ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ କି ରୋଚକ ? ଦୌଡରେ ୩ ଭାରତୀୟ ବଂଶୋଦ୍ଭବ

248

କନକ ବ୍ୟୁରୋ : ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ଏବେକାର ରାଷ୍ଟ୍ରପତି ଜୋ ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟକ୍କର ଆରମ୍ଭ ହୋଇଯାଇଛି । ହେଲେ ଏହା ମଧ୍ୟରେ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ସାମ୍ନାକୁ ଆସିଛି ।

କହିରଖୁ କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ, ନିକ୍କି ହେଲି ଓ ହର୍ଷବର୍ଦ୍ଧନ ସିଂ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି । ସେପଟେ ବିଭିନ୍ନ ମାମଲା ସହ ଜଡିତ ଥିବା ସତ୍ତେ୍ୱ ୨୦୨୪ ରାଷ୍ଟ୍ରପତି ନିର୍ବଚନ ପାଇଁ ରିପବ୍ଲିକାନ ପାର୍ଟି ତରଫରୁ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ସବୁଠାରୁ ଆଗରେ ରହିଛି ।

ରିପବ୍ଲିକାନ ପାର୍ଟି ତରଫରୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଆସନ୍ତା ବର୍ଷ ଜୁଲାଇ ମାସରେ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ବିସ୍କୋସିନର ମିଲ୍ୱକି ସହରରେ ଆସନ୍ତା ବର୍ଷ ଜୁଲାଇ ୧୫ ରୁ ୧୮ ମଧ୍ୟରେ ଅନୁଷ୍ଠିତ ହେବ ।

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଯେଉଁ ୩ ଭାରତୀୟ ବଂଶୋଦ୍ଭବଙ୍କ ନାମ ଆଗରେ ରହିଛି ସେମାନଙ୍କ ମଧ୍ୟରୁ ନିକ୍କି ହେଲୀ ଅନ୍ୟତମ । ନିକ୍କି ହେଲୀ ଜଣେ ରିପବ୍ଲିକାନ ପାର୍ଟିର ନେତା । ସେ ଦକ୍ଷିଣ କୋରୋଲିନା ରାଜ୍ୟରେ ୨ ଥର ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଏହାସହ ସେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ପୂର୍ବତନ ରାଜଦୂତ ।

ସେହିଭଳି ଦୌଡର ଦ୍ୱିତୀୟ ସ୍ଥାନରେ ଥିବା ଉଦ୍ୟୋଗପତି ରାମାସ୍ୱାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେଉଥିବା ନେଇ ନିଜ ତରଫରୁ ଫେବୃଆରୀ ମାସରୁ ଘୋଷଣା କରିସାରିଛନ୍ତି । ସେ ବି ରିପବ୍ଲିକାନ ପାର୍ଟିର ନେତା । ସେ ଏହି ଦୌଡରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫ୍ଲୋରିଡାର ରାଜ୍ୟପାଳ ରାନ ଡେସିଟିଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ।

ଆମେରିକା ରାଷ୍ଟପ୍ରତି ଦୌଡରେ ଭାରତୀୟ ବଂଶୋଦ୍ଭବ ହର୍ଷବର୍ଦ୍ଧନ ସିଂ ମଧ୍ୟ ସାମିଲ ହୋଇଛନ୍ତି । ଏରୋସ୍ପେସ ଇଂଜିନିୟର ହର୍ଷବର୍ଦ୍ଧନ ଏକ ଭିଡିଓ ଜାରି କରି କହିଛନ୍ତି କି, ସାରା ଜୀବନ ସେ ରିପବ୍ଲିକାନ ପାର୍ଟି ପାଇଁ କାମ କରିଛନ୍ତି । ସେ ନିଜକୁ ରିପବ୍ଲିକାନ ପାର୍ଟି ତରଫରୁ ଏକମାତ୍ର ଦୁର୍ନିତୀମୁକ୍ତ ନେତା ବୋଲି କହିଛନ୍ତି ।