‘ଯଦି କାମ କରିପାରୁନ, ଚାକିରି ଛାଡିଦିଅ’ : ଜନଶୁଣାଣିରେ ଅଧିକାରୀଙ୍କ ଉପରେ ବିଗିଡିଲେ ଜିଲ୍ଲାପାଳ

480

କନକ ବ୍ୟୁରୋ : ଜନ ଶୁଣାଣିରେ ଅଧିକାରୀଙ୍କ ଉପରେ ବିଗିଡ଼ିଲେ ଜିଲ୍ଲାପାଳ । ଯଦି କାମ କରିପାରୁନ, ଚାକିରି ଛାଡି ଦିଅ ବୋଲି ସଫାସଫା ଶୁଣାଇ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଜିଲ୍ଲାପାଳ ପଚାରୁଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି । କୋରାପୁଟ ଜିଲ୍ଲା ପଟାଙ୍ଗିରେ ଜନଶୁଣାଣି ଚାଲିଥିଲା । ଠିକ୍ ସେତବେଳେ ସୁଙ୍କି ପଂଚାୟତର ୱେଲ-ମାଉଡ଼ି ଗାଁର ଲୋକମାନେ ଜିଲ୍ଳାପାଳଙ୍କ ଆଗରେ ନିଜର ଅଭିଯୋଗ କରିଥିଲେ ।

୬୦ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାନୀୟ ଅଞ୍ଚଳରେ ଏକ ପୋଲ ନିର୍ମାଣ ହୋଇଥିଲା । ୨ ବର୍ଷ ତଳେ ସମାନ୍ୟ ବର୍ଷାରେ ଏହା ଭୁଷୁଡ଼ି ପଡ଼ିଥିଲା । ହେଲେ ବାରମ୍ବାର ଦାବି ସତ୍ୱେ ଏହି ପୋଲ ମରାମତି କାମ ହୋଇପାରୁନଥିଲା । ତେଣୁ ଜନଶୁଣାଣୀକୁ ନିଜ ସମସ୍ୟା ଜଣାଇବା ପାଇଁ ଆସିଥିଲେ ଗ୍ରାମବାସୀ । ଅଭିଯୋଗ ଶୁଣିବା ପରେ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ କାହିଁକି କାମ ସରିପାରୁନି ବୋଲି ପ୍ରଶ୍ନ କରିଥିଲେ । ହେଲେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରିନଥିଲେ ଆର୍ଡି ଅଧିକାରୀ । ଯେଉଁଥିପାଇଁ ଅଧିକାରୀଙ୍କ ଉପରେ ବର୍ଷିଥିଲେ ।