ଶେଷ ଯାଏଁ ସାଥ୍ ଦେବାକୁ କହିଥିଲେ ହେଲେ ଅଧାରୁ ବାଟକାଟି ଚାଲିଗଲେ । ନିଆରା କେକେଙ୍କ ଲଭଷ୍ଟୋରୀ

1,030

କନକ ବ୍ୟୁରୋ: ଶେଷ ଯାଏଁ ସାଥ୍ ଦେବାକୁ କହିଥିଲେ ହେଲେ ଅଧାରୁ ବାଟକାଟି ଚାଲିଗଲେ । ବାକି ରହିଗଲା ଅନେକ କଥା । ଅସମୟରେ ଚାଲିଗଲା କେକେଙ୍କ ଜୀବନ । କୃଷ୍ଣ କୁମାର କୁନ୍ନଥ୍ ଓରଫ୍ କେକେ ବଲିଉଡ୍ ଇଣ୍ଡଷ୍ଟ୍ରିର ଆଗଧାଡିର ସିଙ୍ଗର । ନିଜ କ୍ୟାରିଅରରେ ୭୦୦ରୁ ଅଧିକ ଗୀତ ଗାଇ ସମସ୍ତଙ୍କ ମନ ମୋହି ନେଇଛନ୍ତି । ଏତେ ଲୋକପ୍ରିୟ ହୋଇ ପ୍ରସିଦ୍ଧି ପାଇବା ପରେ ବି ନିଜ ପର୍ସନାଲ ଲାଇଫକୁ କିନ୍ତୁ ମିଡିଆ ଠାରୁ ଦୂରେଇ ରଖିଥିଲେ କେକେ । ଖୁବ୍ କମ ଲୋକ ଜାଣନ୍ତି ତାଙ୍କ ବ୍ୟକ୍ତିଗତ ଜୀବନ ବିଶେଷ କରି ତାଙ୍କର ବୈବାହିକ ଜୀବନ ବିଷୟରେ ।

କେକେ ତାଙ୍କର ପିଲାଦିନର ସାଙ୍ଗଙ୍କୁ ବିବାହ କରିଥିଲେ । ତାଙ୍କ ନାଁ ଥିଲା ଜ୍ୟୋତି । ଖୁବ୍ କମ ବୟସରୁ ପ୍ରେମରେ ପଡିିଥିଲେ କେକେ । ମାତ୍ର ଷଷ୍ଠ ଶ୍ରେଣୀରେ ପଢିବା ବେଳେ ସହପାଠୀ ଜ୍ୟୋତିଙ୍କୁ ଭଲପାଇବସିଥିଲେ । ପ୍ରେମର ମାନେ ଠିକ ଭାବେ ଜଣାନଥିଲେ ବି ଜ୍ୟୋତିଙ୍କ ପ୍ରତି ତାଙ୍କର ଥିଲା ଏକ ଭିନ୍ନ, ସ୍ନେହବୋଳା ଭାବନା । ଯାହା ପରବର୍ତ୍ତୀ ସମୟରେ ଯାଇ ପ୍ରେମର ପରିଭାଷାରେ ପ୍ରକାଶ ପାଇଥିଲା ।ପିିଲାଟିଦିନରୁ ଜ୍ୟୋତିଙ୍କ ବ୍ୟତୀତ ଆଉ କାହା କଥା ଅଜାଣତରେ ବି ଚିନ୍ତା କରିନଥିବା କପିଲ ଶର୍ମା ଶୋ’ରେ କହିଥିଲେ କେକେ ।

