ଖସିଗଲା ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ମୁରଲୀ : ଯବାନଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା

2,446

କନକ ବ୍ୟୁରୋ : ଖସିଗଲା ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ମୁରଲୀ । ଯବାନଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଛତିଶଗଡ଼କୁ ଲାଗିଥିବା ନବରଙ୍ଗପୁର ଜିଲ୍ଲା ସୀମାରେ ଯବାନଙ୍କ ସହ ପ୍ରବଳ ଗୁଳି ବିନିମୟ ପରେ ସାଥୀ ମାଓବାଦୀଙ୍କ ସହ ମୁରଲୀ ପଡ଼ୋଶୀ ରାଜ୍ୟ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ । ମଙ୍ଗଳବାର ନବରଙ୍ଗପୁର ସୀମାବର୍ତ୍ତୀ ରାଇଘର ଏବଂ ପଡ଼ୋଶୀ ଛତିଶଗଡ଼ର ଗରିଆବନ୍ଧ-ଶୋଭା ଅଞ୍ଚଳରେ କିଛି ନକ୍ସଲ କମାଣ୍ଡର ଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ।

ସୂଚନା ଆଧାରରେ ଦୁଇ ୟୁନିଟ୍ ଏସଓଜି ଯବାନ ରାତିରୁ ସେହି ଅଂଚଳରେ ଅପରେସନ୍ ଆରମ୍ଭ କରିଥିଲେ । ବୁଧବାର ସକାଳେ ଗରିଆବନ୍ଧ ଜିଲ୍ଲା ଶୋଭା ଥାନା ଅନ୍ତର୍ଗତ ଉଦନ୍ତୀ ଅଭୟାରଣ୍ୟରେ ନକ୍ସଲ ସହ ଯବାନ ମାନେ ମୁହାମୁହିଁ ହୋଇଥିଲେ । ମାଓ କମାଣ୍ଡର ମୁରଲୀ ନେତୃତ୍ୱରେ ୨୦ରୁ ୨୫ ଜଣ ମାଓବାଦୀ ସେଠାରେ କ୍ୟାମ୍ପ କରି ରହିଥିଲେ । ସେମାନଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ନକ୍ସଲ କାର୍ତିକ, ଗୁଡ଼ୁ, ଆକାଶ ଏବଂ ନନ୍ଦଲ ମଧ୍ୟ ଥିଲେ ।

ଯବାନମାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳିମାଡ଼ ଆରମ୍ଭ କରିଥିଲେ । ବାଧ୍ୟହୋଇ ଯବାନ ମାନେ ପାଲଟା ଜବାବ ଦେଇଥିଲେ । ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ନକ୍ସଲମାନେ ଅଭୟାରଣ୍ୟ ଭିତରକୁ ପଛଘୁଞ୍ଚା ଦେଇଥିଲେ । ତେବେ ନକ୍ସଲଙ୍କ କ୍ୟାମ୍ପରୁ ବିଭିନ୍ନ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଜବତ ହୋଇଛି । ସଂପୃକ୍ତ ଜଙ୍ଗଲରେ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍ ଜୋରଦାର କରାଯାଇଥିବା ବେଳେ ସୀମା ମଧ୍ୟ ସିଲ କରାଯାଇଛି ।