ଆମ୍ବପାଳ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ : ଶୋଇଥିବା ବେଳେ ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା

195

କନକ ବ୍ୟୁରୋ : ଅନୁଗୁଳରେ ଜଘନ୍ୟ ହତ୍ୟାକାଣ୍ଡ । ଶୋଇଥିବା ବେଳେ ବିଷ ଇଞ୍ଜେକ୍ସନ୍ ଦେଇ ହତ୍ୟା । ଆମ୍ବପାଳ ଗାଁରେ ଏପରି ଅମାନୁଷିକ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଗାଁ ସଭାପତି ବାଳକୃଷ୍ଣ ନାୟକ କୁକୁଡା ଫାର୍ମରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ବେକରେ ବିଷ ଇଞ୍ଜେକ୍ସନ୍ ଦେଇ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ମାଓବାଦୀଙ୍କ ପରି ଏକ ହାତ ଲେଖା ଚିଠି ଛାଡି ଦେଇଯାଇଛନ୍ତି ।

ଏଥିରେ ଲେଖିଛନ୍ତି ସଭାପତି ମହୋଦୟ, ଗାଁ ପାଇଁ ସହିଦ ହୋଇଯାଅ । ଜାନୁଆରୀ ୨୫ ତାରିଖରେ ଥିବା ଟାର୍ଗେଟ୍ ପୂରଣ ହୋଇଛି ବୋଲି ଚିଠିରେ ଲେଖାଯାଇଛି । ଏହା ସହ କିଛି ଇଞ୍ଜେକ୍ସନ୍ ସିରିଞ୍ଜ ଓ ବିଷ ବୋତଲ ମଧ୍ୟ ରହିଛି । ବାଳକୃଷ୍ଣ ସବୁଦିନ ନିଜ କୁକୁଡା ଫାର୍ମରେ ସବୁଦିନ ରାତିରେ ଶୋଇଥାନ୍ତି । ଶନିବାର ରାତିରେ ମଧ୍ୟ ସେ କୁକୁଡା ଫାର୍ମରେ ଶୋଇବାକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ଟଳମଳ ହୋଇ ଘରେ ପହଞ୍ଚିଥିଲେ । କିଛି ମୁଖାପିନ୍ଧା ଯୁବକ କୁକୁଡା ଫାର୍ମକୁ ଆସି ମାଡ଼ ମାରିଥିବା ପରିବାର ଲୋକଙ୍କୁ କହିଥିଲେ । ଦୁଇଟି ଇଞ୍ଜେକ୍ସନ୍ ଦେବା ସହ କିଛି ପିଆଇ ଦେଇଥିବା କହିଥିଲେ ବାଳକୃଷ୍ଣ ।

ଏତିକି କହିବା ପରେ ସେ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକ ନେବା ରାସ୍ତାରେ ବାଳକୃଷ୍ଣଙ୍କ ମୃତ୍ୟୁ ହୋଇଛି । ଏନେଇ ବାଳକୃଷ୍ଣଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି । ଧମକପୂର୍ଣ୍ଣ ଚିଠିରୁ ହତ୍ୟାର କାରଣ ପୂର୍ବଶତ୍ରୁତା ବୋଲି ଜଣାପଡୁଛି ।