ମହିଳା ପୁଲିସ ଅଧିକାରୀଙ୍କ ମହାନତା । ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ମା’ର କଅଁଳା ଶିଶୁକୁ ସ୍ତନ୍ୟପାନ କରାଇ ଦେଲେ ଜୀବନଦାନ ।

267

କନକ ବ୍ୟୁରୋ: ଅନୁଶାସନକୁ ଜଗୁଥିବା ପୁଲିସ ମନରେ ବି ଅଛି ସ୍ନେହ ମମତା । ଏହାର ପ୍ରମାଣ ଦେଇଛନ୍ତି କୋଚିର ଜଣେ ମହିଳା ପୁଲିସ ।ଡାକ୍ତରଖାନାରେ ଜଣେ ମହିଳା ଜୀବନ ମରଣ ଦୋଛକିରେ ପଡିଥିବାବେଳେ ତାଙ୍କ ୪ ମାସର କଅଁଳା ଶିଶୁକୁ ଉଦ୍ଧାର କରିଛନ୍ତି । ଖାଲି ସେତିକି ନୁହେଁ ଭୋକରେ ଆଉଟୁପାଉଟୁ ହେଉଥିବ ଶିଶୁକୁ ନିଜେ ସ୍ତନ୍ୟପାନ କରାଇଛନ୍ତି । ଏଭଳି ଘଟଣା ଘଟିଛି କେରଳ କୋଚି ପୁଲିସ ଷ୍ଟେସନରେ । ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବା ବେଳେ ତାଙ୍କୁ ସମସ୍ତେ ବାହାବା କରୁଛନ୍ତି ।

ସୂଚନା ମୁତାବକ, ୪ମାସର ଶିଶୁର ବାପା ଜେଲ୍‌ରେ ଥିବା ବେଳେ ମା’ ହସ୍ପିଟାଲ ବିଛଣାରେ ପଡ଼ି ମୃତ୍ୟୁ ସହ ସଂଘର୍ଷ କରୁଛି। ଏହି ପରିବାର ବିହାରର ବାସିନ୍ଦା ହୋଇଥିବା ବେଳେ କିଛି ବର୍ଷ ହେବ ବାପାମା’ ଓ ୪ମାସ ଶିଶୁ ସମେତ ୩ ଭାଇଭଉଣୀ କୋଚିରେ ରହୁଛନ୍ତି। ମା’ ହସ୍ପିଟାଲ ବିଛଣାରେ ପଡ଼ିଥିବା ବେଳେ ୪ଜଣ ଶିଶୁ ବାହାରେ ଭୋକଉପବାସରେ ପଡ଼ି ରହିଥି‌ଲେ। ଏଥିମଧ୍ୟରୁ ୪ମାସର ଶିଶୁ ମା’ କ୍ଷୀର ପାଇଁ ଆଉଟୁପାଉଟୁ ହୋଇ ରାହା ଧରି କାନ୍ଦୁଥିଲା। ତେବେ ଏହି ଘଟଣା ବିଷୟରେ ଖବର ପାଇ ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ମା’ର ସମସ୍ତ ପିଲାଙ୍କୁ ଉଦ୍ଧାର କରି ପୁଲିସ୍‌ ଥାନାକୁ ଆଣିଥିଲା।

ଏଥିମଧ୍ୟରୁ ତିନିଜଣ ଛୁଆଙ୍କୁ ପୁଲିସ୍‌ କିଛି ଖାଇବାକୁ ଓ ପିଇବାକୁ ଦେଇ ରଖିଥିବା ବେଳେ ୪ମାସ ଶିଶୁ ତାର ମା’କୁ ଝରୁଥିଲା। ପୁଲିସ ଏହି ଶିଶୁକୁ କେମିତି ସମ୍ଭାଳିବ ବୁଝିପାରୁନଥିବାବେଳେ ଜଣେ ପୁଲିସ ଅଧିକାରୀ ପିଲାଟିକୁ ଆଣି ଆଉ କାହାକୁ କିଛି ନକହି ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଥିଲେ। କିଛିସମୟ ପରେ ଶିଶୁ ଜଣକ ପୁଲିସ ଅଧିକାରୀଙ୍କ ଠାରୁ ସ୍ତନ୍ୟପାନ କରି ଖୁବ ଆରାମରେ ଶୋଇପଡ଼ିଥିଲା। ୪ମାସର ଶିଶୁ ଚୁପ ହୋଇ ଶୋଇ ପଡ଼ିବା ପରେ ୪ଜଣ ପିଲାଙ୍କ ଅଧିକ ଯତ୍ନ ନିମନ୍ତେ ଚାଇଲ୍ଡକେୟାର ସେଣ୍ଟରକୁ ପଠାଇ ଦିଆଯାଇଥିଲା। ତେବେ ପୁଲିସ ଅଧିକାରୀ ଆର୍ୟ୍ୟାଙ୍କର ୯ମାସର ସନ୍ତାନ ଅଛି। ତେଣୁ ସେ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସକ୍ଷମ ହୋଇଥିଲେ। ତେବେ ପୁଲିସ ଅଧିକାରୀଙ୍କ ଏଭଳି କାମ ଚର୍ଚ୍ଚାରେ ରହିଛି।