କନକ ବ୍ୟୁରୋ: ଭୋଟ୍‌ ଦେଉଛି ଦିଲ୍ଲୀ । ୭୦ ବିଧାନସଭା ଆସନ ଲାଗି ଚାଲିଛି ଭୋଟିଂ । ଏଥର ଦିଲ୍ଲୀକୁ ନେଇ ବେଶୀ ଚର୍ଚ୍ଚା । କାରଣ ଏଥର ହାଇଭୋଲଟେଜ୍‌ ପ୍ରଚାର ସହିତ ହାଇଭୋଲଟେଜ୍‌ ଭୋଟିଂ ବି ଚାଲିଛି । ଖାସ କରି ଆପ୍‌ ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହେବ । ଯେହେତୁ ନିର୍ବାଚନ ପ୍ରଚାର ସମୟରେ ଉଭୟ ଦଳର ଶୀର୍ଷ ନେତା ପରିସ୍ପରକୁ ଟାର୍ଗେଟ୍‌ କରିଥିଲେ, ଆକ୍ଷେପ ପ୍ରତି ଆକ୍ଷେପ ରାଜନୀତି ବି କରିଥିଲେ । ତେଣୁ ଏଥର ତୃତୀୟଥର କ୍ଷମତାକୁ ଆପ୍‌ ଫେରୁଛି ନା ବିଜେପି ହାତରେ ଶାସନ ଡୋରି ରହୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । 

Advertisment

ଦିଲ୍ଲୀ ଜଙ୍ଗ ଜିତିବ କିଏ
ବିଜେପି-ଆପ୍‌ ନା କଂଗ୍ରେସ

ଦେଶର ରାଜଧାନୀ ଦିଲ୍ଲୀ । ତେଣୁ ରାଜଧାନୀକୁ କବଜା କରିବା ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ହେଉଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ନେତା ଓ କର୍ମୀ ଗ୍ରାଉଣ୍ଡରେ ପହଞ୍ଚି ଦଳ କଣ କରିଛି, ଆଗାମୀ ଦିନରେ କଣ କରିବ ସେନେଇ ବି ଆଲୋଚନା କରିଥିଲେ । ଖାସ କରି ଦୁଇଦୁଇ ଥର ଶାସନ କ୍ଷମତାରେ ଥିବା ଆପ୍‌ ଲଗାତାର କ୍ଷମତା ହାତେଇବା ଲାଗି ଅନେକ ପ୍ରକାର ଯୋଜନା କରିଛି । ମାଗଣା ବିଜୁଳି, ମାଗଣା ବସ୍‌ ସେବା ସହିତ ମାଗଣା ପାଣି ତ ଦେଉଛି । ଏହାପରେ ଏସନ ମହିଳାଙ୍କୁ ଫୋକସ୍‌ କରି ମାସିକ ଭତ୍ତା ଘୋଷଣା କରିବା ସହିତ ବ୍ରାହ୍ଣଣଙ୍କ ଲାଗି ଯୋଜନା ବି କରିଛନ୍ତି । ଖାଲି ଏତିକି ନୁହେଁ ବରଂ ଏଥର ଅଧିକ ଆକ୍ରମଣାତ୍ମକ ହୋଇଥିଲେ କେଜ୍ରିୱାଲ । ମୋଦିଙ୍କୁ ଟାର୍ଗେଟ୍‌ କରିବାକୁ ଯାଇ କହିଥିଲେ, ବିଜେପି ଦେଶର କେବେ ବିକାଶ କରିବ ନାହିଁ । ଦିଲ୍ଲୀରେ ଶାସନକୁ ଫେରିବା ପରେ ସବୁ ଯୋଜନା ବନ୍ଦ କରିଦେବ । ବସ୍ତିଘର ଭାଙ୍ଗିଦେବ । ଗରିବ ଲୋକମାନେ ଋଣ ବୋଝରେ ବୁଡ଼ିବେ । କିଛି ଏମିତି କହି ଜୋରଦାର ଆଟାକ୍‌ କରିଥିଲେ କେଜ୍ରିୱାଲ । ସେପଟେ, କାଉଣ୍ଟର ଆଟାକ୍‌ କରି ମୋଦି କହିଥିଲେ । କେଜ୍ରିୱାଲ ୧୧ ବର୍ଷ ରହିଲେ କିନ୍ତୁ କାମ କଲେନି ।