ପିଲା ଦିନର ପ୍ରେମ ୧୯୯୧ରେ ବିବାହର ରୂପ ନେଇଥିଲା । ହେଲେ ବିବାହ ପୂର୍ବରୁ ଚାକିରି ନପାଇ ବାଧ୍ୟହୋଇ ସେଲ୍ସମ୍ୟାନ ଚାକିରିକୁ ବାଛିନେଇଥିଲେ । ହେଲେ ବିବାହର ମାତ୍ର ୬ ମାସ ପରେ ହିଁ ଏହି ଚାକିରିରୁ ତାଙ୍କ ମନ ଛାଡିଯାଇଥିଲା । ଏହାପରେ ଚିନ୍ତାରେ ରହୁଥିବା କେକେଙ୍କୁ ମିଳିଥିଲା ପତ୍ନୀ ଜ୍ୟୋତିଙ୍କ ସମର୍ଥନ । ଆଉ ଏପରି ଏକ ବାଟ ବାଛିନେଇଥିଲେ ଯାହା ତାଙ୍କ ପାଇଁ ବିଧି ନିର୍ଦ୍ଦିଷ୍ଟ ଥିଲା । ତାହା ଥିଲା ସଙ୍ଗୀତର ବାଟ । ଏହାପରେ ନିଜ ପାଇଁ ଏକ କି ବୋର୍ଡ କିଣିଥିଲେ । ଆଉ ନିଜ ସାଙ୍ଗ ଶିବାନୀ କଶ୍ୟପ୍ ଓ ସୈବଲ ବସୁଙ୍କ ସହ ମିଶି ଜିଙ୍ଗିଲ୍ସ ପ୍ରସ୍ତୁତ କରିଥିଲେ । ତିନିଜଣ ମିଶି ଜିଙ୍ଗଲ୍ସ ରୁ ଯଥେଷ୍ଟ ଅର୍ଥ ବି ରୋଜଗାର କଲେ । ତଥାପି ଏଥିରେ ସନ୍ତୁଷ୍ଟ ନଥିଲେ କେକେ । ଯେଉଁ କାମକୁ ସେ ମନେମନେ ଝୁରୁଥିଲେ ତାହା ଦିଲ୍ଲୀରେ ନଥିଲା । ସେଥିପାଇଁ ସେ ମୁମ୍ବାଇ ଚାଲିଆସିଲେ । ଏଠାରେ ତାଙ୍କୁ ପ୍ରଥମେ ୧୯୯୬ରେ ‘ହମ୍ ୱ ଗଲିଆଁ’ ଗୀତ ଗାଇଥିଲେ । ଏହାପରେ ‘ପଲ’ ଆଲବମରେ ସବୁ ଗୀତ ଗାଇଥିଲେ,ଯାହା ତାଙ୍କୁ ପ୍ରସିଦ୍ଧି ଦେଇଥିଲା । ତାଙ୍କୁ କୃଷ୍ଣ କୁମାରରୁ କେକେ କରିଦେଇଥିଲା । ସେବେଠେରୁ ସେ ଆଉ ପଛକୁ ଚାହିଁନାହାଁନ୍ତି ।

ବିଭିନ୍ନ ଭାଷାରେ ୭୦୦ରୁ ଅଧିକ ଗୀତ ଗାଇ ବେଶ୍ ଲୋକପ୍ରିୟ ହୋଇଥିଲେ । ହେଲେ କାଳର କରାଳ ଗତିରେ ତାଙ୍କ ସ୍ୱର ଆଜି ନୀରବି ଯାଇଛି । ମଙ୍ଗଳବାର ରାତିରେ କେଲକାତାରେ ଏକ ଲାଇଭ ଶୋ’ରେ ପରଫରମାନ୍ସ ଦେଉଥିବାବେଳେ ହଠାତ୍ ଅସୁସ୍ଥ ପଡିଥିଲେ । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତ ଠାରୁ ଆରମ୍ଭ କରି ରାଜନୀତି ଜଗତ ସବୁ ସ୍ତବ୍ଧ । ରୋମାଣ୍ଟିକ୍ ଗୀତ ଗାଇ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା କେକେ ସମସ୍ତଙ୍କୁୁ କନ୍ଦାଇ ଆରପାରିକୁ ଚାଲିଯାଇଛନ୍ତି ।