ବିଧାୟକ ଭାବେ ଶପଥ ନେଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ବିଧାନସଭାରେ ବାଚସ୍ପତି କରାଇଲେ ଶପଥ ପାଠ । 

186

କନକ ବ୍ୟୁରୋ: ବିଧାୟକ ଭାବେ ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଆଜି ବିଧାନସଭାରେ ସେ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିଧାନସଭାର ବାଚସ୍ପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ସମୟରେ ବିରୋଧୀ ଦଳ ନେତାଙ୍କ ସହ ବିଜେପିର ନେତାମାନେ ଉପସ୍ଥିତ ଥିଲେ ।

ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା । ଯେଉଁଥିରେ ବିପୁଳ ଭୋଟ୍ ପାଇଁ ବିଜୟୀ ହୋଇଥିଲେ ସୂର୍ଯ୍ୟବଂଶୀ ସୁରଜ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପାଖାପାଖି ୧୦ ହଜାର ଭୋଟ୍ ବ୍ୟବଧାନରେ ହରେଇଥିଲେ ସୁରଜ । ଏହାପରେ ଆଜି ସେ ବିଧାନସଭା ଆସି ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ।

ଅନ୍ୟପଟେ ଆଜି ସୁରଜଙ୍କୁ ବିଜେପି କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଯେଉଁଠି କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପ୍ରଭାରୀମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁରଜ କହିଥିଲେ, ବିଧାନସଭା ଯିବା ତାଙ୍କ ପାଇଁ ନୂଆ ଅନୁଭୂତି । ବାପାଙ୍କ ଦେହାନ୍ତ ପରେ ଅତ୍ୟନ୍ତ ଦୁଃଖଦ ସମୟରେ ସେ ନିର୍ବାଚନ ଲଢିଥିଲେ । ଖାଲି ସେତିକି ନୁହେଁ, ଧାମନଗରବାସୀ ତାଙ୍କୁ ତାଙ୍କ ପରିବାର ଭାବେ ଗ୍ରହଣ କରିଥିବାରୁ ସେ ଧାମନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।