ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପ୍ରଦୀପ ପୁରୋହିତଙ୍କ ବଡ ବୟାନ । କହିଲେ, ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଲୋକ, ନବ ଦାସଙ୍କ ହତ୍ୟାକାରୀ ।

370

କନକ ବ୍ୟୁରୋ: ମନ୍ତ୍ରୀ ତଥା ଝାରସୁଗୁଡାର ବିଧାୟକ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ବଡ ବୟାନ ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଏହି ମାମଲାରେ ସାଂଘାତିକ ଅଭିଯୋଗ ଆଣିବା ସହିତ ସେ କହିଛନ୍ତି, ଯେଉଁମାନେ ନବୀନ ବାବୁଙ୍କ ଅବର୍ତ୍ତମାନ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି, ସେହିମାନେ ହିଁ ନବ ଦାସଙ୍କ ହତ୍ୟାକାରୀ । ତେବେ ନବ ଦାସ ମୁଖ୍ୟମନ୍ତ୍ରୀ ଆଶାୟୀ ଥିଲେ, ଏହି କାରଣରୁ ହିଁ ତାଙ୍କୁ ହତ୍ୟା କରାଗଲା ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।

ପ୍ରଦୀପ ପୁରୋହିତଙ୍କ କହିବା କଥା, ନବ ଦାସଙ୍କୁ ଗୁଳିକାଣ୍ଡ ଏକ ସମ୍ପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇ କରୁ । ତେବେ କ୍ରାଇମବ୍ରାଞ୍ଚ ଯେଉଁଦିନ ଏହି ଘଟଣାରେ ନୂଆ ଷ୍ଟୋରୀ ତିଆରି କରିବ, ତା ପରେ ଯାଇ ଲୋକଙ୍କୁ ଜଣେଇବ । ଏହା ପଛରେ ଥିବା ଗୂଢ ରହସ୍ୟ କ୍ରାଇମବ୍ରାଞ୍ଚ କେବେ ବି ବାହାର କରିପାରିବନି ବୋଲି ପ୍ରଦୀପ ପୁରୋହିତ ବୟାନ ରଖିଛନ୍ତି ।

ନବୀନଙ୍କ ପରେ କିଏ ଓଡିଶାର ମୁଖ୍ୟମନ୍ତ୍ରୀ ହେବ? ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବ? ଏହି ବିବାଦରୁ ହିଁ ମନ୍ତ୍ରୀ ନବ ଦାସଙ୍କ ହତ୍ୟା କରାଯାଇଛି । ଏଥିସହିତ ମନ୍ତ୍ରୀ ନବ ଦାସ କାହିଁକି ଶନି ମନ୍ଦିର ଯାଇଥିଲେ? ଜ୍ୟୋତିଷ ତାଙ୍କୁ କଣ କହିଥିଲା? ସେନେଇ ଛାନଭିନ୍ କରାଯିବା କଥା । ଜ୍ୟୋତିଷଙ୍କ କହିବା କଥା, ନବ ଦାସ ମୁଖ୍ୟମନ୍ତ୍ରୀ ଆଶାୟୀ ଥିଲେ, ଏହି କାରଣରୁ ସେ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଆଶା ହିଁ ନବ ଦାସଙ୍କ ଜୀବନ ନେଇଛି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।