କନକ ବ୍ୟୁରୋ: ଆଜିଠୁ ଜମିବ ଖଣ୍ଡଗିରି ମେଳା । ମେଳା ପାଇଁ ପ୍ରସ୍ତୁତି ବି ସରିଛି । ହେଲେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ବିବାଦ ଉପୁଜିଛି । କାରଣ ଏଥର ମେଳାରେ କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ ହେବ ନାହିଁ ବୋଲି କଡ଼ା ନିର୍ଦ୍ଦେଶନାମା ଜାରି କରିଛି ପ୍ରଶାସନ । ହେଲେ ମେଳାର ଯାତ୍ରାରେ ପ୍ରଶାସନର ନିୟମକୁ ଯାତ୍ରା ପାର୍ଟି ମାନୁଛନ୍ତି କି ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା । 

Advertisment

ଯାତ୍ରା ଜଗିବ ଠେଙ୍ଗା 
ଅଶ୍ଲୀଳତାକୁ ବରଦାସ୍ତ କରାଯିବନି
ଅଶ୍ଳୀଳ ନାଚିବ ତ ଠେଙ୍ଗା କଥା କହିବ

ପୂର୍ବରୁ ଯେଉଁ ବୟାନ ଦେଇଥିଲେ, ଗତକାଲି ବି ସେଇ ବୟାନ ଦୋହରାଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । କହିଛନ୍ତି, ଆମେ ମାଆଙ୍କ ପାଖରେ ଠେଙ୍ଗା ପୂଜା କରିଛୁ । ଯେଉଁମାନେ ଅଶ୍ଳୀଳ ନୃତ୍ୟ କରିବେ ସେମାନଙ୍କ ଉପରେ ଠେଙ୍ଗା ପ୍ରହାର ହେବ । ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛି ସେହି ଅନୁସାରେ ଯାତ୍ରା ହେଉ । କିନ୍ତୁ କୌଣସି ପରିସ୍ଥିତିରେ ଯାତ୍ରାରେ ଅଶ୍ଳୀଳତା ନହେଉ । 

ପବିତ୍ର ଭୂମିରେ ଅପ୍ରୀତିକର ପରସ୍ଥିତି କରୁଛି ଅଶ୍ଳୀଳ ନାଚ
ସାଧୁସନ୍ଥ ରହୁଥିବା ସ୍ଥାନରେ ଏହାକୁ ଜୋରଦାର ବିରୋଧ
କେବଳ ଖଣ୍ଡଗିରିରେ ନୁହେଁ ପୂରା ରାଜ୍ୟରେ ଅଶ୍ଳୀଳ ଡ୍ୟାନ୍ସ ବ୍ୟାନ  ?

ସାଧୁସନ୍ଥଙ୍କୁ ନେଇ ଖଣ୍ଡଗିରି ଯେତିକି ପ୍ରଶଂସା ସାଉଣ୍ଟିଛି, ଅଶ୍ଳୀଳ ନୃତ୍ୟକୁ ନେଇ ସେତିକି ବିବାଦୀୟ ବି ହୋଇଛି । ତେଣୁ ଆଜିଠୁ ଆରମ୍ଭ ହେଉଥିବା ମେଳାରେ ଯାତ୍ରା ପାର୍ଟିଙ୍କୁ ଯାତ୍ରା ପରିବେଷଣ କରିବାକୁ ତ ଅନୁମତି ମିଳିଛି ହେଲେ ଅଶ୍ଳୀଳତାକୁ ବ୍ୟାନ କରାଯାଇଛି । ସୂଚନା ଅନୁସାରେ, ମହୋତ୍ସବ ଓ ମାଘ ମେଳା ଆରମ୍ଭ ହେଉଥିବା ବେଳେ ସ୍ଥାନୀୟ ଯୁବକ ମାନଙ୍କର ଏକ ଗୋଷ୍ଠୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ ମିଳିତ ଭାବେ ଗତକାଲି ମା’ବାରଭୁଜୀଙ୍କ ପାଖରେ ଠେଙ୍ଗା ପୂଜା କରିଛନ୍ତି । ଏହି ଠେଙ୍ଗା ଅଶ୍ଲୀଳତା ରୋକିବ ବୋଲି ସେ କହିଛନ୍ତି । ତେବେ କିଛି ମହିଳା ଅଙ୍ଗ ପ୍ରଦର୍ଶନ ପାଇଁ ଖୋଲା ଚ୍ୟାଲେଞ୍ଜ କରିଥିବା ବେଳେ ସେମାନଙ୍କୁ ସଠିକ ଜବାବ ଦେବାକୁ ଏହା ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ ।

ସେପଟେ, ଚଳିତବର୍ଷଠାରୁ ଏହି ମହୋତ୍ସବର ନାମ ଐର ଖାରବେଳ ଅନ୍ତର୍ଜାତୀୟ ମହୋତ୍ସବ ନାମରେ ନାମିତ ହେବ ବୋଲି ସ୍ପଷ୍ଟ କରାଯାଇଛି । ତେଣୁ ଐତିହ୍ୟ ସମ୍ପନ୍ନ ଏହି ମାଘମେଳାରେ କୌଣସି ପ୍ରକାର ବିଶୃଙ୍ଖଳାକୁ ସ୍ଥାନ ଦିଆଯିବନି ବୋଲି ବିଏମସି ପକ୍ଷରୁ ମଧ୍ୟ କୁହାଯାଇଛି ।  ଏଥିପାଇଁ ପୁରା ପ୍ରଶାସନ ସଜାଗ ରହିଛି ।  ମୋଟ୍‌ ଉପରେ ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ବନ୍ଦକୁ ନେଇ ଅନେକ ପ୍ରତିକ୍ରିୟା ଆସିଛି । ଏବେ ସମୟ କହିବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଉଛି କି ନାହିଁ । 

(ଭୁବନେଶ୍ୱରରୁ ଶ୍ରୀମା ଶତପଥୀଙ୍କ ରିପୋର୍ଟ)