ଦିଲ୍ଲୀ ସରକାରଙ୍କୁ ବଡ ଝଟକା, କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଜଗନ ମୋହନଙ୍କ ପାର୍ଟି ଦେବ ସମର୍ଥନ

441

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ସଂସଦର ଉଭୟ ଗୃହରେ ସହଜରେ ପାରିତ ହୋଇଯିବ ବୋଲି ଅନୁମାନ କରାଯାଇଛି । ଲୋକସଭାରେ ଏନଡିଏର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ବିଲକୁ ସମର୍ଥନ ଜଣାଇ ପାରନ୍ତି  ୱାଇଏସଆର କଂଗ୍ରେସ । ପାର୍ଟିର ଜଣେ ବରିଷ୍ଠ ନେତା ଏହି ବିଧେୟକ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି ।

ସେହିଭଳି କଂଗ୍ରେସ ତରଫରୁ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ସରକାରଙ୍କୁ ସମର୍ଥନ ଦେଇଛି । ୱାଇଏସଆର କଂଗ୍ରେସ ପାର୍ଟିର ରାଜ୍ୟସଭାରେ ୯ ଜଣ ଓ ଲୋକସଭାରେ ୨୨ ଜଣ ସାଂସଦ ରହିଛନ୍ତି । ଯଦି ୱାଇଏସଆର କଂଗ୍ରେସ ରାଜ୍ୟସଭାରେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରେ ତେବେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶକୁ ସହଜରେ ପାରିତ କରିନେବେ ।

ୱାଇଏସଆର କଂଗ୍ରେସ ନେତା ବିଜୟସାଇ ରେଡ୍ଡୀ କହିଛନ୍ତି କି ତାଙ୍କ ପାର୍ଟି ଅବିଶ୍ୱାସ ପ୍ରସ୍ତାବ ଓ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବ । ଏନେଇ ଦଳର ସାଂସଦମାନଙ୍କୁ ମଧ୍ୟ ଅବଗତ କରାଯାଇଥିବା କଥା ସେ କହିଛନ୍ତି । ସେହିଭଳି  ରାଜ୍ୟସଭାରେ ୯ଜଣ ସାଂସଦ ଥିବା ବିଜୁ ଜନତା ଦଳ ବି ଦିଲ୍ଲୀ ଅଧ୍ୟାଦେଶ ଓ ଅବିଶ୍ୱାସ ପ୍ରସ୍ତାବ ଉପରେ କେନ୍ଦ୍ର ସରକାରକୁ ସମର୍ଥନ ଜଣାଇପାରେ । ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟମତ ରଖି ନାହାଁନ୍ତି ।