ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା । ସାମିଲ ହେବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଖର୍ଚ୍ଚ ୧ କୋଟିରୁ ଅଧିକ ଟଙ୍କା ।

469

କନକ ବ୍ୟୁରୋ: ବଢିବ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବ ଅତ୍ୟାଧୁନିକ ଯନ୍ତ୍ରପାତି । ୟୁପି ପୋଲିସ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ମଝବୁତ୍ କରିବାକୁ ଯାଉଛି । ଏଥିପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଅତ୍ୟାଧୁନିକ ଉପକରଣ କିଣିବାକୁ ଯାଉଛି ।

ତେବେ ଅଧିକାଂଶ ସମୟରେ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଆସିଥାଏ । ରାଷ୍ଟ୍ର ବିରୋଧୀ ଶକ୍ତି ତାଙ୍କ ଉପରକୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରେ । ତେଣୁ ଏ ସବୁକୁ ଲକ୍ଷ୍ୟ କରି ୟୁପି ପୋଲିସ୍ ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ବଢାଇବାକୁ ଯୋଜନା କରିଛି ।

ଏଣିକି ଯୋଗୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅତ୍ୟାଧୁନିକ ଡ୍ରୋନ୍, ବଡି ୱର୍ଣ୍ଣ କ୍ୟାମେରା, ନାଇଟ୍ ଭିଜନ ଆଦି ଯୋଡିହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ରାଜ୍ୟପାଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କର ମଧ୍ୟ ସିକ୍ୟୁରିଟିକୁ ଆହୁରି ଅଧିକ ବଢାଯିବ ବୋଲି ୟୁପି ପୋଲିସ ସୂଚନା ଦେଇଛି । ଆଧୁନିକ ଯନ୍ତ୍ରପାତି କିଣିବାକୁ ୟୁପି ପୋଲିସ ୧ କୋଟି ୨ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ କରିବ । ଯେଉଁଥିରେ କି ୯୧ଟି ଉପକରଣ କିଣାଯିବ ବୋଲି ଜଣାପଡିଛି ।