କାକଟପୁରରେ ବାଟବଣା ନିରାମୟ କେନ୍ଦ୍ର: ଡାକ୍ତର ଲେଖୁନାହାନ୍ତି ନିରାମୟ କେନ୍ଦ୍ରର ଔଷଧ

135

କନକ ବ୍ୟୁରୋ: କାକଟପୁର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରର ଆରୋଗ୍ୟ କେନ୍ଦ୍ରରେ ନିରାମୟ ଯୋଜନା ଫେଲ ମାରିଛି। ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନାହିଁ। ଫଳରେ ରୋଗୀ ବାହାରୁ ଔଷଧ କଣି ଅର୍ଥିକ ଖର୍ଚ୍ଚାନ୍ତ ହେଉଛନ୍ତି । ସେପଟେ ଡାକ୍ତର କହୁଛନ୍ତି, ନିରାମୟ ଔଷଧ କାମ ଦେଉନାହିଁ। ଫଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି ।

ପୁରୀ କାକଟପୁରଠାରେ ଥିବା ବିଭିନ୍ନ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିଗିଡ଼ି ଗଲାଣି ଓ କାକଟପୁର ବ୍ଲକରେ ରହିଛି କାକଟପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଏବଂ ପାଟପୁର ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ରରେ ଡାକ୍ତର ଯେଉଁ ଔଷଧ ଲେଖୁଛନ୍ତି, ତାହା ନିରାମୟ କେନ୍ଦ୍ରରେ ମିଳୁନଥିବା ଅଭିଯୋଗ ହୋଇଛି । ଅସ୍ତରଙ୍ଗ ବ୍ଲକ ନଗର ଗାଁର ଦମ୍ପତି ପଙ୍କଜ ବେହେରା ଓ ପ୍ରିତି ବେହେରା। କୁନି ପୁଅର ଚିକିତ୍ସା ପାଇଁ କାକଟପୁର ଆରୋଗ୍ୟ କେନ୍ଦ୍ରକୁ ଆସିଥିଲେ ଓ ଡାକ୍ତର ଲେଖିଥିବା ଔଷଧ ନିରାମୟ କେନ୍ଦ୍ରରୁ ନମିଳିବାରୁ ବାହାରୁ କିଣିଛନ୍ତି । ସେହିପରି ଏ ହେଉଛନ୍ତି କାକଟପୁରର ଶଙ୍କର ବେହେରା । ବାପାଙ୍କ ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତର କେବଳ ନିରାମୟରୁ ସାଲାଇନ ଲେଖି ଅନ୍ୟ ସବୁ ଔଷଧ ବାହାରୁ କିଣିବାକୁ କହିଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ଏନେଇ ସଫେଇ ଦେଇଛନ୍ତି ସଂପୃକ୍ତ ଡାକ୍ତର । ନିରାମୟ କେନ୍ଦ୍ରର ଔଷଧ କାମ ଦେଉନାହିଁ। ରୋଗ ଭଲ ହେଉନି । ବାହାର ଔଷଧ ଲେଖିଲେ ଶୀଘ୍ର ଆରୋଗ୍ୟ ହେଉଛନ୍ତି । ବାହାରୁ ଔଷଧ କିଣିବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର। ଫଳରେ ଗରିବ ରୋଗୀ ବାହାର ଦୋକାନରୁ ଔଷଧ କିଣି ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।