ଭାରତଠୁ ବ୍ୟାଟିଂ ଶିଖୁ ଅଷ୍ଟ୍ରେଲିଆ: ନିଜ ଟିମ ଉପରେ ବର୍ଷିଲେ ମାଇକେଲ କ୍ଲାର୍କ

649

କନକ ବ୍ୟୁରୋ: ଭାରତଠାରୁ ବାରମ୍ବାର ପରାଜୟ ପରେ ଅଷ୍ଟ୍ରେଲିଆ ବିଚଳିତ ହୋଇପଡିଛି । ପ୍ୟାଟ କୁମିନ୍ସଙ୍କ ନେତୃତ୍ୱଧିନ ଅଷ୍ଟ୍ରେଲିଆ ଟିମ ସ୍ୱପ୍ନରେ ବି କେବେ ଭାବି ନଥିବ ଯେ ଭାରତ ମାଟିରେ ଅଷ୍ଟ୍ରେଲିଆର ଏଭଳି ସ୍ଥିତି ହେବ । ୨-୦ରେ ସିରିଜରେ ପଛୁଆ ରହି ବର୍ଡର ଗାଭାସ୍କର ଟ୍ରଫି ଜିତିବାର ସୁଯୋଗ ହରାଇ ସାରିଛି କଙ୍ଗାରୁ ଦଳ । ଅଷ୍ଟ୍ରେଲିଆର ଅନେକ ଦକ୍ଷ ବ୍ୟାଟ୍ସମ୍ୟାନ ଭାରତ ମାଟିରେ ଫେଲ ମାରିଛନ୍ତି । ଫଳରେ ଏହାକୁ ସହଜରେ ହଜମ କରିପାରିନାହାନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ କ୍ଲାର୍କ । ଆଉ ରାଗ ସୁଝାଇବାକୁ ଯାଇ ଅଷ୍ଟ୍ରେଲିଆ ଟିମ ଉପରେ ପ୍ରବଳ ବର୍ଷିଛନ୍ତି ।

କ୍ଲାର୍କ ଅଷ୍ଟ୍ରେଲିଆ ଟିମକୁ ଟାର୍ଗେଟ କରି କହିଥିଲେ କି, ସ୍ପିନର ଅନୁକୂଳ ପରିସ୍ଥିତିରେ କେମିତି ବ୍ୟାଟିଂ କରାଯାଏ ତାହା ଭାରତଠୁ ଅଷ୍ଟ୍ରେଲିଆକୁ ଶିଖିବାର ଥିଲା । ଏମିତି ଲାଗୁଛି କି ଆମେ ଭାରତକୁ ବ୍ୟାଟିଂ କରୁଥିବାର ଦେଖୁନାହୁଁ । ମାନୁଛୁ କି ସେମାନେ ପରିସ୍ଥିତିକୁ ଭଲରେ ବୁଝୁଛନ୍ତି ବୋଲି ଭଲ ବ୍ୟାଟିଂ କରୁଛନ୍ତି, ହେଲେ ଆମେ କାହିଁକି କିଛି ଅଲଗା କରିବାର ଚେଷ୍ଟା କରିବା । ଯଦି ଆମେ ୨୦୦ ରନ କରିଦେଇଥାନ୍ତୁ ତେବେ ବିଜୟ ନିଶ୍ଚିତ ହୋଇଥାନ୍ତା । ୬୦ରେ ଆମର ଗୋଟିଏ ୱିକେଟ ଯାଇଥିଲା । ଆଉ ଶେଷ ୫୨ ରନରେ ଆମେ ୯ ୱିକେଟ ହରାଇଥିଲୁ । ଭାରତକୁ ୧୧୫ ରନର ଲକ୍ଷ୍ୟ ମିଳିଥିଲା । ଯାହାକୁ ଭାରତ ୪ ୱିକେଟ ହରାଇ ହାସଲ କରିଥିଲା ।

