ମେଣ୍ଟରେ ବଢୁଛି କି ଫାଟ ! ସଂଜୟ ରାଉତଙ୍କ ଗିରଫଦାରୀ ପରେ କାହିଁକି ଚୁପ ଅଛନ୍ତି ଶରଦ ପାୱାର ?

167

କନକ ବ୍ୟୁରୋ : ଶିବସେନା ସାଂସଦ ସଂଜୟ ରାଉତଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗିରଫ କରିବା ଆଜକୁ ୫ ଦିନ ହୋଇଗଲାଣି । ଦିନକୁ ଦିନ ତାଙ୍କ ଉପରେ ବିଭିନ୍ନ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡିବାରେ ଲାଗିଛି ଇଡି । ଏହାସହ ଗତକାଲି ତାଙ୍କୁ ଇଡିର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇ ଚଳିତମାସ ୮ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଇଡି । ହେଲେ ଏତେ ସବୁପରେ ବି ମେଣ୍ଟରେ ଥିବା ନ୍ୟାସନାଲ କଂଗ୍ରେସ ପାର୍ଟିର ନେତା ଶରଦ ପାୱାର କାହିଁକି ମୁହଁ ଖୋଲି ନାହାଁନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଏହା ପୂର୍ବରୁ ଜାତୀୟ ଯାଂଚ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ବେଳେ ଶରଦ ପାୱାର କହୁଥିଲେ କି କେନ୍ଦ୍ର ସରକାର ଇଡି ଓ ସିବିଆଇ ଭଳି ଜାତୀୟ ଯାଂଚ ଏଜେନ୍ସିର ଦୂରୋପଯୋଗ କରି ବିରୋଧୀଙ୍କୁ ଚୁପ କରିବାକୁ ଷଡଯନ୍ତ୍ର କରୁଛି । ହେଲେ ଏବେ ସଂଜୟ ରାୱତଙ୍କ ଗିରଫ ପରେ ଏନସିପି ମଧ୍ୟରେ ବି ଦୁଇଗୋଷ୍ଠୀ ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀ କହୁଛନ୍ତି କି ଶରଦ ପାୱାର ପରିସ୍ଥିତିକୁ ଅନୁଧ୍ୟାନ କରି ବୟାନ ଦେବେ । ସେପେଟେ ଏନସିପିର ଅନ୍ୟ ଏକ ଗୋଷ୍ଠୀଙ୍କ କହିବା କଥା କି ଗାନ୍ଧୀ ପରିବାର ଉପରେ ଇଡିର କାର୍ଯ୍ୟାନୁଷ୍ଠାନକୁ ସତର୍କତାର ସହ ଅନୁଧ୍ୟାନ କରୁଛନ୍ତି ଶରଦ ପାୱାର ।

ସେପଟେ କୁହାଯାଉଛି କି ଏନସିପିର କିଛି ବିଧାୟକ ଓ ସାଂସଦଙ୍କ ଚାପ ଫଳରେ ଶରଦ ପାୱାର ଚୁପ ହୋଇଯାଇଛନ୍ତି । କାରଣ ମହାରାଷ୍ଟ୍ରରେ ମହାବିକାଶ ଅଘାଡିର ସରକାର ଭାଙ୍ଗିବା ପରେ ଏନସିପି ବିଜେପି ଆଡକୁ ଢଳୁଥିବା କଥା ନଜର କରାଯାଉଛି । କାରଣ ବର୍ତମାନ ମହାରାଷ୍ଟ୍ରରେ ଗଠନ ହୋଇଥିବା ସରକାରରେ ଅନିଶ୍ଚିନ୍ତିତତା ରହିଛି । ଯଦି ଆବଶ୍ୟକ ପଡେ ତେବେ ଏନସିପି ବି ବିଜେପିକୁ ସମର୍ଥନ କରିପାରେ  । ଏହି କାରଣରୁ ଶରଦ ପାୱାର ବିଜେପି ଉପରେ ନରମ ମନୋଭାବ ରଖିଥାଇ ପାରନ୍ତି ।

ସେପଟେ ଏନସିପିର ମୁଖ୍ୟ ପ୍ରବକ୍ତା ମହେଶ ତାପସେ କହିଛନ୍ତି କି ସଂଜୟ ରାୱତଙ୍କ ଗିରଫଦାରୀ ନେଇ ପାର୍ଟି ପ୍ରଥମରୁ ନିଜ ଷ୍ଟାଣ୍ଡ ସ୍ପଷ୍ଟ କରିଛି । ଇଡି ଓ ସବିଆଇର ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧରେ ଶରଦ ପାୱାର ପ୍ରଥମରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିସାରିଛନ୍ତି । ଏବେ ବି ଏନସିପିର ସମସ୍ତ ନେତାମାନଙ୍କର ଗୋଟିଏ ମତ ବିରୋଧୀଙ୍କୁ   ଚାପଗ୍ରସ୍ଥ କରିବାକୁ କେନ୍ଦ୍ର ସରକାର ଇଡିର ଅପବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି ।