ପଶ୍ଚିମବଙ୍ଗରେ ୧୫ ଦିନ ମଧ୍ୟରେ ଚତୁର୍ଥ ମଡେଲଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷିୟା ମଡେଲ ସରସ୍ୱତୀଙ୍କ ମୃତ ଶରୀର

212

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପୁଣି ଜଣେ ମଡେଲଙ୍କ ମୃତ ଦେହ ଉଦ୍ଧାର କରଯାଇଛି । ୧୮ ବର୍ଷିୟା ଏହି ମଡେଲ ସରସ୍ୱତୀଙ୍କ ମୃତଦେହ ନିଜ ବାସଭବନରେ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଛି । ସେପଟେ ଗତ ୧୫ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗରେ ୪ ଜଣ ମଡେଲ ଆତ୍ମହତ୍ୟା କରିବା ଘଟଣା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଥମେ ମଡେଲ ମଞ୍ଜୁସା ନିୟୋଗୀ, ବିଦିଶା ଡି ମଜୁମଦାର ଓ ପଲ୍ଲବୀ ଦେଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମଳିଥିଲା । ଏହାକୁ ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ପୁଣିଜଣେ ମଡେଲଙ୍କ ମୃତଦେହ ଏଭଳି ସନ୍ଦିଗ୍ଧ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସେପଟେ ମୃତ ସରସ୍ୱତୀଙ୍କ ମୃତଦେହ ଉଦ୍ଧାର କରି ପୋଲିସ ପୋଷ୍ଟମର୍ଟମ୍ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

ପୋଲିସର ସୂଚନା ମୁତାବକ କସବା ଅଞ୍ଚଳରେ ରହୁଥିବା ଏହି ମଡେଲ ଜଣଙ୍କ ପେଶାରେ ଜଣେ ମେକଅପ୍ ଆର୍ଟିଷ୍ଟ । ଏହାସହ ସେ ବିଭିନ୍ନ ବିଜ୍ଞାପନରେ ଜଣେ ମଡେଲ ଭାବେ କାମ ବି କରିଛନ୍ତି । ସେ ଶନିବାର ଦିନ ରାତିରେ ନିଜ ରୁମରେ ନିଜ ଓଢଣୀକୁ ବେକରେ ଗୁଡାଇ ପଙ୍ଖାରେ ଝୁଲିପଡିଥିବା କଥା କୁହାଯାଉଛି । ଏନେଇ ପ୍ରଥମେ ସରସ୍ୱତୀ ପଙ୍ଖାରେ ଝୁଲୁଥିବା ତାଙ୍କ ଜେଜେ ମା ଦେଖିବାକୁ ପାଇଥିଲେ । ଏହାପରେ ସରସ୍ୱତୀଙ୍କୁ ତଳକୁ ଓହ୍ଲାଇ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମେଡିକାଲରୁ ହିଁ ପୋଲିସକୁ ସୂଚନା ମଳିଥିଲା । ସେପଟେ ସରସ୍ୱତୀଙ୍କ ଅତ୍ମହତ୍ୟା ପଛରେ ପୂର୍ବ ମଡେଲଙ୍କ ଆତ୍ମହତ୍ୟା ସହିତ କିଛି ସମ୍ବନ୍ଧ ଥାଇପାରେ ବୋଲି ପୋଲିସ ଅନୁମାନ କରିଛି ।