ନଦୀରେ ବଢିଲା ପାଣି, ତୁଳସୀପଦରକୁ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍ । ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କଲେ,  ଔଷଧ ଫିଙ୍ଗି ପଳାଇଲେ ।

88

କନକ ବ୍ୟୁରୋ :  ବର୍ଷା ସାଜିଲା ପ୍ରତିବନ୍ଧକ  । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ସଚେତନ କରିବାକୁ ଆସି ତୁଳସୀପଦର ଗ୍ରାମକୁ ପହଞ୍ଚି ପାରିଲେନି ଡାକ୍ତରୀ ଟିମ୍ । ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କଲେ, ଔଷଧ ଫିଙ୍ଗି ପଳାଇଲେ  । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ  । ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର । ଯାହାଫଳରେ ଝାଡାବାନ୍ତିରେ ପ୍ରଭାବିତ ହୋଇଥିବା ତୁଳସୀପଦର ଗାଁକୁ ପହଞ୍ଚି ପାରିଲେନି ସ୍ୱାସ୍ଥ୍ୟ ବିଭାଗ ଟିମ୍ । ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ୱାରା ଗ୍ରାମବାସୀଙ୍କୁ ଡାକି ସଚେତନ କରାଇଲେ । ପଲିଥିନରେ ଔଷଧ ବାନ୍ଧି ଅପର ପାଶ୍ୱର୍କୁ  ଫୋପାଡିଲେ ସ୍ୱାସ୍ଥ୍ୟ ଟିମ୍ ।

ଘଟଣା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହେ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଓ ୨୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଥିବା ଖବର ପ୍ରଚାରିତ ହୋଇଥିଲା  । ଗାଁର ପ୍ରାୟ ୭ ଜଣ ଲୋକ  ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଝାଡାବାନ୍ତି । ଗତ ୨ ତାରିଖରୁ ଲଗାତର ଭାବେ ଏମଏଚୟୁ ଓ ଏମଏଚଟିର ୨ଟି ସ୍ୱାସ୍ଥ୍ୟ ଟିମ୍ ତୁଳସୀପଦର ଗାଁ ରେ ପହଞ୍ଚି ଗାଁରେ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି ।

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ । ତେବେ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନଦୀରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ଜଳସ୍ତର ବଢ଼ିଚାଲିଥିଲା । ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ମେଡିକାଲ ଟିମ୍ ତୁଳସୀପଦରକୁ ଯିବା ପାଇଁ ବାହାରିଥିଲେ । ତେବେ ତୁଳସୀପଦର ଠାରୁ ପ୍ରାୟ ୧ କିମି ଦୂରରେ ଥିବା ନଦୀରେ ଜଳସ୍ତର ବଢିବାରୁ ଅପରପାଶ୍ୱର୍କୁ ଯାଇନପାରି ଡାକବାଜି ଯନ୍ତ୍ର ଦ୍ୱାରା ଗାଁ ଲୋକଙ୍କୁ ଡାକି ସଚେତନ କରିଥିଲେ  । ପରେ ଔଷଧକୁ ପଲିଥିନରେ ବାନ୍ଧି ଫୋପାଡିବା ସହ ଅପରପାଶ୍ୱର୍ରେ ଥିବା ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଇଥିଲେ । ନଦୀର ଆରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନବାଡି ଦିଦି ଆସି ଉକ୍ତ ଔଷଧକୁ ସଂଗ୍ରହ କରି ଗାଁ କୁ ନେଇଥିଲେ  ।