ଇସ୍ତଫା ଦେଲେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋ । ଖୁବଶୀଘ୍ର ରାଜ୍ୟରେ ଏନଡିପିପି-ବିଜେପି ସରକାର । ଖୁବଶୀଘ୍ର ଶପଥ ଗ୍ରହଣ ଉତ୍ସବ

75

କନକ ବ୍ୟୁରୋ: ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋ ଶନିବାର ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନ୍ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ତେବେ ଖୁବଶୀଘ୍ର ନାଗାଲାଣ୍ଡରେ ପୁଣି ଏନଡିପିପି ଓ ବିଜେପିର ମେଣ୍ଟ ସରକାର ଗଠନ ହୋଇପାରେ । କୁହାଯାଉଛି ଆସନ୍ତା ମାର୍ଚ୍ଚ ୭ ତାରିଖରେ ନେଫ୍ୟୁ ରିୟୋ ନାଗାଲାଣ୍ଡର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ସୂଚନାଯୋଗ୍ୟ ଯେ, ନିର୍ବାଚନ ରେଜଲ୍ଟ ଆସିବା ପରେ ନବ ନିର୍ବାଚିତ ଏନଡିପିପି ବିଧାୟକ କୋହିମାରେ ଏକାଠି ହେବା ସହିତ ନେଫ୍ୟୁ ରିୟୋଙ୍କୁ ନିଜର ନେତା ନିର୍ବାଚିତ କରିଛନ୍ତି ।

ନିକଟରେ ଶେଷ ହେଇଥିବା ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ୬୦ ଆସନରୁ ଏନଡିପିପି ଓ ବିଜେପି ମେଣ୍ଟ ୩୭ ସିଟ୍ ହାତେଇଥିଲା । ହେଲେ ଏପର୍ଯ୍ୟନ୍ତ ଏହି ମେଣ୍ଟ ତରଫରୁ ସରକାର ଗଠନ ପାଇଁ ଦାବି ଉପସ୍ଥାପନ ହେଇନି । କୁହାଯାଉଛି, ଦୁଇ ଦଳର ବିଧାୟକ ଏକାଠି ହେଇ ଆଲୋଚନା କରିବା ପରେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳର ବିଧାୟକଙ୍କ ବୈଠକ ହୋଇପାରିନି ।

ଅନ୍ୟପଟେ ନାଗାଲାଣ୍ଡରେ ପୁଣିଥରେ ସରକାର ଗଠନ କରିବା ପୂର୍ବରୁ ରିୟୋ ନିଜ ବିଧାୟକଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଜାଣିରଖିବା ଉଚିତ୍ ଯେ, ନାଗାଲାଣ୍ଡ ନିର୍ବାଚନରେ ଏନଡିପିପିକୁ ୨୫ଟି ଆସନ ମିଳିଥିବାବେଳେ, ବିଜେପିକୁ ୧୨ଟି ଆସନ ମିଳିଛି । ୨୦୧୮ ମସିହାରେ ଏନଡିପିପିକୁ କେବଳ ୧୮ ସିଟ୍ ମିଳିଥିବାବେଳେ, ବିଜେପିକୁ ସେତେବେଳେ ୧୨ଟି ସିଟ୍ ମିଳିଥିଲା । ହେଲେ ଚଳିତ ଥର ଏନଡିପିପିର ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସହିତ ଦଳ ୧୮ ବଦଳରେ ୨୮ ସିଟ୍ ଜିତିଛି । ଆଉ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି ନେଫ୍ୟୁ ରିୟୋ ।