କନକ ବ୍ୟୁରୋ: କୁମ୍ଭମେଳାରେ ହୋଇଥିବା ଘଟଣାକୁ ନେଇ ଥମୁନି ଚର୍ଚ୍ଚା । କାରଣ ଦଳାଚକଟାରେ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ବି ହୋଇଛନ୍ତି । ବିରୋଧୀଙ୍କ ଅଭିଯୋଗ, ସଠିକ୍‌ ପରିଚାଳନ ନହେବା କାରଣରୁ ଏମିତି ଘଟଣା ଘଟିଲା । ସେପଟେ ସରକାରଙ୍କ କହିବା କଥା ସେଦିନ ପ୍ରାୟ ୭ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆସିଥିଲେ । ପ୍ରବଳ ମାତ୍ରାରେ ଭିଡ଼ ଲାଗିଥିଲା । ହଠାତ୍‌ ଦଳାଚକଟା ପରିସ୍ଥିତି ହେଲା । ଖବର ପାଇବା ମାତ୍ରେ ରାଜ୍ୟ ପ୍ରଶାସନର ମନ୍ତ୍ରୀ, ସିଏମ ଦପ୍ତର ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଇଏ ତ ଗଲା ସରକାର-ବିରୋଧୀ ଦଳ ଭିତରେ କାଦୁଅ ଫୋପଡା ରାଜନୀତି । ହେଲେ ମାମଲା ଯାଇ ଏବେ ପହଞ୍ଚିଛି ସୁପ୍ରିମକୋର୍ଟରେ । ପୁରା ଘଟଣାର ଶୁଣାଣି କରି ସର୍ବୋଚ୍ଚ ଅଦାଲତା ଯେଉଁ ଟିପ୍ପଣୀ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । 

Advertisment

ପ୍ରୟାଗରାଜ ଅଘଟଣ
ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ମୌନୀ ଅମବାସ୍ୟା ଦିନ ପ୍ରୟାଗରାଜରେ ଘଟିଥିବା ଦୁର୍ଘଟଣା ଲାଗି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ପୁରା ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଥିଲା । ଘଟଣାରେ ଅବଗତ ହେବା ପରେ ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ମାମଲାକୁ ନେଇ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
 
ସୁପ୍ରିମକୋର୍ଟ କହିଲେ, ମାମଲାକୁ ନେଇ ହାଇକୋର୍ଟ ଯାଅ

କମ୍ଭମେଳାରେ ହୋଇଥିବା ଅଘଟଣ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ବିଶାଳ ତିୱାରୀ ନାମକ ଜଣେ ବ୍ୟକ୍ତି । ହେଲେ ମାମଲାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଯିବାକୁ କୋର୍ଟ କହିଥିଲେ । ସୂଚନା ଅନୁସାରେ, ବିଶାଳ ପେଶାରେ ଜଣେ ଆଇନଜୀବୀ । ସିଏ ପୁଣି ସୁପ୍ରିମକୋର୍ଟର । ଜନସ୍ବାର୍ଥ ମାମଲାର ଉଦ୍ଦେଶ୍ୟ ଥିଲା, ଯେଉଁମାନେ ଏହି ଘଟଣା ଲାଗି ଦାୟୀ ସେମାନଙ୍କ  ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ମୃତକଙ୍କୁ ନ୍ୟାୟ ।

କୋର୍ଟଙ୍କ ପାଖରେ ରଖିଥିଲେ ବଡ଼ ଦାବି

କୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହେବା ପରେ ଏମିତି ବଡ଼ବଡ଼ ଉତ୍ସବର ଆୟୋଜନ ପୂର୍ବରୁ ମାର୍ଗଦର୍ଶିକା ଜାରି କରିବା ଲାଗି ଆବେଦନ ହୋଇଥିଲା । ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାରେ କେନ୍ଦ୍ର ସରକାର ଓ ଦେଶର ସମସ୍ତ ରାଜ୍ୟ ସହ କେନ୍ଦ୍ରଶାସିତ ଅଂଚଳକୁ ନେଇ ଏକ କମିଟି ହେଉ । ଏହାସହ ପ୍ରତି ରାଜ୍ୟରେ ଜନସୁବିଧା କେନ୍ଦ୍ର ଖୋଲାଯାଉ ବୋଲି ବିଶାଳ ଦାବି କରିଛନ୍ତି । 

କଣ ଥିଲା ପୂରା ମାମଲା ?

ମୌନୀ ଅମାବାସ୍ୟାରେ ପ୍ରୟାଗରାଜରେ ପ୍ରବଳ ମାତ୍ରାରେ ଗହଳି ଲାଗିଥିଲା । ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବାକୁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ହେଲେ ଦଳାଚକଟା ଶୁଣିବା ପରେ ସମସ୍ତେ ଭୟଭୀୟ ହୋଇପଡ଼ିଥିଲେ । କିନ୍ତୁ ଏତେ ବଡ଼ ଆୟୋଜନରେ ଏମିତି ଦଳାଚକଟା ସ୍ଥିତି କାହିଁକି ହେଲା ସେନେଇ ଚର୍ଚ୍ଚା ଓ ଆଲୋଚନା ଚାଲିଛି । 

ଅତ୍ୟଧିକ ଭିଡ଼, ଦୁର୍ଘଟଣାର କାରଣ ?

୧୪୪ ବର୍ଷ ପରେ ମହାକୁମ୍ଭ, ସେଦିନ ପୁଣି ଥିଲା ମୌନୀ ଅମାବାସ୍ୟା । ତେଣୁ ସଙ୍ଗମରେ ବୁଡ଼ ପକାଇବାକୁ ଭାରତର କୋଣ ଅନୁକୋଣରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା । ଖାଲି ଭାରତ ନୁହେଁ ବରଂ ବିଦେଶୀମାନେ ସଙ୍ଗମରେ ଏକାଠି ହୋଇଥିଲେ ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ । ଯେଉଁପରି ଭାବରେ ଦୁର୍ଘଟଣା ହେଲା ତାହାକୁ ନେଇ ଚର୍ଚ୍ଚା ହେଉଥିବା ଭିତରେ ଏନେଇ ସଂସଦରେ ବି ସରଗରମ ହୋଇଥିଲା ସ୍ଥିତି । ତେବେ ବିଶାଳ ହାଇକୋର୍ଟ ଯାଉଛନ୍ତି କି ନାହିଁ ତାହା ତ ସମୟ କହିବ । ହେଲେ ପ୍ରୟାଗରାଜ ଅଘଟଣକୁ ନେଇ ଚର୍ଚ୍ଚା ଥମୁନି ।