ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ବଂଶବୃଦ୍ଧି ଯୋଜନା : ଏକାକୀ ଥିବା ପଶୁପକ୍ଷୀଙ୍କ ବଂଶବୃଦ୍ଧି କରିବା ଲକ୍ଷ୍ୟ

143

କନକ ବ୍ୟୁରୋ : ନନ୍ଦନକାନନରେ ଏକାକୀ ଓ ଜୀବନସାଥୀ ବିନା ରହିଥିବା ଜୀବଜନ୍ତୁଙ୍କ ବଂଶ ବୃଦ୍ଧିି ଯୋଜନା କରାଯାଇଛି । ପଦକ୍ଷେପ ସ୍ୱରୂପ ହାଇଦ୍ରାବାଦର ଜନ ଗ୍ରୋଭର୍ସ ଫାର୍ମରୁ ଏକ ହଳ ସୂବର୍ଣ୍ଣ ହାତ ତାମାରିନ ମାଙ୍କଡ ଓ ଏକହଳ ଗୁଣ୍ଡୁଚି ମାଙ୍କଡଙ୍କୁ ନନ୍ଦନକାନନକୁ ଅଣାଯାଇଛି । ଏହି ଦୁଇ ପ୍ରଜାତିର ୪ ମାଙ୍କଡଙ୍କୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର କ୍ୱାରେନଣ୍ଟାଇନରେ ରଖାଯାଇଛି ।

ଏମାନଙ୍କୁ କ୍ୱାରେନଣ୍ଟାଇନରେ ମାସେ ରଖାଯିବା ପରେ ଖୁଆ ଭିତରକୁ ଅଣାଯାଇ ବଂଶ ବୃଦ୍ଧି ଲାଗି ପଦକ୍ଷେପ ନିଆଯିବ ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏକାକୀ ତଥା ଜୀବନସାଥୀ ବିନା ନନ୍ଦନକାନନରେ ରହିଥିବା ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ଯୋଜନା ପାଇଁ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଏହି ପ୍ରଜାତିର ମାଙ୍କଡ଼ଙ୍କୁ ଏଠାକୁ ଅଣାଯାଇଛି ବୋଲି ସେ କହିଛନ୍ତି ।

ପୂର୍ବରୁ ନନ୍ଦନକାନନରେ ମାତ୍ର ଗୋଟିଏ ସୁନେଲି ହାତିଆ ତାମାରିନ୍‌ ଥିଲା । ଏବେ ଆଉ ୨ଟି ଆସିବା ଫଳରେ ଏଠାରେ ତାମାରିନ୍‌ଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିଭଳି ନୂଆ ଅତିଥି ଭାବେ ଯୋଡ଼ି ହୋଇଥିବା ୨ ଗୁଣ୍ଡୁଚି ମାଙ୍କଡ଼ଙ୍କୁ ମୋଟ୍ ୫ ଅଛନ୍ତି । ନନ୍ଦନକାନନରେ ସାଥୀ ନଥିବା, ବଂଶ ଲୋପ ପାଇଥିବା ଓ କେତେକ ନୂତନ ପ୍ରଜାତିକୁ ମିଶାଇ ୨୪ ପ୍ରଜାତିର ପ୍ରାଣୀଙ୍କୁ ନନ୍ଦନକାନନ ଆଣିବାକୁ ଯୋଜନା କରାଯାଇଛି ବୋଲି ଉପନିର୍ଦ୍ଦେଶକ କହିଛନ୍ତି ।

ସେହି ଜୀବ ତାଲିକାରେ ଅଛନ୍ତି କାସ୍ୱାରି, ଅଷ୍ଟ୍ରିଚ୍, ହଳଦି ପିଠିଆ ଲରି, ଇଗୁଆନା, କମନ୍‌ ମାମୋସେଟ୍‌ ମାଙ୍କଡ଼, ଟଫ୍‌ଟେଡ୍‌ ମାମୋସେଟ୍‌, ମିର୍‌କ୍ୟାଟ୍‌, ଅମ୍ବ୍ରେଲା କକାଟୋ, ଲେସର୍‌ ସଲ୍‌ଫେର କ୍ରାଷ୍ଟେଡ୍‌ କକାଟୋ, ବାର୍‌ବରି ଡୋଭ୍‌, ଷ୍ଟାର୍‌ ଫିଞ୍ଚ୍‌, ହୀରକ କପୋତ, ଲମ୍ବା ଲାଞ୍ଜିଆ ଫିଞ୍ଚ୍‌, ରିଙ୍ଗ୍‌ ନେକେଡ୍‌ ଫିଜାଣ୍ଟ, ବ୍ଲାକ୍ କ୍ରାଉନ୍‌ କ୍ରେନ୍‌, ଭାୟୋଲେଟ୍‌ ଟୁରାକୋ, ବେଙ୍ଗଲିସ୍‌ ଫିଞ୍ଚ୍‌, ନୀଳ ଡେଣାବାଲା ମାକାଓ, ଜିରାଫ୍‌, ଲିଭିଂ ଷ୍ଟେନ୍ ଟୁରାକୋ ଓ ନାଲି ବେକିଆ ୱାଲାବି ଆଦି ଅଛନ୍ତି ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।