କଙ୍ଗାରୁକୋର୍ଟ ନିଷ୍ପତ୍ତିର ଶିକାର ହେଲେ ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡିତା : ନ୍ୟାୟ ବଦଳରେ ମିଳିଲା ଲାଞ୍ଝନା; ନବଜାତ ଶିଶୁକୁ ଛଡ଼ାଇ ନେଲା ଅଭିଯୁକ୍ତ

ଲକ୍ଷେ ଟଙ୍କାରେ ବିକ୍ରି କରିଦେଇଥିବା ନେଇ ମାଲକାନଗିରି କାଲିମେଳା ବ୍ଲକରୁ ଆସିଲା ଅଭିଯୋଗ

174

କନକ ବ୍ୟୁରୋ : କଙ୍ଗାରୁକୋର୍ଟ ନିଷ୍ପତ୍ତିର ଶିକାର ହୋଇଛନ୍ତି ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡିତା । ନ୍ୟାୟ ମିଳିବା ବଦଳରେ ମିଳିଛି ଲାଞ୍ଝନା । ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବା ବଦଳରେ କେବଳ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ପୀଡ଼ିତାଙ୍କ କୋଳରୁ ନବଜାତ ଶିଶୁକୁ ଛଡ଼ାଇ ନେଇ ଲକ୍ଷେ ଟଙ୍କାରେ ବିକ୍ରି କରି ଦେଇଛି ।

ମିଳିଥିବା ଟଙ୍କା କଙ୍ଗାରୁ କୋର୍ଟରେ ଦାଖଲ କରି ଏବେ ମୁକୁଳା ବୁଲୁଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ରେ ଘଟିଥିବା ଏହି ସମ୍ବେଦନଶୀଳ ଘଟଣା ସଂପର୍କରେ ପୁଲିସ ନିକଟରେ କୌଣସି ସୂଚନା ନାହିଁ । ଅପରପକ୍ଷରେ କଙ୍ଗାରୁ କୋର୍ଟ କଠୋର ଦଣ୍ଡ ବଦଳରେ ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଗାଁ ଲୋକ ବି ମୁହଁ ଖୋଲିବାକୁ ଭୟ କରୁଛନ୍ତି । ଏମିତି ସ୍ଥିତିରେ ପୀଡ଼ିତାଙ୍କ ମା’ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଭାଇ ବିବାହ କରି ଅନ୍ୟତ୍ର ଚାଲିଯିବା ପରେ ମା’ଙ୍କ ସହ ରହୁଥିଲେ ଦିବ୍ୟାଙ୍ଗ ପୀଡ଼ିତା । କାହା ସହ ବିଶେଷ ମିଳାମିଶା କରୁ ନଥିବା ବେଳେ ଅଧିକାଂଶ ସମୟ ଘରେ ରହୁଥିଲେ। ନିଜ ଗାଁର ହିଁ ଜଣେ ବିବାହିତ ଯୁବକର ଲୋଲୁପ ଦୃଷ୍ଟି ପୀଡ଼ିତା ଉପରେ ପଡ଼ିଥିଲା । ଦିନେ ପୀଡ଼ିତାଙ୍କ ମା’ କାମ କରିବାକୁ ଘରୁ ବାହାରକୁ ଚାଲିଯିବା ପରେ ଅଭିଯୁକ୍ତ ଘରକୁ ଆସି ଦୁଷ୍କର୍ମ କରିଥିଲା । ମୂକ ହୋଇଥିବାରୁ ଏବଂ ଲୋକଲଜ୍ଜା କାରଣରୁ କାହାକୁ କିଛି କହିପାରି ନଥିଲେ ପୀଡ଼ିତା । ଏହାର ସୁଯୋଗ ନେଇ ଅଭିଯୁକ୍ତ ବାରମ୍ବାର ଦୁଷ୍କର୍ମ କରିଥିଲା । ପୀଡ଼ିତା ଗର୍ଭବତୀ ହୋଇଯିବାରୁ ଗାଁରେ କଥା ପ୍ରଘଟ ହୋଇଥିଲା । ଗାଁର ବରିଷ୍ଠ ବ୍ୟକ୍ତି କଥାବର୍ତ୍ତା ଏବଂ ଆର୍ଥିକ ଦଣ୍ଡ ଦେଇ ଗାଁ କଥା ଗାଁ ଭିତରେ ହିଁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ।

ଗାଁ ବାହାରକୁ କଥା ଗଲେ ଗାଁର ବଦନାମ ହେବ ବୋଲି ଆଳ ଦେଖାଇଥିଲେ । ତେଣୁ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। କିନ୍ତୁ କଙ୍ଗାରୁ କୋର୍ଟର ନିଷ୍ପତ୍ତି ଆଦୌ ପୀଡ଼ିତାଙ୍କ ସପକ୍ଷରେ ନଥିଲା । ଅଭିଯୁକ୍ତ ଅଢ଼େଇ ଲକ୍ଷ ଟଙ୍କା ଜରିମାନା ବାବଦରେ ଦେବ ଏବଂ ସେହି ଟଙ୍କା ପୀଡ଼ିତାଙ୍କୁ କ୍ଷତିପୂରଣ ଭାବେ ଦିଆଯିବ ବୋଲି ନିଷ୍ପତ୍ତି ନିଆଗଲା । କୋହଳ ଦଣ୍ଡ ଯୋଗୁ ଅଭିଯୁକ୍ତ ରାଜି ହୋଇ ତୁରନ୍ତ ୧୦ହଜାର ଟଙ୍କା ଦେଇଥିଲା। ବଳକା ଟଙ୍କା ଦେବାକୁ ସମୟ ମାଗିବା ସହ କିସ୍ତି କିସ୍ତି କରି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। କଙ୍ଗାରୁ କୋର୍ଟ ଅଭିଯୁକ୍ତକୁ ଛାଡ଼ି ଦେଇଥିଲା ।