କନକ ବ୍ୟୁରୋ: ବଜେଟ୍କୁ ନେଇ କମ୍ପିଲା ଗୃହ । ମୁହାଁମୁହିଁ ହେଲେ ଶାସକ-ବିରୋଧୀ । ଗତ ଶନିବାର କେନ୍ଦ୍ର ସରକାର ଗୃହରେ ବଜେଟ୍ ଉପସ୍ଥାନ କରିଥିଲେ । ଏଥିରେ ମଧ୍ୟବିତ୍ତଙ୍କୁ ଖୁସି କରିବା ପରି ବଜେଟ୍ ଥିଲା ବୋଲି ଶାସକ ଦଳର ନେତା କହିଛନ୍ତି । ହେଲେ ବଜେଟ୍ରେ ବିହାର ଲାଗି ଯେଉଁପରି ଭାବରେ ଅନୁକମ୍ପା ଦେଖାଇଛନ୍ତି ମୋଦି ସରକାର ତାହାକୁ ନେଇ ବିରୋଧୀ ନାଖୁସ । ଖାଲି ଖୁସି ନାହାନ୍ତି ତାହା ନୁହେଁ ବରଂ ଜୋରଦାର ବର୍ଷିଛନ୍ତି । କହିଛନ୍ତି, ଯେଉଁ ରାଜ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟ ଲାଗି ବଜେଟ୍ ତିଆରି ହେଉଛି । ଏଥିରେ ଦେଶର ବିକାଶ ହେବ ନାହିଁ ।
ସେଦିନ ବି ନିର୍ମଳା ବଜେଟ୍ ଉପସ୍ଥାପନ କରିବା ବେଳେ ବିରୋଧୀ ନାରାବାଜି କରିଥିଲେ । ହେଲେ ନିର୍ମଳା କେନ୍ଦ୍ର ସରକାରଙ୍କ ଗୋଟିଏ ପରେ ଗୋଟିଏ ଯୋଜନା ସମ୍ପର୍କରେ କହିବା ସହିତ ଦେଶର ବିକାଶକୁ ମୋଦି ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ । ହେଲେ ଆଜି ଗୃହରେ ବଜେଟ୍କୁ ନେଇ ଯେତିକି ସରଗରମ ହୋଇନି ବରଂ କୁମ୍ଭମେଳାରେ ହୋଇଥିବା ଅଘଟଣକୁ ନେଇ ସେତିକି ସରଗରମ ହୋଇଛି । ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହରେ ପ୍ରବେଶ କରିବା କ୍ଷଣି କୁମ୍ଭମେଳା ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଦାବି କରିଥିଲେ ବିରୋଧୀ ଦଳ । ଟେବୁଲକୁ ଜୋରଦାର ବାଡେଇ ବି ଥିଲେ । ଏମିତି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ବାଚସ୍ପତି କହିଥିଲେ, ଜନତା ଆପଣଙ୍କୁ ଟେବୁଲ ବାଡ଼େଇବାକୁ ଏଠାକୁ ପଠାଇନାହାନ୍ତି ।
ରାଗିଗଲେ କି ଓମ ବିର୍ଲା ?
ବିରୋଧୀଙ୍କୁ ଦେଲେ ସ୍ପଷ୍ଟ ଟିପ୍ପଣୀ
କୁମ୍ଭରେ ହୋଇଥିବା ଅଘଟଣକୁ ନେଇ ସରକାରକୁ ଘେରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ । ସେଇଥି ଲାଗି ତ ଗୃହ ଆରମ୍ଭ ହେବା ମାତ୍ରେ ସଙ୍ଗେ ସଙ୍ଗେ କୁମ୍ଭମେଳା ଅଘଟଣ ଆଲୋଚନା ପାଇଁ ଅଡ଼ି ବସିଥିଲେ । ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଭିତରେ ପ୍ରଶ୍ନକାଳ ଚଳାଇବାକୁ ଅନୁମତି ଦେଇଥିଲେ ଲୋକସଭା ବାଚସ୍ପତି । ଏହାସହ କହିଥିଲେ, କୁମ୍ଭରେ ହୋଇଥିବା ଅଘଟଣ ପାଇଁ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି । ନିଜ ଅଭିଭାଷଣରେ ଏହାକୁ ସାମିଲ ବି କରିଛନ୍ତି । ଯେଉଁମାନେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି ସେମାନେ ଧନ୍ୟବାଦ ପ୍ରସ୍ତାବରେ ଆଲୋଚନା କରିପାରିବେ ବୋଲି ଲୋକସଭା ଅଧ୍ୟକ୍ଷ କହିଛନ୍ତି ।
