ଏକନାଥ ସିନ୍ଦେଙ୍କ ସହ ହୋଇପାରୁନି ଯୋଗାଯୋଗ। ସଙ୍କଟରେ ଉଦ୍ଧବ ସରକାର। ୨୦ ବିଧାୟକଙ୍କୁ ନେଇ କୁଆଡେ ଗଲେ ସିନ୍ଦେ?

293

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏମ୍ଏଲସି ନିର୍ବାଚନ ପରେ ରାଜନୈତିକ ହଇଚଇ ଦେଖିବାକୁ ମିଳିଛି । ଏମ୍ଏଲସି ନିର୍ବାଚନ ପରେ ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ କୌଣସି ଖବର ନଥିଲା । ଏବେ ଜଣାପଡ଼ିଛି ଯେ, ସେ କିଛି ବିଧାୟକଙ୍କ ସହ ଗୁଜରାଟର ସୁରତରେ ଅଛନ୍ତି । ଆଶଙ୍କା କରାଯାଉଛି କି, ଶିବସେନାର କିଛି ବିଧାୟକ କ୍ରସ୍ ଭୋଟିଂ କରିଥିଲେ, ଯାହା ଫଳରେ ଦଳର କ୍ଷତି ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ୧୦ ସିଟ୍ ଉପରେ ବିଧାନ ପରିଷଦ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ବିଜେପିର ୫ ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଶିବସେନା ଓ ଏନ୍ସିପିର ୨ ଜଣ ଲେଖାଏଁ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

ସୂଚନା ଅନୁସାରେ ଏକନାଥ ସିନ୍ଦେ ଦାବି କରୁଛନ୍ତି ଯେ, ତାଙ୍କ ସପକ୍ଷରେ ଏବେ ୨୦ ଜଣ ବିଧାୟକ ଅଛନ୍ତି । ଅନ୍ୟପଟେ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୈଠକ ଡାକିଛନ୍ତି । ଏଥିରେ ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବା ପାଇଁ କୁହାଯାଇଛି ।