କ୍ଲାର୍କଙ୍କ କହିବାନୁସାରେ ଅଷ୍ଟ୍ରେଲିଆ ତାର ପ୍ରଥମ ଭୁଲ ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ ମ୍ୟାଚ ନଖେଳି କରିଛି । କୁମିନ୍ସ ଏହାକୁ ଛାଡି ସିରିଜ ଆରମ୍ଭ ହେବା ପୂର୍ବରୁ ବାଙ୍ଗାଲୋରରେ ଛୋଟ ଅଭ୍ୟାସ ଶିବିରରେ ଭାରତୀୟ ପରିସ୍ଥିତି ଭଳି ପରିସ୍ଥିତି ତିଆରି କରି ଅଭ୍ୟାସ କରିବାକୁ ବାଛିଥିଲେ । ଏହା ସବୁଠାରୁ ବଡ ଭୁଲ । ଅତିକମରେ ଗୋଟିଏ ଅଭ୍ୟାସ ମ୍ୟାଚ ଖେଳିବାର ଥିଲା ।

ପ୍ରଥମ ଦୁଇ ଟେଷ୍ଟରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ସ୍ପିନ ବିରୋଧରେ ଦୁର୍ବଳ ସାବ୍ୟସ୍ତ ହୋଇଥିଲେ । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ସ୍ୱିପ ଖେଳି ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବାକୁ ଚେଷ୍ଟ କରିଥିଲେ, ହେଲେ ଏଥିରେ ବିଫଳ ହୋଇଥିଲେ । କ୍ଲାର୍କଙ୍କ ମତରେ ପ୍ରଥମ ଟେଷ୍ଟରେ ଟ୍ରେବିସ ହେଡଙ୍କୁ ନଖେଳାଇ ଦଳ ବଡ ଭୁଲ କରିଥିଲା । ଆଉ ଦ୍ୱିତୀୟ ଟେଷ୍ଟରେ ଖେଳି ହେଡ୍ ଦଳ ପାଇଁ ସର୍ବାଧିକ ୪୬ ରନ କରିଥିଲେ ।

କ୍ଲାର୍କ ଆହୁରି କହିଥିଲେ କି ପ୍ରଥମ ଟେଷ୍ଟରେ ମୁଁ ବହୁତ ସ୍ୱିପ ସଟ୍ ଦେଖିଥିଲି । ଯେତେବେଳେ ତୁମେ ପାଳି ଆରମ୍ଭ କରୁଛି ସେତେବେଳେ ସ୍ୱିପ ସଟ ଖେଳିବା ସଠିକ ସମୟ ନୁହେଁ । ବଲ କମ ଉଠୁଥିବା ପିଚରେ ଅଷ୍ଟ୍ରେଲିଆର ଅଧା ଟିମ ସ୍ୱିପ ଆଉ ରିଭର୍ସ ସ୍ୱିପ ଖେଳି ଆଉଟ ହୋଇଛନ୍ତି । ଏହାସହ କ୍ଲାର୍କ ପ୍ୟାଟ କୁମିନ୍ସଙ୍କ ଫିଲ୍ଡିଂ ସଜେଇବା ଉପରେ ବି ପ୍ରଶ୍ନ କରିଛନ୍ତି । ସେ କହିଥିଲେ ମୁଁ ବିଶ୍ୱାସ କରିପାରୁନି ଆମ ରଣନୀତି ସହ କଣ ହେଉଥିଲା ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳୁଥିବା ୪ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ଅର୍ଥାତ ଭାରତକୁ ଏବେ ଜିତିବାକୁ ହେଲେ ଆଉ ଗୋଟିଏ ଟେଷ୍ଟ ମ୍ୟାଚ ଜିତିବାକୁ ହେବ । ଆଉ ଭାରତକୁ ଅଟକାଇବା ପାଇଁ ଅଷ୍ଟ୍ରେଲିଆ ଆଗାମୀ ୨ଟି ଟେଷ୍ଟରେ ବିଜୟୀ ହେବାକୁ ରଣନୀତି କରିବ । ତେବେ ତୃତୀୟ ଟେଷ୍ଟ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।