ଦୋଷ ନକରି ବି ପାଇଲେ ଦଣ୍ଡ ! ମାନସିକ ରୋଗୀଙ୍କୁ ଉଠାଇ ନେଇଥିଲା ବଲାଙ୍ଗୀର ପୋଲିସ, ୬ମାସ ପରେ ମୁକୁଳିଲେ

87

କନକ ବ୍ୟୁରୋ : କୁହାଯାଏ ଶହେ ଦୋଷୀ ପଛେ ଖସିଯାଆନ୍ତୁ, କିନ୍ତୁ ଜଣେ ନିରୀହ ଦଣ୍ଡ ନପାଉ । ହେଲେ ବଲାଙ୍ଗୀରରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ପ୍ରଶଂସା ସାଉଁଟିବାକୁ ପୁଲିସ ଜଣେ ନିରୀହ ମାନସିକ ରୋଗୀଙ୍କୁ ଜେଲ ପଠାଇଥିଲା । ୬ ମାସ ଜେଲରେ ରହିବା ପରେ ସେ ଜେଲରୁ ମୁକୁଳିଛନ୍ତି । ସେପଟେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି ଶୁଦ୍ଧିକ୍ରିୟା ସାରିଦେଇଛନ୍ତି ପରିବାର ଲୋକେ ।

ଆଉ ଜେଲ ଅଧୀକ୍ଷକଙ୍କ ଯୋଗୁଁ ମାନସିକ ରୋଗୀଜଣକ ଜାମିନ ପାଇ ପରିବାର ପାଖକୁ ଫେରିଯାଇଛନ୍ତି । ଖବର ଅନୁସାରେ, ଆନ୍ଧ୍ରପ୍ରଦେଶ ଭାଇଜାକ ଜିଲ୍ଲା ବଂଟପାଲି ଗାଁର ଏସ ପାଇତି ରାଜୁ ଜଣେ ମାନସିକ ରୋଗୀ । ଭାଇଜାକରେ ଚିକିତ୍ସାଧୀନ ଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ । ଗତ ଜାନୁଆରୀ ୪ ତାରିଖ ଶୀତୁଆ ରାତିରେ ବଲାଙ୍ଗୀର ସହରରେ ଏକ ଏଟିଏମ କାଉଂଟର ଭିତରୁ ରାଜୁଙ୍କୁ ଠାବ କରିଥିଲା ବଲାଙ୍ଗୀର ପୁଲିସ । ପିସିଆର ଭ୍ୟାନରେ ତାଙ୍କୁ ଥାନାକୁ ଅଣାଯାଇଥିଲା ।

ତେବେ ଭାଷା ବୁଝୁନଥିବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସିସିଟିଭି ଫୁଟେଜ ସହ ଏକ ଚୋରିମାମଲା ରୁଜୁ କରିଥିଲା ପୁଲିସ । କିନ୍ତୁ ଏବେ ଜଣାପଡିଛି ସେ ନୀରିହ ଥିଲେ । ପରିବାର ଲୋକଙ୍କ କହିବାଅନୁସାରେ, ମାନିସିକ ବିକୃତ ଥିବାରୁ ଟ୍ରେନରେ ବଲାଙ୍ଗୀର ପହଞ୍ଚି ଯାଇଥିଲେ ଓ ସେଠାରେ ଏକ ଏଟିଏମରେ ପହଞ୍ଚି ଯାଇଥିଲେ । ଆଉ ତାଙ୍କୁ ଧରି ଚୋର ସଜାଇଦେଇଥିଲା ପୁଲିସ ।

ରାଜୁଙ୍କୁ ମାନସିକ ରୋଗୀ ବୋଲି ସନ୍ଦେହ କରିଥିଲେ ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ । କିଛି ତେଲୁଗୁ ଭାଷାଭାଷୀଙ୍କ ଜରିଆରେ ସେ ରାଜୁଙ୍କ ସହ କଥା ହୋଇଥିଲେ । ପରେ ଭାଇଜାକ ଥାନାକୁ ଯୋଗାଯୋଗ କରିଥିଲେ । ଆଉ ୬ ମାସରେ ରାଜୁ ବଲାଙ୍ଗୀରରେ ଥିବା ଖବର ପାଇ ଆସିଥିଲେ । ଏବେ ୬ ମାସ ପରେ ରାଜୁ ଜେଲରୁ ମୁକୁଳିଛି ।