ଗାଁ ସମସ୍ୟା କୁନିଝିଅ ଜଣାଇବା ପ୍ରସଙ୍ଗ : ମନ୍ତ୍ରୀ, ପ୍ରଶାସନକୁ ପ୍ରଶ୍ନ କଲେ ପ୍ରଦୀପ ମାଝୀ; ଏଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ?

343

କନକ ବ୍ୟୁରୋ : ଚର୍ଚ୍ଚାରେ କୋରାପୁଟର କୁନିଝିଅ ସୋନାଲି । ଅଗଷ୍ଟ ୧୫ରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ବେଳେ ଦଶମନ୍ତପୁର ପଦ୍ମଗୁଡାର ସମସ୍ୟାକୁ ଅଭିନୟ କରି ଦେଖାଇଥିଲେ ସୋନାଲି । ଏହି ସମୟରେ ଉପସ୍ଥିତ ଥିଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର ମନଖୋଲି ହସିଥିଲେ । ଏହାକୁ ସମାଲୋଚନା କରିଛନ୍ତି ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି । ସୋସିଆଲ ମିଡିଆରେ ପ୍ରଶାସନ ସମେତ କୃଷିମନ୍ତ୍ରୀ ଓ ଉପସ୍ଥିତି ଅତିଥିଙ୍କୁ ଟାର୍ଗେଟ କରିଛନ୍ତି । ଏଭଳି ହସିବା କେତେଦୂର ଯୁକ୍ତଯୁକ୍ତ ବୋଲି ସେ କହିଛନ୍ତି ।

ଦଶମନ୍ତପୁର ବ୍ଲକ୍ ପଦଗୁଡା ଗାଁରେ ସମସ୍ୟା ଖୁନ୍ଦିହୋଇ ରହିଛି । ଗାଁରେ ୬୬ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି । କିନ୍ତୁ ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନାହିଁ । ଲୁଲା ପଞ୍ଚାୟତରୁ ଏହି ଗାଁକୁ ଯିବାକୁ ହେଲେ ୩ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି । ବିଶୁଦ୍ଧ ପାଣି ପାଇଁ ଗାଁରେ କୂଅ, ନଳକୂପ ନଥିବାରୁ ଗ୍ରାମବାସୀ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି । ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନା ନାହିଁ ।

ଅସୁସ୍ଥ ହେଲେ କିମ୍ବା ଗର୍ଭବତୀଙ୍କୁ ଦୋଳାରେ ଆଣିବାକୁ ପଡୁଛି । ଗ୍ରାମରେ ବିଦ୍ୟୁତ୍ ଓ ମୋବାଇଲ୍ ସେବା ମଧ୍ୟ ଉପଲବ୍ଧ ନାହିଁ । ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟ ମଧ୍ୟ ନାହିଁ । ଗ୍ରାମାଞ୍ଚଳର ବିକାଶ ପାଇଁ ବିଡିଓ, ଜିଲ୍ଲାପାଳ ଘୂରି ବୁଲୁଥିଲେ ସୁଦ୍ଧା ଆମ ଦୁଃଖ ଦୂର ହେଉନି । ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ତୁମର ଧର୍ମ ହେବ ବୋଲି ମନ୍ତ୍ରୀଙ୍କୁ କୁନି ଛାତ୍ରୀ ଜଣକ ନିବେଦନ କରିଛନ୍ତି ।