ସିନ୍ଦେଙ୍କ କ୍ୟାମ୍ପରେ ମହାରାଷ୍ଟ୍ରର ଉଚ୍ଚ ଶିକ୍ଷା ମନ୍ତ୍ରୀ । ଉଦ୍ଧବଙ୍କ ପାଖରେ ଆଉ କେତେ ମନ୍ତ୍ରୀ?

238

କନକ ବ୍ୟୁରୋ: ମାତୋଶ୍ରୀଙ୍କ ନିକଟତର ଥିବା ମହାରାଷ୍ଟ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଉଦୟ ସାମନ୍ତ ମଧ୍ୟ ବିଦ୍ରୋହୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ । ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ମାତ୍ର ୩ ଜଣ ମନ୍ତ୍ରୀ । ଏହାସହ ସିନ୍ଦେଙ୍କ ପାଖରେ ଏବେ ୩୯ ଶିବସେନା ବିଧାୟକ ରହିଥିବା ଜଣାପଡିଛି ।

ମହାରାଷ୍ଟ୍ରର ଶାସକ ଶିବସେନାରେ ସତ୍ତା ପାଇଁ ଚାଲିଥିବା ଯୁଦ୍ଧ ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଉ ଏକ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛନ୍ତି। ଉଦ୍ଧବ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦୟ ସାମନ୍ତ ମଧ୍ୟ ବିଦ୍ରୋହୀ ଏକନାଥ ସିନ୍ଦେ ଶିବିରରେ ଯୋଗ ଦେଇଛନ୍ତି। ସେ ରବିବାର ରାତିରେ ଗୁଆହାଟୀରେ ପହଞ୍ଚିଛନ୍ତି । ସାମନ୍ତଙ୍କ ମିଶାଇ ସିନ୍ଦେଙ୍କ ପାଖରେ ଶିବସେନାର ୩୯ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଉଦୟ ହେଉଛନ୍ତି ମହାରାଷ୍ଟ୍ରର ଅଷ୍ଟମ ମନ୍ତ୍ରୀ ଯିଏ ଉଦ୍ଧବ ପରିବର୍ତ୍ତେ ସିନ୍ଦେଙ୍କ ସହ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ରବିବାର ସକାଳୁ ଉଦୟ ସାମନ୍ତଙ୍କୁ ଶିବସେନା ପକ୍ଷରୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଥିଲେ ବି ଏହା ସମ୍ଭବ ହୋଇନଥିଲା ।ଉଦୟ ସାମନ୍ତ ରବିବାର ସନ୍ଧ୍ୟାରେ ଚାଟାର୍ଡ ବିମାନ ଯୋଗେ ମୁମ୍ବାଇରୁ ଗୁଆହାଟୀରେ ପହଞ୍ଚିଥିଲେ। ତାଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଏବଂ ଥାନେର ଜଣେ ଶିବସେନା କର୍ମୀଙ୍କ ସମେତ ଅନ୍ୟ ତିନିଜଣ ମଧ୍ୟ ଥିଲେ। ଉଦୟ ସାମନ୍ତଙ୍କୁ ଠାକରେ ପରିବାରର ବାସଭବନ ମାତୋଶ୍ରୀଙ୍କ ନିକଟତର ବୋଲି ବିବେଚନା କରାଯାଏ । ଶିବସେନାରେ ନୂଆ ହେବା ସତ୍ତ୍ୱେ ତାଙ୍କୁ ଉଚ୍ଚଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯାଇଥିଲା । ହେଲେ ସାମନ୍ତ ଏକନାଥ ସିନ୍ଦେଙ୍କ ସହ ଯିବା ଉଦ୍ଧବଙ୍କ ପାଇଁ ଏକ ବଡ଼ ଝଟକା ।