କନକ ବ୍ୟୁରୋ: ସଂସଦରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ମଧ୍ୟବିତ୍ତଙ୍କ ଲାଗି ଆୟକରରେ ବଡ଼ ରିହାତି ନେଇ ଘୋଷଣା କରିଛନ୍ତି । ହେଲେ ବଜେଟ୍ରେ ଦେଶର ସେମିତି କିଛି ଅଭିବୃଦ୍ଧି ହେବ ନାହିଁ ବୋଲି ବିରୋଧୀ କହୁଛନ୍ତି । ଖାସ କରି ନିର୍ବାଚନକୁ ନଜସରରେ ରଖି ବଜେଟ୍ ଉପସ୍ଥାପନ ହେଉଥିବା ଅଭିଯୋଗ ବି ହୋଇଛି । ଯେହେତୁ ବିହାରରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ଅଛି ତେଣୁ ସେହି ରାଜ୍ୟକୁ ଅଧିକ ଫୋକସ୍ରେ ରଖାଯାଇଛି । ଏହାରି ଭିତରେ କିନ୍ତୁ ପୂର୍ବତନ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ କଥା ମନେ ପଡିଛି । କାରଣ ଯେବେ ଦେଶ ମାନ୍ଦାବସ୍ଥା ଦେଇ ଗତି କରୁଥିଲା, ଆର୍ଥିକ ସ୍ଥିତି ସାଙ୍ଘାତିକ ପ୍ରଭାବିତ ହୋଇଥିଲା ସେହି ସମୟରେ ଅର୍ଥମନ୍ତ୍ରଣାଳୟର ଦାୟିତ୍ବ ନେଇ କିଛି ଏମିତି କରିଥିଲେ ମନମୋହନ , ଯାହା ଲାଗି ଆଜି ବି ତାଙ୍କୁ ଦେଶ ମନେ ପକାଉଛି ।
କଣ କରିଥିଲେ ମନମୋହନ ?
ସେତେବେଳେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ମାତ୍ର ୬ ଆରବ ଡଲାର ଥିଲା । ଯେତିକି ଟଙ୍କାରେ ମାତ୍ର ୨ ସପ୍ତାହ ଚଳିପାରିଥାଆନ୍ତା ଦେଶ । ମୁଦ୍ରାସ୍ପିତୀ ହାର ସାଙ୍ଘାତିକ ପ୍ରଭାବିତ ହୋଇଥିବା ବେଳେ ଡଲାର ତୁଳନାରେ ଭାରତୀୟ ଟଙ୍କା ପାଖାପାଖି ୧୮ ପ୍ରତିଶତ କମିଯାଇଥିଲା । ଆର୍ଥିକ ନିଅଣ୍ଟ ଜିଡିପିର ୮ ପ୍ରତିଶତ ଏବଂ ସେହି ସମୟରେ ୨.୫ ପ୍ରତିଶତ ପର୍ଯ୍ୟନ୍ତ ଖସିଯାଇଥିଲା । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ଅଶୋଧିତ ତୈଳର ମୂଲ୍ୟ ଆକାଶ ଛୁଆଁ ଥିଲା । ମୋଟ୍ ଉପରେ କହିବାକୁ ଗଲେ ଅର୍ଥବ୍ୟବସ୍ଥା ଦେବାଳିଆ ଅବସ୍ଥାରେ ଥିଲା । ସ୍ଥିତି ଏମିତି ହୋଇଥିଲା କି ଆଫ୍ରିକାରୁ ବି ଗରିବ ହୋଇଯାଇଥିଲା ଭାରତ । ୧୯୯୧ ମସିହାର ମାନ୍ଦାବସ୍ଥାର ପ୍ରଭାର ପୁରା ଦେଶରେ ପଡ଼ିଥିଲା । ଋଣ ଛାଡ଼ ଆଦି ଅନେକ ସମସ୍ୟା ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଥିଲା । କେମିତି ଏ ସ୍ଥିତିରୁ ଦେଶ ବାହାରିବ ସେନେଇ କୌଣସି ରାସ୍ତା ଦେଖାଯାଉନଥିଲା । ଆଉ ଅର୍ଥନୀତିକୁ ସଜାଡ଼ିବାକୁ ମନମୋହନଙ୍କ କାନ୍ଧରେ ଦାୟିତ୍ବ ଦିଆଗଲା । ସଂସଦରେ ବଜେଟ୍ ଉପସ୍ଥାପନ କରିବା ବେଳେ ଦେଶର ଅର୍ଥନୀତିକୁ ସୁଧାରିବାକୁ ପୁରା ପ୍ରସ୍ତୁତି ହୋଇଥିଲେ ମନମୋହନ । ଆଉ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଲାଗି ଆଜି ପୁରା ବିଶ୍ବରେ ଭାରତ ବିଶ୍ବର ତୃତୀୟ ଅର୍ଥବ୍ୟବସ୍ଥା ଅକ୍ତିଆର କରିଛି ।
କାହିଁକି ଭିନ୍ନ ଥିଲା ୧୯୯୧ ବଜେଟ୍
