ଦୁଇ ମାସର ବୈବାହିକ ଜୀବନକୁ ସାରିଦେଲା ସାପ, ସ୍ୱାମୀ ବୋଲବମ୍ ପାଣି ନେଇ ଯାଇଥିବା ବେଳେ ସାପ କାମୁଡାରେ ସ୍ତ୍ରୀ ମୃତ

766

କନକ ବ୍ୟୁରୋ : ପାଦରୁ ଅଳତା ଲିଭିନି, କିନ୍ତୁ ଜୀବନ ଦୀପ ଲିଭିଗଲା । ସ୍ୱାମୀ ବୋଲବମ୍ ପାଇଁ ପାଣି ଭାର ନେଇ ଯାଇଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ବିବାହ ମାତ୍ର ଦୁଇ ମାସରେ ସାପ କାମୁଡାରେ ଚାଲି ଯାଇଛି ନବବଧୂର ଜୀବନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଆଇତି ଗାଁରେ ଏମିତି ଏକ ଦୁଃଖର ଘଟଣା ଘଟି ଯାଇଛି । ଗାଁର ସୁଜିତ୍ ମଲ୍ଲିକଙ୍କ ପତ୍ନୀ ସୀମା ମଲ୍ଲିକ, ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକ ଡାକ୍ତରଖାନକୁ ନେଇଥିଲେ । ହେଲେ ଡାକ୍ତରଖାନାରେ ପହଂଚିବା ଆଗରୁ ସୀମାଙ୍କ ମୃତ୍ୟୁ ହୋଇଯାଇଛି । ସ୍ୱାମୀ ସୁଜିତ୍ ବୋଲବମ ପାଇଁ ପାଣି ଭାର ନେଇ ଯାଇଥିବା ବେଳେ ସ୍ତ୍ରୀଙ୍କୁ ସାପ କାମୁଡିବା ଖବର ପାଇଥିଲେ । ଅଧବାଟରୁ ସେ ଘରକୁ ଫେରି ଆସିଛନ୍ତି । ହେଲେ ସେ ଘରେ ପହଂବା ବେଳକୁ ସୀମାଙ୍କ ମୃତ୍ୟୁ ହୋଇ ସାରିଛି । ପାଦରୁ ଅଳତା ଲିଭନଥିବା ବେଳେ ସାପ କାମୁଡାରେ ନବବଧୂର ଜୁଇ ଜଳିଛି । ଘର କାନ୍ଥରେ ବିବାହ ଚିତା ମଳିନ ପଡିନି, କିନ୍ତୁ ବୈବାହିକ ଜୀବନରେ ଭଟା ପଡିଛି । ସୀମାଙ୍କୁ ନେଇ ସୁଜିତ୍ ସଂସାର କରିବା ଆଗରୁ ମଶାଣିରେ ସୀମାଙ୍କ ଶେଷକୃତ୍ୟ ସଂପନ୍ନ ହୋଇ ସାରିଛି । ସେପଟେ ଗାଁର ଜଣେ ଯୁବକ ସାପଟିକୁ ଧରି ଏକ ଡବାରେ ଭର୍ତି କରି ରଖିଛନ୍ତି ।