କଂଗ୍ରେସରୁ ନିଲମ୍ବିତ ହେଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ । ଏଆଇସିସି ଶୃଙ୍ଖଳା କମିଟି କଲା ନିଲମ୍ବିତ । 

2,675

କନକ ବ୍ୟୁରୋ : କଂଗ୍ରେସରୁ ନିଲମ୍ବିତ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ନିଲମ୍ବନ କଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ଏନେଇ ଉଭୟଙ୍କ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି ।

ନିଲମ୍ବିତ ହେବା ପୂର୍ବରୁ ଦୀର୍ଘଦିନ ହେବ ଦଳ ଠାରୁ ଦୂରେଇ ରହୁଥିଲେ ଉଭୟ ଚିରଞ୍ଜୀବ ଓ ମୋକିମ । ଉଭୟଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା । ଏକ କାର୍ଯ୍ୟକ୍ରମରେ ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ପିିସିସି ସଭାପତିଙ୍କ ନେତୃତ୍ୱର ଦଳ ଠିକ୍ ଚାଲିନି । ସଠିକ୍ ଭାବେ କଂଗ୍ରେସ ଦଳର ପରିଚାଳନା ହୋଇପାରୁନି । ଏଠାରେ ସମସ୍ତେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବୁଛନ୍ତି । ସଙ୍ଗଠନ ମଜବୁତ ହେବା ପରିବର୍ତ୍ତେ ଦୁର୍ବଳ ହେଉଛି । ପିସିସି ସଭାପତିଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇବା ଚିରଞ୍ଜୀବଙ୍କୁ ମହଙ୍ଗା ପଡିଥିଲା । ଅନ୍ୟପଟେ ମୋକିମ ମଧ୍ୟ ଅନେକ ସମୟରେ ଦଳର ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗ ହୁଏ । ଏପରିକି ରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ ମୋକିମ ଦଳର ନିର୍ଦ୍ଦେଶ ବାହାରେ ଭୋଟ କରିଥିଲେ । ତେବେ ମୋକିମ କହିଛନ୍ତି ସେ କୌଣସି ବିବାଦୀୟ ମନ୍ତବ୍ୟ ଦେଇନଥିଲେ । ୨୦୨୪ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଉଭୟ ମୋକିମ ଓ ଚିରଞ୍ଜୀବଙ୍କ ଆଗାମୀ ନିଷ୍ପତ୍ତି କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।