‘ଭାରତକୁ ‘ବିଶ୍ୱଗୁରୁ’ କରିବାକୁ ହେଲେ…ମହିଳାଙ୍କ ସମାନ ଭାଗୀଦାରୀ ଜରୁରୀ’ , ମହିଳାଙ୍କୁ ଭାଗବତଙ୍କ ପ୍ରଶଂସା

96

କନକ ବ୍ୟୁରୋ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଭାରତୀୟ ପାରିବାରିକ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ପରିବାର ଗଢିବାରେ ମହିଳାଙ୍କ ଦାୟିତ୍ୱକୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ।  ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପ୍ରଥମେ ଘରୁ ଆରମ୍ଭ ହେବା ଉଚିତ ଏବଂ ସେମାନେ ସମାଜରେ ସେମାନଙ୍କର ଉପଯୁକ୍ତ ସ୍ଥାନ ପାଇବା ଉଚିତ୍ ବୋଲି  ଭାଗବତ  କହିଛନ୍ତି। ମହିଳାମାନଙ୍କୁ ‘ଜଗତ ଜନନୀ’ କୁହାଯାଉଥିବାବେଳେ, ସେମାନଙ୍କୁ ସେମାନଙ୍କ ନିଜ ଘରେ ‘ଦାସୀ’ ବୋଲି ବିବେଚନା କରାଯାଉଥିବା କ୍ଷୋଭର ବିଷୟ ବୋଲି ସେ କହିଛନ୍ତି । ହେଲେ  ଭାରତକୁ ‘ବିଶ୍ୱଗୁରୁ’ ବନାଇବାର ସ୍ୱପ୍ନକୁ ସାକାର କରିବାକୁ ହେଲେ ମହିଳାଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ସମାନ ଭାଗୀବଦାରୀକୁ ଅଗ୍ରାଧିକାର ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ନାଗପୁରରେ ‘ଅଖିଳ ଭାରତୀୟ ମହିଳା ଚାରିତ୍ରା କୋଶ ପ୍ରଥାମ ଖଣ୍ଡ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଭାଗବତ ଭାଷଣ ଦେବା ଅବସରରେ ସେ ଏପରି କହିଛନ୍ତି । ମହିଳାମାନଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ଭାଗବତ୍ । ସେ କହିଛନ୍ତି, “ଯଦି ଆମେ ଭାରତକୁ ‘ବିଶ୍ୱଗୁରୁ’ ଭାବେ ନିର୍ମାଣ କରିବାକୁ ଚାହୁଁ, ତେବେ କେବଳ ପୁରୁଷଙ୍କ ଅଂଶଗ୍ରହଣ ଯଥେଷ୍ଟ ନୁହେଁ, ବରଂ ମହିଳାଙ୍କ ସମାନ ଅଂଶଗ୍ରହଣ ମଧ୍ୟ ଆବଶ୍ୟକ’।

ଭାଗବତ କହିଛନ୍ତି ଯେ ମହିଳାମାନଙ୍କୁ ସେମାନଙ୍କ ଘରେ ସେମାନଙ୍କର ଯଥାର୍ଥ ସ୍ଥାନ ଦିଆଯାଉଛି କି ନାହିଁ ତାହା ଭାବିବାର ସମୟ ଆସିଛି । ଗୋଟିଏ ପଟେ ଆମେ ତାଙ୍କୁ ଜଗତ ଜନନୀ ବୋଲି ବିବେଚନା କରୁ, କିନ୍ତୁ ଅନ୍ୟପଟେ ଆମେ ତାଙ୍କୁ ଘରେ ଦାସ ଭାବରେ ବ୍ୟବହାର କରୁ । ଆମକୁ ମହିଳାମାନଙ୍କୁ ଏକ ଭଲ ପରିବେଶ ଦେବା ଆବଶ୍ୟକ  । ମହିଳାମାନଙ୍କୁ ଜ୍ଞାନ, ସଶକ୍ତ ଏବଂ ଶିକ୍ଷିତ କରାଯିବା ଉଚିତ ଏବଂ ଏହି ପ୍ରକ୍ରିୟା ଘରୁ ଆରମ୍ଭ ହେବା ଉଚିତ୍’ ବୋଲି ମୋହନ ଭାଗୱତ୍ କହିଛନ୍ତି ।