ମଣିପୁର ହିଂସାରେ ଗଲାଣି ୫୪ ଜୀବନ, ସିଆରପିଏଫ କମାଣ୍ଡର ଓ ଆଇଆରଏସ ଅଫିସରଙ୍କୁ ବି ହତ୍ୟା

159

କନକ ବ୍ୟୁରୋ : ମଣିପୁରର ଚୁଡାଚାନ୍ଦପୁର ଅଞ୍ଚଳରେ କିଛି ସମୟ ତଳେ ଗୁଳି ବାଜିବାରୁ ୪ଜଣ ଲୋକଙ୍କ ଜୀବନ ଯାଇଛି । ଯେତେବେଳେ ସୁରକ୍ଷା କର୍ମୀମାନେ ହିଂସା ଭିତରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯାଉଥିଲେ ସେତେବେଳେ ଆଇଆରଏସ ଆସୋସିଏସନ ତରଫରୁ କୁହାଯାଇଛି କି, ଇମ୍ଫାଲ ଠାରେ ଜଣେ ଟ୍ୟାକ୍ସ ଆସିଷ୍ଟାଣ୍ଟକୁ ହତ୍ୟା କରାଯାଇଛି । ଏହା ସହ ମଣିପୁରରେ ଜାରି ରହିଥିବା ହିଂସା କାରଣରୁ ଏପର୍ଯ୍ୟନ୍ତ ୫୪ ଜଣଙ୍କ ଜୀବନ ଯାଇଥିବା କଥା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି ଆକଳନ କରାଯାଇଛି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଥିବା ଏହି ହିଂସାରେ ୫୪ ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ସେପଟେ ରକ୍ଷା ପ୍ରବକ୍ତା କହିଛନ୍ତି କି ହିଂସା ଲାଗି ରହିଥିବା ଅଞ୍ଚଳରୁ ୧୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କୁ ଏବେ ସେନା ଶିବିରରେ ରଖାଯାଇଛି । ସୁରକ୍ଷାବଳ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ଏବେ ହିଂସା ଥମିବାରେ ଲାଗିଛି ।

ସେପଟେ ଇମ୍ଫାଲ ଘାଟିର ପ୍ରତିଟି ଛକରେ ସେନା ପକ୍ଷରୁ ବ୍ୟାରିକେଟ ଲଗାଯାଇ ଲୋକମାନଙ୍କୁ ସର୍ଚ୍ଚ କରାଯାଉଛି । ଏହାସହ ହିଂସା ଆୟତକୁ ଆସିବା ପରେ ଇମ୍ଫାଲ ଘାଟିରେ ଜନ ଜୀବନ ସାମାନ୍ୟ ହୋଇଛି । ଶନିବାର ସକାଳେ ଦୋକାନ ବଜାର ଖୋଲିଛି ।

ଅନ୍ୟପଟେ ପୋଲିସ ମହାନିର୍ଦ୍ଦେଶକ ପି, ଡୋଙ୍ଗଲ କହିଛନ୍ତି ରାଜ୍ୟ ଗୃହ ବିଭାଗ ଯେଉଁ ସୁଟ୍ ଏଟ୍ ସାଇଟ ନିର୍ଦ୍ଦେଶ ଦେଇଛନ୍ତି, ହିଂସାକୁ ରୋକିବା ପାଇଁ ତାହା ଶେଷ ଉପାୟ ବୋଲି ସେ କହିଛନ୍ତି । ଏହାସହ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି କି, ଲୋକମାନେ ଶାନ୍ତି ଶୃଙ୍ଖଳାର ସହିତ ଯାତାୟତ କଲେ ସେମାନଙ୍କ ଉପରେ ସୁରକ୍ଷାକର୍ମୀମାନେ ଆକ୍ସନ ନେବେ ନାହିଁ ।