ସରକାରଙ୍କୁ ପ୍ରଶ୍ନ କରିବାକୁ ବିରୋଧୀଙ୍କୁ ଅପିଲ
ୱେଲ ଭିତରକୁ ଚାଲିଆସିଲେ ବିରୋଧୀ
ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏତିକି ବେଳେ ପ୍ରଶ୍ନକାଳରେ ସାମିଲ ହେବା ଲାଗି ବାଚସ୍ପତି ବିରୋଧୀଙ୍କୁ ଅପିଲ କରିଥିଲେ । ଖାଲି ଏତିକି ନୁହେଁ ବରଂ ଆପଣ ସରକାରଙ୍କୁ ପ୍ରଶ୍ନ କରିବାକୁ ଚାହୁଁନାହାନ୍ତି କି ବୋଲି ପ୍ରଶ୍ନ ବି କରିଥିଲେ । କିନ୍ତୁ ବିରୋଧୀ ପ୍ରୟାଗରାଜ ଅଘଟଣ ଆଲୋଚନା ଲାଗି ଦାବି କରିଥିଲେ । ପରେ ପରେ ଗୃହର ମଧ୍ୟଭାଗକୁ ଆସି ଜୋରଦାର ନାରିବାଜି କରିଥିଲେ । ଏହାପରେ ଅଧ୍ୟକ୍ଷ କହିଥିଲେ, ପ୍ରତି ସଦସ୍ୟଙ୍କ ଗୃହରେ ମୂଲ୍ୟବୋଧ ବହୁ ଅଧିକ । ତେଣୁ ମୂଲ୍ୟବାନ ସମୟରେ ଜନତାଙ୍କ ବିକାଶ ଲାଗି ଆଲୋଚନା ଲାଗି ଅପିଲ କରିଥିଲେ ଓମ୍ ବିର୍ଲା । ସେପଟେ, କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ କହିଥିଲେ, ବିରୋଧୀ ସରକାରଙ୍କୁ ପ୍ରଶ୍ନ ପଚାରିବାର ମୌକା ହାତଛଡ଼ା କରୁଛନ୍ତି । ହେଲେ ଜନତା ମୌକା ହାତଛଡ଼ା କରିବେ ନାହିଁ । ନିଜ ନିର୍ବାଚନ କ୍ଷେତ୍ରକୁ ଗଲେ ନିଶ୍ଚିତ ପ୍ରଶ୍ନବାଣରେ ବିରୋଧୀ ନେତା ଘାଇଲା ହେବେ ।
ଜନତା କହିନାହାନ୍ତି ଟେବୁଲ ବାଡ଼େଇବାକୁ
ଗୃହରେ ପ୍ରବଳ ହଟ୍ଟଗୋଳ ଭିତରେ ବାରମ୍ବାର ଟେବୁଲ ବାଡେଇଥିଲେ ବିରୋଧୀ ନେତା । ଯାହାକୁ ନାପସନ୍ଦ କରିଥିଲେ ବାଚସ୍ପତି । କହିଥିଲେ, ଜନତା ଆପଣଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ପଠାଇଛନ୍ତି । ସେମାନଙ୍କ ବିଶ୍ବାସ ରହିଛି ଆପଣମାନେ ବିକାଶ କରିବେ । ହେଲେ ଆପଣମାନେ ଏଠାରେ ଯେଉଁପରି ଭାବରେ ଟେବୁଲ ବାଡାଉଛନ୍ତି ତାହା ଗଣତନ୍ତ୍ର ଲାଗି ଆଦୌ ଶୁଭଙ୍କର ନୁହେଁ । ଏହାସହ ସେ କହିଛନ୍ତି, ଯଦି ଆପଣଙ୍କ ନିର୍ବାଚନମଣ୍ଡଳିର ଜନତା ଆପଣଙ୍କୁ ଟେବୁଲ ବାଡେଇବା ଲାଗି କହିଛନ୍ତି ତାହାଲେ ଆପଣ ନିନ୍ଦ୍ବନ୍ଦ୍ବରେ କରନ୍ତୁ ।
ମୋଟ୍ ଉପରେ କୁମ୍ଭରେ ଘଟିଥିବା ଦୁର୍ଘଟଣା ଲାଗି ପୁରା ଦେଶରେ ଶୋକର ଛାୟା ଦେଖିବାକୁ ମିଳିଥିଲା । ହେଲେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଯେଉଁପରି ଭାବରେ ରାଜନୀତିର ରୁଟି ସେକିବାକୁ ଚେଷ୍ଟା କରୁଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।