ବିଜେପିର ‘ଶିବ’ଙ୍କୁ ଟକ୍କର ଦେଇପାରିବେ କି କଂଗ୍ରେସର ‘ହନୁମାନ’?… ହାଇ ପ୍ରୋଫାଇଲ ସିଟ୍ ଉପରେ ରହିବ ନଜର ।

120

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକାଧିକ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । କାରଣ ଭାରତୀୟ ଜନତା ପାର୍ଟି ନେଉଛି ଚମକାଇ ଦେବା ଭଳି ନିଷ୍ପତ୍ତି । ମଧ୍ୟପ୍ରଦେଶରେ ବିଜେପିର ପ୍ରଥମ ଦୁଇଟି ତାଲିକା ହଇଚଇ ସୃଷ୍ଟି କରିଥିଲା । ଏହାପରେ ତୃତୀୟ ତାଲିକା ବି କିଛି ବିରୋଧୀ ନେତାଙ୍କୁ ହାର୍ଟବିଟ୍ ବଢାଇ ଦେଇଥିଲା । ଅପରପଟେ କଂଗ୍ରେସ ବି ନିଜର ପ୍ରଥମ ତାଲିକା ଜାରି କରିଛି । ଏଥିରେ ଦଳର ଏକାଧିକ ବରିଷ୍ଠ ନେତାଙ୍କୁ ସ୍ଥାନ ମିଳିଛି । ଏମପି ପ୍ରାର୍ଥୀ ପାଇଁ କଂଗ୍ରେସ ଏହି ତାଲିକାରେ ୧୪୪ ଜଣଙ୍କ ନାଁ ଘୋଷଣା କରିଛି ।

ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନରେ ନଭେମ୍ବର ୧୭ ତାରିଖରେ ନିର୍ବାଚନ ହେବ । ଏହି ନିର୍ବାଚନରେ ଅନେକ ଧୂରୀଣ ନେତାଙ୍କ ରାଜନୈତିକ ଭବିଷ୍ୟତ ମଧ୍ୟ ବାଜିରେ ଲାଗିଛି । ମଧ୍ୟପ୍ରଦେଶର ଭିଆଇପି ସିଟକୁ ଦେଖିଲେ ଏଠାରେ ଏଭଳି ୧୦ରୁ ଅଧିକ ସିଟ୍ ରହିଛି ଯେଉଁଠାରେ ବିଜେପି ମଧ୍ୟ କେନ୍ଦ୍ରୀୟ ମନ୍ତ୍ରୀ, ସାଂସଦ ଓ ସିଏମ ପଦର ଦାବିଦାର ଓହ୍ଲାଇଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ନିଜର ପ୍ରଥମ ସୂଚୀ ଜାରି କରିଛି ।

ସୂଚନା ମୁତାବକ, ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବୁଧନୀ ବିଧାନସଭାରୁ ଟିକେଟ୍ ଦେଇଛି । ଶିବରାଜ ଏହି ଆସନରୁ ଲଗାତାର ୪ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଆସନରେ ଶିବରାଜଙ୍କୁ ଟକ୍କର ଦେବାକୁ ବିକ୍ରମ ମାସ୍ତାଲଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ବିକ୍ରମ ରାମାୟଣ-୨ରେ ହନୁମାନ ଚରିତ୍ରରେ ଦେଖିବାକୁ ମିଳିଛନ୍ତି ।