ବଲିଉଡ ସିନେମାକୁ ନେଇ ଦେଶରେ ବଢୁଛି ରାଜନୀତି, ଜାଣନ୍ତୁ ‘ଦ କେରଳ ଷ୍ଟୋରୀ’ ନେଇ କାହାର ରହିଛି କେଉଁ ମତ

315

କନକ ବ୍ୟୁରୋ : ସିନେମା, ଫିଲ୍ମ ବା ଚଳଚିତ୍ର ଏହା ସର୍ବଦା ଲୋକମାନଙ୍କର ମନୋରଞ୍ଜନ ପାଇଁ ନିର୍ମାଣ କରାଯାଇଥାଏ । ବିଶେଷ ଭାବେ ଭାରତୀୟ ସିନେମା ପାରିବାରିକ କାହାଣୀ କିମ୍ବା ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଥାଏ । ହେଲେ କିଛିବର୍ଷ ହେବ ଭାରତୀୟ ସିନେମାର ଏକ ନୂଆ ରୂପ ଦେଖିବାକୁ ମିଳିଛି । କିଛି ସିନେ ପ୍ରଯୋଜକ ଉର୍ଦ୍ଦେଶ୍ୟ ପ୍ରଣୋଦିତ ଭାବେ ସିନେମା ନିର୍ମାଣ କରୁଛନ୍ତି । ଏହାକୁ ସେମାନେ ବିବାଦୀୟ କରି ଏଥିରୁ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ସବୁଠାରୁ ବେଶି ଚର୍ଚ୍ଚାକୁ ଆସିଥିଲା ବିବେକ ଅଗ୍ନିହୋତ୍ରିଙ୍କ କାଶ୍ମୀର ଫାଇଲ । ଏହି ସିନେମା କାଶ୍ମୀର ପଣ୍ଡିତଙ୍କ କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା ଏହି ସିନେମାକୁ ନେଇ ସାରା ଦେଶରେ ବିବାଦ ଦେଖିବାକୁ ମିଳିଥିଲା । ଶାସକ ବିଜେପି ଓ ଅନ୍ୟକିଛି ଗୋଷ୍ଠୀ ଏହି ସିନେମାକୁ ସମର୍ଥନ କରିଥିବା ବେଳେ କିଛି ଗୋଷ୍ଠୀ ଏହାକୁ ବିରୋଧ କରିଥିଲା । ଏହି ବିବାଦ ନିଆଁରୁ ଉଠିଥିବା ଧୂଆଁ ଏବେ ଲିଭି ନଥିବା ବେଳେ ପୁଣି ଏକ ସିନେମାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜୀ । ବିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଦ କେରଳ ଷ୍ଟୋରୀକୁ ନେଇ ବିବାଦ ଘନେଇବାରେ ଲାଗିଛି । ତେବେ ଆଜିର ସ୍ୱତନ୍ତ୍ର ଉପସ୍ଥାପନାରେ ଆମେ ଦେଖିବାକୁ କେରଳ ଷ୍ଟୋରୀକୁ ନେଇ କ’ଣ ରହିଛି କାହାର ମତ —–

ଦ କେରଳ ଷ୍ଟୋରୀ ସିନେମାଟି ବିଶେଷ ଭାବେ କେରଳରୁ ଯୁବତୀମାନଙ୍କୁ ରୋଜଗାରର ଲୋଭ ଦେଖାଇ କିଭଳି ଧର୍ମାନ୍ତିକରଣ କରାଯାଉଛି । ଏହାସହ ସେମାନଙ୍କୁ ବିଦେଶ ନେଇ କିଭଳି ଆତଙ୍କୀ ସଂଗଠନ ଆଇଏସଆଇଏସ ସଂଗଠନରେ ସାମିଲ କରାଯାଉଛି ତା ଉପରେ ଆଧାରିତ । ଏହି ସିନେମାକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରତିକ୍ରିୟା ରଖିଛନ୍ତି ।
ପିନାରଇ ବିଜୟନ ଅଭିଯୋଗ ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଦ କେରଳ ଷ୍ଟୋରୀର ନିର୍ଦ୍ଦେଶକ ସୁଦିପ୍ତୋ ସେନ । ସୁଦିପ୍ତୋ ସେନ କହିଛନ୍ତି କି ଏହି ସିନେମାରେ ୩୨ ହଜାର କେରଳ ମହିଳା ନିଖୋଜ ହୋଇଥିବାର କଥା ସେ ସିନେମାରେ ଉପସ୍ଥାପନ କରିଛନ୍ତି । ହେଲେ ସେମାନେ ସମେସ୍ତ ଆତଙ୍କୀ ସଂଗଠନ ଆଇଏସଆଇଏସରେ ଯୋଗ ଦେଇଥିବା କଥା ସିନେମାରେ କୁହାଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବିବାଦ ସିନେମାର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମଧ୍ୟରେ ସୀମିତ ନରହି ଏବେ ରାଜନୀତି ଆଖଡାରେ ସାମିଲ ହୋଇଛି । ସିନେମାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେରଳ ରାଜ୍ୟପାଳ ଆରିଫ୍ ଖାନ । ଆରିଫ୍ ଖାନ ସିନେମାର ସତ୍ୟସତ୍ୟ ନେଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।

ସିନେମାକୁ ନେଇ ବିବାଦ ଏବେ ରାଜ୍ୟ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଯାଇଛି । ପ୍ରଥମେ ଏହି ସିନେମା ଉପରେ ପ୍ରମୋଦ କର ମଧ୍ୟପ୍ରଦେଶ ସରକାର ଛାଡ କରିଥିବା ବେଳେ ଏହି ସିନେମା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । କେବଳ ସେତିକି ନୁହେଁ ଉତ୍ତର ପ୍ରଦେଶ ସରକାର ମଧ୍ୟ ପ୍ରମୋଦ କର ଛାଡ କରିଛନ୍ତି, ହେଲେ ତାମିଲନାଡୁ ମଲ୍ଟିପ୍ଲେକ୍ସ ଆସୋସିଏନ ତରଫରୁ ଏହି ସିନେମା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହି ସିନେମାକୁ ନେଇ କେନ୍ଦ୍ର ମନ୍ତ୍ରୀ ମନୋଜ ତିୱାରୀ ମଧ୍ୟ ମତ ରଖିଛନ୍ତି ।

କେରଳ ଷ୍ଟୋରୀ ସିନେମାକୁ ନେଇ କେରଳ ହାଇକୋର୍ଟଙ୍କ ରାୟ ଆସିବା ପରେ ଚଳଚିତ୍ର ନିର୍ମାତା ସିନେମା ଆରମ୍ଭରୁ ଏହା ସତ୍ୟ କାହାଣୀ ଉପରେ ଆଧାରିତ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି  । ତେଣୁ ଚଳଚିତ୍ରକୁ ଚଳଚିତ୍ର ଭଳି ମନୋରଞ୍ଜନ ପାଇଁ ଦେଖାଯାଉ । ଚଳଚିତ୍ରକୁ ନେଇ ଭୋଟ ବ୍ୟାଙ୍କ ପ୍ରସ୍ତୁତ କରିବାରୁ ନିବୃତ୍ତ ରୁହନ୍ତୁ ନେତା ।