ପୁଣି ଆସୁଛି ଆଉ ଏକ ଲଘୁଚାପ : ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

858

କନକ ବ୍ୟୁରୋ : ଲଗାଣ ବର୍ଷା ଦୁର୍ଦ୍ଦଶା ବଢାଇ ଦେଇଛି । ଅବପାତ ଦୁର୍ବଳ ହୋଇ ଏବେ ଛତିଶଗଡ ମୁହାଁ ହୋଇଥିଲେ ମଧ୍ୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ସେପଟେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୧୩ ତାରିଖରେ ଏହା ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟର ଦକ୍ଷିଣ ଓଡିଶା ସମେତ ୧୯ରୁ ୨୦ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ଏହି ସମୟରେ ଉପକୂଳ ଓଡିଶାରେ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସ୍ଥାନେ ସ୍ଥାନେ ପବନର ବେଗ ଘଂଟାପ୍ରତି ୬୦କିଲୋମିଟର ମଧ୍ୟ ଛୁଇଁପାରେ । ବଙ୍ଗୋପସାଗରରେ ଆଉଏକ ଲ କ୍ଷୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା ୧୪ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ଏପଟେ ଲଗାଣ ବର୍ଷା ଯୋଗୁଁ କେଉଁଠି ପୋଲ ଭାଙ୍ଗି ଯିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତ କେଉଁଠି ନଦୀ ଫୁଲିବା ଯୋଗଁ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଅନେକ ସ୍ଥାନରେ ଯୋଗାଯୋଗ ଠପ୍ ହୋଇଯାଇଛି ।

ତଳିଆ ଅଂଚଳରେ ବର୍ଷା ପାଣି ଜମି ରହିଛି । ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ବିଶେଷକରି ଇନ୍ଦ୍ରାବତୀ, ବଂଶଧାରା, ଭାସ୍କେଲ ଭଳି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଯାହା ନଦୀ କୂଳିଆ ଅଂଚଳର ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଉଦବେଗର କଥା ହେଉଛି, ଏବେ ବହୁ ନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଆଗକୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି । ପୁଣି ଏକ ଲଘୁଚାପ ଆସୁଥିବାରୁ ସ୍ଥିତି ସଙ୍ଗୀନ ହେବା ସହ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।