ଆପ୍‌-ବିଜେପି ମୁହାଁମୁହିଁ

କେଜ୍ରିୱାଲଙ୍କୁ ଆଟାକ୍‌ କରି ମୋଦି କହିଛନ୍ତି, ଦିଲ୍ଲୀରେ ଲଗାତାର ଦ୍ବିତୀୟ ଥର ଲାଗି ଯିଏ ଶାସନ କଲା ସେମାନେ କିଛି କରିନାହାନ୍ତି । ୧୧ ବର୍ଷ ହେଲା ସେମାନେ କିଛି ବିକାଶ କରିନାହାନ୍ତି । କେବଳ ଯୋଜନା କରିବା ନାଁରେ ହରିଲୁଟ୍‌ କରିଛନ୍ତି । ବସ୍ତି ଲୋକଙ୍କ ଘର ଭାଙ୍ଗିବା ନେଇ ମିଛ ଗୁଜବ ସୃଷ୍ଟି କରାଯାଉଛି । କିନ୍ତୁ ମୁଁ ଜନତାଙ୍କୁ ପ୍ରତିଶ୍ରୁତି ଦେଉଛି, ବିଜେପି ସରକାରକୁ ଆସିଲେ ବସ୍ତି ଘର ଭଙ୍ଗାଯିବନି ବରଂ ବିକାଶ ହେବ । ଦିଲ୍ଲୀ ଦେଶର ରାଜଧାନୀ । ତେଣୁ ଏହା ଉପରେ ସମସ୍ତଙ୍କ ନଜର ଥାଏ । ପ୍ରତି ରାଜ୍ୟର ଲୋକ ଏଠାରେ ରୁହନ୍ତି । ଏଥର ଆପଣମାନେ ଡବଲ ଇଞ୍ଜିନ ସରକାର କରନ୍ତୁ, ଦେଖିବେ ବିକାଶ କେମିତି ହେବ ।

ବାଜି ମାରିବ କିଏ ?

ଇଏ ତ ଗଲା ବିଜେପି ଓ ଆପ୍‌ର କଥା । ଅବଶ୍ୟ କଂଗ୍ରେସ ପୂର୍ବାପେକ୍ଷା ଏଥର ଅଧିକ ପ୍ରଚାର କରିଛି । ହେଲେ ଏହି ଦୁଇ ଦଳ ପରି ଏତେଟା ଆକ୍ରମଣାତ୍ମକ ହୋଇନଥିବାରୁ ସତ୍ତାକୁ ଫେରିବା କଂଗ୍ରେସ ଲାଗି କଷ୍ଟକର ବୋଲି କୁହାଯାଉଛି । ଅବଶ୍ୟ କିଏ କାହାକୁ ଭୋଟ୍‌ ଦେଉଛି, କିଏ ନିର୍ବାଚନ ଜିତିଛୁ ତାହା ତ ସମୟ କହିବ । ହେଲେ ଦିଲ୍ଲୀ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି । ଏପଟେ ଭୋଟିଂ ବଢାଇବା ଲାଗି ବିଶେଷ ରିହାତିର ଘୋଷଣା କରାଯାଇଛି । ଯେଉଁମାନେ ଭୋଟ୍‌ ଦେବେ ସେମାନେ ସ୍ପା, ସେଲୁନ୍‌ ଓ ରେସ୍ତୋରାଁରେ ରିହାତି ପାଇବେ । ଏହି ବିଶେଷ ଅଫରର ଫାଇଦା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି ।