ଘରର ସମସ୍ୟା ଦୂର କରିବା କହି ବାବା ଲୁଟିନେଲେ ସୁନା ଗହଣା । ନନ୍ଦନକାନନ ଥାନାରେ ଅଭିଯୋଗ

408

କନକ ବ୍ୟୁରୋ : ବାବା ଲୁଟିନେଲେ ସୁନା ଗହଣା । ଭିକ୍ଷା ମାଗିବା ନାରେ ଘରକୁ ଆସି ସୁବିଧା ସୁଯୋଗ ଦେଖି ସୁନା ଗହଣା ଲୁଟିନେଇ ଛୁ ହୋଇଗଲେ ଉତର ପ୍ରଦେଶରୁ ଆସିଥିବା ନାଗାସାଧୁ । ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗାଁରେ ଘଟିଛି ଏଭଳି ଏକ ଘଟଣା । ନନ୍ଦନକାନନ ଥାନାରେ ଏନେଇ ହୋଇଛି ଅଭିଯୋଗ ।

ରାକେଶ ପଢ଼ିଆରୀଙ୍କ ଘରକୁ ଗତକାଲି ସକାଳୁ ସକାଳୁ ପହଂଚିଥିଲେ ୩ ଜଣ ନାଗାସାଧୁ । ବାବା ଘରର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପଢ଼ିଆରୀଙ୍କ ପରିବାର ତାଙ୍କୁ ଘର ଭିତରକୁ ଡାକିଥିଲେ । ରାକେଶଙ୍କ ପରିବାର ଲୋକେ ବାବାଙ୍କ ଅତିଥି ସେବା କରି ସାରିବା ପରେ ବିଭିନ୍ନ ଆଲୋଚନା କରିଥିଲେ । କିଛି ପୂଜାର୍ଚ୍ଚନା ସହ ସମସ୍ୟା ସମାଧାନର ବାଟ ବତାଇ ଭିକ୍ଷା ନେଇ ଫେରିଯାଇଥିଲେ ବାବା । ହେଲେ କିଛି ସମୟ ପରେ ଜଣାପଡ଼ିଥିଲା ଯେ ଘରେ ଥିବା କେତେକ ସୁନା ଅଳଙ୍କାର ଚୋରି ହୋଇଯାଇଛି ।

ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ବାବାଙ୍କ ଉପରେ ସନ୍ଦେହ କରି ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି । ଉତରପ୍ରଦେଶରୁ ଆସିଥିବା ୬ଜଣ ନାଗା ବାବା ରଘୁନାଥପୁର ମାଉସୀମା’ ମନ୍ଦିର ଛକରେ ପହଂଚିଥିଲେ । ସେମାନେ ମନ୍ଦିର ଭିତରକୁ ଯିବାକୁ ଚାହିଁବାରୁ ପୂଜକ ବାରଣ କରିଥିଲେ । ହେଲେ ରାକେଶ ପଢ଼ିଆରୀ ମନ୍ଦିର ପରିଚାଳନା କମିଟିରେ ଥିବାରୁ କହିଥିଲେ ଯଦି ସାଧୁମାନେ ଚାହୁଁଛନ୍ତି ମନ୍ଦିର ଭିତରକୁ ଯାଆନ୍ତୁ । ମନ୍ଦିର ପରିସରରେ ବସି ସାଧୁମାନେ ନାମ କିର୍ତନ କରିଥିଲେ । ରାକେଶଙ୍କ ବ୍ୟବହାରରେ ଖୁସି ହୋଇ ସେମାନେ ତାଙ୍କ ଘରକୁ ଯାଇଥିଲେ । ସେହି ସମୟରେ ତାଙ୍କ ପୁଅ ଘରର ଡାଇନିଂ ଉପରେ ସୁନା ଚେନ୍ ରଖି ଗାଧୋଇବାକୁ ଯାଇଥିଲେ । ସେ ଚୁନା ଚେନ୍ ସହ ଘରର ଅନ୍ୟ ସୁନା ଗହଣା ଳୁଟିନେଇଥିବା ନାଗାସାଧୁଙ୍କ ନାଁରେ ଅଭିଯୋଗ କରିଛନ୍ତି ରାକେଶ ।