ଦିଗପହଣ୍ଡି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ । ମୃତଦେହ ଦେଖି ଫାଟିପଡିିଲା ଗାଁ ଦାଣ୍ଡ । ଶ୍ମଶାନରେ ପାଉଁଶ ହେଲା ସୁନାର ସଂସାର ।

523

କନକ ବ୍ୟୁରୋ: କିଛି ଘଣ୍ଟା ପୂର୍ବରୁ ଯେଉଁ ଗାଁରେ ହସଖୁସି ଥିଲା , କିଛି ଘଣ୍ଟା ପରେ ସେହି ଗାଁରେ ଖେଳିଗଲା ଶୋକର ଛାୟା । ଜଣକ ପରେ ଜଣକ ମୃତଦେହ ଗାଁ ଦାଣ୍ଡରେ ପହଞ୍ଚୁଥିଲା । ଆଉ ମୃତଦେହ ଦେଖି ଫାଟିପଡୁଥିଲା ଗାଁ ଦାଣ୍ଡ । ଗଞ୍ଜାମ ଜିଲ୍ଲା ଖଣ୍ଡଦେଉଳି, ମୁଜାଗଡ ଓ ସିନ୍ଦୁପୁର ଗାଁରୁ ଆସିଛି ଛାତିିଫଟା ଦୃଶ୍ୟ ।

ଶ୍ମଶାନର ନିଆଁ ସତରେ କେତେ ନିଷ୍ଠୁର । ଶବର ବୟସ ଦେଖେନି କି’ ମୃତକଙ୍କ ମୁହଁ ଚାହେଁନି । ଶରୀରରୁ ଜୀବନ ଛାଡ଼ି ଗଲେ, ନାଁ ସେ ମୃତକଙ୍କ ବୟସ ଦେଖେ, ନା’ ପୁରୁଷ କି ମହିଳା ଚିହ୍ନେ । ସମସ୍ତଙ୍କୁ ସଂସ୍କାରର ଏହି ନିଆଁରେ ଜଳିବାକୁ ହୁଏ । ହେଲେ, ଏଠି କେବଳ ନିଆଁ ଜଳିନି । ବରଂ ଜଳିପୋଡ଼ି ପାଉଁଶ ହୋଇ ଯାଇଛି ସୁନାର ସଂସାର ।

ସେଇ ଗାଁ ଦାଣ୍ଡ, ସେଇ ଗ୍ରାମବାସୀ । ବଦଳିଛି ତ’ କେବଳ ପରିବେଶ । କିଛି ଘଣ୍ଟା ପୂର୍ବରୁ ଯେଉଁଠି ବିବାହର ଉତ୍ସାହ ଥିଲା । ସେଠି ମୃତ୍ୟୁର ବେଦନା । ଗାଁ ଦାଣ୍ଡରେ ଯେତେବେଳେ କୋକେଇ ଶ୍ମଶାନ ଆଡକୁ ବଢ଼ୁଥିଲା, ସମସ୍ତଙ୍କ ଆଖିରେ ଲୁହ ଝରୁଥିଲା ।

ଯେଉଁ ବନ୍ଦାପନା ବେଦୀରେ ଶୁଭ ମନାସୀ ପରିବାର ଲୋକ ଘରୁ ବାହାରି ଯାଇଥିଲେ । ମାତ୍ର କିଛି ଘଣ୍ଟା ପରେ ସେଇ ଅଗଣାରେ ପହଞ୍ଚିଯାଇଥିଲା ମୃତଦେହ । ଝିଅ ବାହାଘର ପାଇଁ କାନ୍ଥରେ ଅଙ୍କା ଯାଇଥିବା ଲେଖା ସେମିତି ରହିଛି । କିଛି ଘଣ୍ଟା ପୂର୍ବରୁ ବନ୍ଧୁବାନ୍ଧବରେ ଘର ଫାଟି ପଡୁଥିଲା, ସମସ୍ତେ ହସଖୁସିରେ ମସଗୁଲ ଥିଲେ । ହେଲେ ରାତି ପାହିଲା ବେଳକୁ ଲୁହରେ ବଦଳି ଗଲା ଖୁସି । ଝିଅକୁ ଶାଶୁଘରେ ଛାଡି ଘରକୁ ଫେରୁଥିବା ବେଳେ ଯେଉଁ ଘଟଣା ଘଟିଲା । ତାହା ସାରା ଓଡ଼ିଶାକୁ ସ୍ତବ୍ଧ କରି ଦେଇଛି ।

ଦୂରତା ଥିଲା ମାତ୍ର ୫ରୁ ୭ କିଲୋମିଟର । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆଉ ସମୟ ଲାଗିଥାନ୍ତା ବେଶୀରୁ ବେଶୀ ହେଲେ ୧୫ ମିନିଟ୍ । ହେଲେ ଠିକଣାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ୧୨ ଜଣଙ୍କ ଜୀବନ ।