦ ରଖିଛନ୍ତି କେନ୍ଦ୍ର ସରକାର । ଚଳିତ ଆର୍ଥିକ ବର୍ଷରେ ପ୍ରତିରକ୍ଷା ବଜେଟ୍ରେ ବିଆରଓକୁ ୭ ହଜାର ୧୪୬ କୋଟି ଟଙ୍କାର ଆର୍ଥିକରାଶି ମିଳିଛି । କୁହାଯାଉଛି କି ବର୍ତ୍ତମାନ ସୁଦ୍ଧା ବିଆରଓକୁ ମିଳିଥିବା ବଜେଟ୍ରେ ଏହା ସର୍ବାଧିକ । କାରଣ ୨୪-୨୫ ଆର୍ଥିକ ବର୍ଷରେ ମିଳିଥିଲା ୫ ହଜାର ୫୦୦ କୋଟି ଟଙ୍କା ।
ସୀମାରେ ଭାରତର ରାସ୍ତା
ଟେନସନ୍ରେ ଚୀନ-ପାକିସ୍ତାନ
ଭାରତ ନିଜ ସୀମାରେ ରାସ୍ତା ନିର୍ମାଣ କରିବା ପରେ ଏବେ ଚୀନ ଓ ପାକିସ୍ତାନ ଚିନ୍ତାରେ ଅଛନ୍ତି । କାରଣ ବିଷମ ପରିସ୍ଥିତିର ମୁକାବିଲା କରିବା ଲାଗି ଭାରତ ନିଜ ସୀମାକୁ ସଶକ୍ତ କରିବାରେ ଲାଗିଛି । ଯାହାର ନେତୃତ୍ବ ନେଉଛି ବିଆଇରଓ । ବିଗତ ୪ ବର୍ଷ ଭିତରେ ବିଆରଓ ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳରେ ପାଖାପାଖି ୪୦୫ ଇନଫ୍ରାଷ୍ଟକଚର ପ୍ରୋଜେକ୍ଚ ନିର୍ମାଣ କରିବାରେ ସଫଳ ହୋଇଛି । ଯାହା ମଧ୍ୟରେ ବ୍ରିଜ୍, ଟନେଲ୍ ଓ ହେଲିପ୍ୟାଡ ସାମିଲ ଅଛି । ସୂଚନା ଅନୁସାରେ, ସୀମାରେ ନିର୍ମାଣ କରାଯାଉଥିବା ବ୍ରିଜ୍ ଗୁଡ଼ିକ ଏମିତି ତିଆରି କରାଯାଉଛି ଯେମିତିକି ୭୦ ଟନ୍ ଟ୍ୟାଙ୍କର ଏଥିରେ ଗଲେ ବି କୌଣସି କ୍ଷତି ହେବ ନାହିଁ ।
ଅତ୍ୟାଧୁନିକ ଜ୍ଞାନକୌଶଳ ଦେଉଛି ବଳ
କମ ସମୟରେ ସୀମାରେ ଅଧିକ ରାସ୍ତା ତିଆରି କରିବା କୌଣସି ଚ୍ୟାଲେଞ୍ଜଠାରୁ କିଛି କମ ନୁହେଁ । କାରଣ ବର୍ଷକ ୧୨ ମାସ ମଧ୍ୟରୁ କେବଳ ୪ ମାସ କାମ କରିହେଉଛି । ଅନ୍ୟଦିନେ ବାଦଲ ଫଟା ବର୍ଷା, ପ୍ରବଳ ଶୀତ ଲାଗି କାମ କରିବା ସମ୍ଭବ ନୁହେଁ । ପାହଡ଼ର ଛାତିଚିରି ଟନେଲ୍ ତିଆରି କରିବା ବି କିଛି ସହଜ ନୁହେଁ । କିନ୍ତୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହା ସମ୍ଭବ ହୋଇପାରିଛି । ସୂଚନା ଅନୁସାରେ, ୨୦୨୨ରେ ୧୦୩, ୧୦୨୩ରେ ୧୨୫ ଓ ୨୦୨୪ରେ ୭୫ ରାସ୍ତା ଓ ଟନେଲ ତିଆରି କରିବାରେ ବିଆରଓ ସଫଳତା ହାସଲ କରିଛି ।
୬୦ ବର୍ଷରେ ୬୨ ହଜାର ଟନେଲ୍
୧୯୬୦ରେ ବର୍ଡର ରୋଡ୍ ଅର୍ଗାନାଇଜେସନ ତିଆରି ହୋଇଥିଲା । ଲକ୍ଷ୍ୟଥିଲା ସୀମାରେ ସହଜରେ ରାସ୍ତା ତିଆରି କରିବା । ବିଆରଓ ସର୍ବାଧିକ ସୀମା, ଲଦାଖ, ଅରୁଣାଚଳ, ଜମ୍ମୁ-କାଶ୍ମୀର, ହିମାଚଳ, ଉତ୍ତରାଖଣ୍ଡ ଓ ସିକ୍କିମରେ କାମ କରିଛି । ବିଗତ ୬୦ ବର୍ଷ ଭିତରେ ୬୨ ହଜାର ୨୧୪ କିଲୋମିଟର ରାସ୍ତା ତିଆରି କରିପାରିଛି ଏହି ଅର୍ଗାନାଇଜେସନ୍ । ତେଣୁ ଆଗାମୀ ଦିନରେ ସୀମା ସୁରକ୍ଷା ଦିଗରେ ବିଆରଓ ବଡ଼ କାମ କରିବ ବୋଲି ଆଶା ରହିଛି । ଆଉ ଏହି ଅର୍ଗାନାଇଜେନକୁ ପ୍ରଂଶସା ମଧ୍ୟ କରାଯାଉଛି ।
ମୋଟ୍ ଉପରେ, ସୀମାକୁ ନେଇ ସର୍ବଦା ଭାରତ ଚିନ୍ତାରେ ଥାଏ । କାରଣ ବିନା କୌଣସି ଘଟଣାରେ ବି ପାକିସ୍ତାନ ଓ ଚୀନ ପକ୍ଷରୁ ଗୁଳିଚାଳନ କରାଯାଏ । ତେଣୁ ଏମିତି ଅପ୍ରୀତିକର ପରସ୍ଥିତିକୁ ଏଡ଼ାଇବା ଲାଗି ଭାରତ ଏବେ ତତ୍ପର ଦେଖାଇଛି ।