ସେଦିନ ଥିଲା ୧୯୯୧ ମସିହା ଜୁଲାଇ ୨୪ ତାରିଖ । ସଂସଦରେ ପହଞ୍ଚିବା ପରେ ଉପସ୍ଥାପନ କରିଥିଲେ ବଜେଟ୍ । ଯେତେବେଳେ ଦେଶ ଅର୍ଥନୀତିର ଶେଷ ଦୁଆରେ ପହଞ୍ଚିଯାଇଥିଲା ସେତେବେଳେ କେମିତି ଅର୍ଥନୀତି ରାସ୍ତା ମଜବୁତ ହେବ, ଦେଶର ଆର୍ଥିକ ସମସ୍ୟା ସୁଧୁରିବ ସେନେଇ ବଡ଼ ପ୍ଲାନ କରିଥିଲେ ମନମୋହନ । ସେଇଥି ଲାଗି ତ ସେଦିନ କେବଳ ଭାରତର ନୁହେଁ ବରଂ ପୁରା ଦେଶର ନଜର ରହିଥିଲା ମନମୋହନଙ୍କ ଉପରେ । ସେ ବି କାହାକୁ ନିରାଶ କରିନଥିଲେ ବରଂ ଏମିତି ବଜେଟ୍ ପ୍ରସ୍ତୁତ କରିଥିଲେ ଯେ ପୁରା ଦେଶର ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଅଣାଯାଇପାରିଥିଲା । ଉଦାରୀକରଣ ଓ ଲାଇସେନ୍ସ ପ୍ରକ୍ରିୟାରେ ଅନେକ ସୁଧାର ଆଣିଥିଲେ । ଦେଶର ଆର୍ଥିକ ସ୍ଥିତିକୁ ସୁଧାରକୁ ଆଣିବାକୁ କର୍ପୋରେଟ୍ ଟ୍ୟାକ୍ସକୁ ୪୦ ରୁ ୪୫ ପ୍ରତିଶତ ବୃଦ୍ଧି କରିଥିଲେ । ଠିକ୍ ସେମିତି ଦେଶର ଆମଦାନୀ ବିଲ୍ ହ୍ରାସ କରିବା ସହିତ ତାହା ମଧ୍ୟରୁ ୩୦୦ ପ୍ରତିଶତରୁ ୫୦ ପ୍ରତିଶତ ଟାକ୍ସ କମାଇଥିଲେ ।
ବିଶ୍ବ ପାଇଁ ଖୋଲିଲା ଭାରତୀୟ ବଜାର
ପୂର୍ବରୁ ବିଦେଶ କମ୍ପାନୀମାନେ ଭାରତରେ ଆସି ବେପାର ବାଣିଜ୍ୟ କରିବା କଷ୍ଟସାଧ୍ୟ ହେଉଥିଲା । ହେଲେ ମନମୋହନ ଅର୍ଥମନ୍ତ୍ରୀର ଦାୟିତ୍ବ ନେବା ପରେ ଏଥିରେ ବ୍ୟତିକ୍ରମ ଦେଖାଗଲା। ଅର୍ଥାତ୍ ବିଶ୍ବର ଅନେକ ଶିଳ୍ପ ଭାରତରେ ପ୍ରବେଶ କରିବାର ଅନୁମତି ପାଇଲା । ଘରୋଇ ବଜାରରେ ସାମଗ୍ରୀ ଶସ୍ତା ଓ ସହଜରେ ଉପଲବ୍ଧ କରାଇବା ପାଇଁ ସୀମା ଶୁଳ୍କକୁ ୨୨୦ ପ୍ରତିଶତରୁ ୧୫୦ ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା । ଉଦାରୀକରଣ, ଘରୋଇକରଣ ଓ ଗ୍ଲୋବାଲାଇଜେସନ୍ ଉପରେ ଅଧିକ ଫୋକସ କରିଥିଲେ ମନମୋହନ । ଖାଲି ଏତିକି ନୁହେଁ ବରଂ ବିଦେଶୀ କମ୍ପାନୀଙ୍କ ନିବେଶକୁ ବି ବଢାଇ ଦେଇଥିଲେ ।
।
ପୁରିଥିଲା ଆରବିଆଇ ଭଣ୍ଡାର
ଯେଉଁ ସମୟରେ ଆରବିଆଇର ବିଦେଶୀ ମୁଦ୍ରା ଭଣ୍ଡାର ସରିବାକୁ ବସିଥିଲା ସେହି ସମୟରେ ମନମୋହନ ଆଇବିଆଇ ପାଇଁ ସଞ୍ଜୀବନି ସାଜିଥିଲେ । ସେଇଥି ଲାଗି ତ ବ୍ୟାଙ୍କ ଅଫ୍ ଇଂଲଣ୍ଡରୁ ୬୦ କୋଟି ଡଲାରର ସୁନା ମଗାଇଥିଲେ । ଯାହାଦ୍ବାରା ଭାରତରେ ଅନେକ ବିଦେଶୀ କମ୍ପାନୀ ନିବେଶ କରିବାର ସୁଯୋଗ ପାଇଥିଲେ ଏବଂ ଏଠାରେ ହିଁ ଉତ୍ପାଦନ ଆରମ୍ଭ କରିଥିଲେ । ଏମିତି ପ୍ଲାନ ଦ୍ବାରା ଭାରତର ଅର୍ଥନୀତି ନୂଆ ଦିଗ ପାଇଥିଲା । ଧୀରେ ଧୀରେ ଲୋକଙ୍କ ପାଖରେ ପଇସା ବଢିବାକୁ ଲାଗିଲା । ସେଦିନ ମନମୋହନ ନେଇଥିବା ନିଷ୍ପତ୍ତି ପାଇଁ ଆଜି ବି ଦେଶର ଅର୍ଥନୀତି ଟ୍ରାକ୍ରେ ରହିଛି । ତେଣୁ ଆଜି ବି ଯେବେ ଅର୍ଥନୀତିର ମାନ୍ଦାବସ୍ଥା କଥା ସାମ୍ନାକୁ ଆସେ ପ୍ରଥମେ ମନମୋହନଙ୍କ କଥା ହିଁ ମନେ ପଡ଼େ ।