ପୁଣି ସାମ୍ନାକୁ ଆସିଲା ଆସ୍କା ବିଜେଡ଼ିରେ ଅନ୍ତଃକନ୍ଦଳ । ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ଖୋଲାଖୋଲି କଲେ ବିରୋଧ

352

କନକ ବ୍ୟୁରୋ: ଗୋଟିଏ ଛାତ ତଳେ ଅସନ୍ତୁଷ୍ଟ ମେଳି । ନାମକୁ ମାତ୍ର ମାନସିକ ଭୋଜି । ଏହି ଆଳରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ବିରୋଧୀଙ୍କ ସଭା ଦେଖିବାକୁ ମିଳିଛି । ଏମାନଙ୍କ ମେଳି ଆସିକା ରାଜନୈତିକ ପାଣି ପାଗକୁ ସରଗରମ କରିଛି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି । ଟିକଟ ହାତେଇବା ପାଇଁ ଚାଲିଛି ସେତିକି କସରତ । ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା କଳ୍ପନା ଭୋଳଙ୍କ ବାଙ୍ଗରଡା ଗ୍ରାମରେ ମାନସିକ ଭୋଜିରେ ବିଧାୟିକା ଅସନ୍ତୁଷ୍ଟ ଗୋଷ୍ଠି ଏକାଠି ହୋଇଥିଲେ । ମାନସିକ ଭୋଜିରେ ବନ୍ଧୁ ମିଳନ ଅପେକ୍ଷା ଆସିକା ବିଜେଡିର ବହୁ ରାଜନୈତିକ ନେତା ଉପସ୍ଥିତ ଥିଲେ । ଏଠାରେ ଏକାଠି ହୋଇଥିବା ଆସିକା ବ୍ଲକ ଓ କବିସୂର୍ଯ୍ୟନଗର ବ୍ଲକ ତଥା ଆସିକା ନିର୍ବାଚନ ମଣ୍ଡଳିର ବହୁ ନେତା ଆସିକା ବିଧାୟିକାଙ୍କୁ ଖୋଲାଖୋଲି ବିରୋଧ କରିବାର ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏବେଠାରୁ ଏମିତି ଦଳୀୟ ବିଭାଜନ ଆଗକୁ ବିଧାୟିକାଙ୍କୁ ମହଙ୍ଗା ପଡିପାରେ ଓ ଦଳରେ ସଙ୍କଟ ସୃଷ୍ଟି ହୋଇପାରେ । ଯାହାର ଫାଇଦା ବିରୋଧିଙ୍କୁ ଯିବ । ନହେଲେ ଦଳ ନୂଆଁ ମୁହଁ ଖୋଜିବ ବୋଲି କୁହାଯାଉଛି ।