କନକ ବ୍ୟୁରୋ :ଆସନ୍ତାକାଲି ନୂଆବର୍ଷ । ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ଓ ଏହାକୁ ନୂଆ ରୂପ ଦେବା ପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି । ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଆଗରେ ଶ୍ରୀକ୍ଷେତ୍ରକୁ ଏକ ନୂଆ ରୂପକୁ ଉପସ୍ଥାପନ ପାଇଁ ସମସ୍ତ ପ୍ରୟାସ କରାଯାଇଛି । ଏବେ ପୁରୀକୁ ଆସୁଥିବା ଭକ୍ତ ଏକ ସୁନ୍ଦର ଅନୁଭବ ନେଇ ଫେରିବେ, ଏଥି ପାଇଁ ଚାଲିଛି ସବୁ ପ୍ରକାର ପ୍ରସ୍ତୁତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାର ଓ ପ୍ରଶାସନର ପ୍ରସ୍ତୁତି ପରେ ଏବେ ଶ୍ରୀମନ୍ଦିର ଝଟକୁଛି। ଏହା କେବଳ ନୂଆବର୍ଷ ପାଇଁ ନୁହେଁ, ସିଂହଦ୍ବାର ସମ୍ମୁଖ ଚିତ୍ରକୁ ଦେଖିଲେ ପୁରୀ ଚିତ୍ରର ନୂଆ ରୂପ କିଭଳି ହେବ ତାହା ଭକ୍ତ ସହଜରେ ଆକଳନ କରିପାରୁଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଶ୍ରୀମନ୍ଦିର ସିଂହଦ୍ବାର ଦୃଶ୍ୟ ଦେଖି ଚମକପଦ ଅନୁଭୂତି ନେଇ ଫେରୁଥିବା ମତ ରଖିଛନ୍ତି। ଯେଉଁ ସିଂହଦ୍ବାରରେ ପାଦ ଥୋଇବାକୁ ଜାଗା ନ ଥିଲା, ସେଠି ଏବେ ଭକ୍ତ ଖୋଲାରେ ବିଚରଣ କରୁଛନ୍ତି। ଉଠା ଦୋକାନୀ ଭିକ୍ଷୁକଙ୍କ ପାଦୁର୍ଭାବ ଆଉ ନାହିଁ।
ଆକର୍ଷଣୀୟ ଢଙ୍ଗରେ ଏକ ଅତ୍ୟାଧୁନିକ ସେଡ୍ ନିର୍ମାଣ କରାଯାଇଛି । ଫୁଲ କୁଣ୍ଡ ଓ ଗଛରେ ବଡଦାଣ୍ଡକୁ ସଜାଇ ଦିଆଯାଇଛି । ସେଡ୍ରେ ମଧୁର ଅନୁଭବ ପାଇଁ ଭଜନ ବ୍ୟବସ୍ଥା କରାଯାଇଛି । ସାଉଣ୍ଡ ବକ୍ସ ଲଗାଯାଇଛି। ଭକ୍ତଙ୍କ ଉପରେ ନଜର ରଖିବାକୁ ସିସି କ୍ୟାମେରା ଖଂଜାଯାଇଛି । ବଡଦାଣ୍ଡରେ ସୁନ୍ଦର ଝୋଟି ସହ ବଡଦାଣ୍ଡ ସମ୍ମୁଖକୁ ଧଳା ଓ ଢାଉ ରଙ୍ଗରେ ସଜାଯାଇଛି। କେବଳ ସେତିକି ନୁହେଁ ସିଂହଦ୍ବାର ସମ୍ମୁଖରେ ଭକ୍ତଙ୍କ ପାଦ ପ୍ରକ୍ଷାଳନ ପାଇଁ ସ୍ବୟଂଚାଳିତ ପାଣି ମେସିନ୍ ଲଗାଯାଇଛି। ଯଦ୍ବାରା ଶ୍ରୀମନ୍ଦିର ଭିତରକୁ ଯାଉଥିବା ଭକ୍ତମାନଙ୍କୁ ଆଉ ପାଦ ଧୋଇବାକୁ ଦୂରକୁ ଯିବାକୁ ପଡ଼ିବନି। ଯେଉଁ ଭକ୍ତମାନେ ଧାଡ଼ିରେ ଯିବେ, ସମସ୍ତଙ୍କ ପାଦ ଏହି ସ୍ବୟଂଚାଳିତ ଯନ୍ତ୍ରରେ ଧୋଇ ହୋଇଯିବ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଶ୍ରୀମନ୍ଦିର ଶୋଭା ବଢ଼ାଇବା ପାଇଁ ସିଂହଦ୍ବାର ସମ୍ମୁଖରେ ଫାଇବରର ସୁନ୍ଦର ଆକୃତି ବାରିକେଡ୍ ପ୍ରସ୍ତୁତ କରାଯାଇଛି। ଲୁହାର ବାରିକେଡ୍ କଡ଼ରେ ଭକ୍ତଙ୍କ ବସିବା ପାଇଁ ବି ବ୍ୟବସ୍ଥା ବି ହୋଇଛି। ଅନ୍ୟପଟେ ୩ ହଜାରରୁ ଅଧିକ ଭକ୍ତ ଜୋତା ଓ ମୋବାଇଲ୍ ରଖିବା ପାଇଁ ଷ୍ଟାଣ୍ଡ୍ କାମ ଚାଲିଛି। ସେପଟେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ନୂଆ ସେଡକୁ ଲାଗି ଏକାଧିକ ବାରିକେଡ ବ୍ୟବସ୍ଥା କରାଯାଇଛି। ସାମଗ୍ରିକ ଭାବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ସୁରକ୍ଷା କରିଡର ପରେ ପୁରୀର ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି। ସରକାର ଓ ପ୍ରଶାସନର ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି।