କୁଲିରୁ IAS ବନିଥିଲେ , ପରିଚୟ ନଜାଣି ମାରିଦେଲେ ଲୋକେ । ଜାଣନ୍ତୁ ସେଦିନ କ’ଣ ଘଟିଥିଲା ଡିଏମ୍ ଜି କ୍ରିଷ୍ଣୟାଙ୍କ ସହ

687

କନକ ବ୍ୟୁରୋ: ଦାରିଦ୍ର୍ୟ ଭିତରେ କୁଲିରୁ ବନିଥିଲେ ଆଇଏଏସ୍ । ପରିଚୟ ଜାଣିବା ପୂର୍ବରୁ ମାରିଦେଲେ ଦଙ୍ଗାକାରୀ । ୧୯୯୪ ଡିସେମ୍ବର ୫ ତାରିଖ ସନ୍ଧ୍ୟା । ଗୋପଳଗଞ୍ଜର ଡିଷ୍ଟ୍ରିକ୍ଟ ମାଜିଷ୍ଟେଟ୍ ଜି କ୍ରିଷ୍ଣୟାଙ୍କର ଆମ୍ବାସାଡାର କାରର ଷ୍ଟିିୟରିଙ୍ଗ ଡ୍ରାଇଭର ହାତରେ ଥିଲା । ଦ୍ରୁତ ଗତିରେ ଏନଏଚ ଉପରେ ଗଡୁଥିଲା ଗାଡି । ସେ ସମୟରେ ହଠାତ୍ ମୁଜାଫରପୁରର ଖବରା ଗାଁଓ ନିକଟରେ ଗାଡି ରୋକିଦେଲେ ପ୍ରତିବାଦ କରୁଥିବା ଲୋକେ, ଯେଉଁଥିରେ ଥିଲେ ୫ହଜାରରୁ ଅଧିକ ଲୋକେ । ବିହାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟନ୍ ଶୁକ୍ଳାଙ୍କୁ ହତ୍ୟା କରାଯିବାକୁ ବିରୋଧ କରି ଚାରିଆଡେ ପ୍ରଦର୍ଶନ ହେଉଥାଏ । ବିଶେଷ କରି ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରୁଥାନ୍ତି ଦଙ୍ଗାକାରୀ । ସେମାନଙ୍କ ଶିକାର ପାଲଟିଗଲେ ସଚ୍ଚୋଟ ଆଇଏଏସ୍ ଅଧିକାରୀ ଜି କ୍ରିଷ୍ଣୟା ।

ଏକ ବୈଠକ ସାରି ଫେରୁଥିବାବେଳେ ନାଲିବତି ଥିବା ଗାଡି ଦେଖି ରାଗିଯାଇଥିଲେ ଦଙ୍ଗାକାରୀ । ପ୍ରଥମେ କାର ଭିତରୁ କ୍ରିଷ୍ଣୟାଙ୍କ ବଡିଗାର୍ଡକୁ ଲୋକେ ଘୋଷାଡି ନେଇଯିବା ଦେଖି ବ୍ୟାକ୍ ଗିୟର ପକାଇ ଗାଡିକୁ ପଛକୁ ନେଇଯାଇ ନିଜ ସାହେବଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କଲେ ଡ୍ରାଇଭର ଦୀପକ । । ହେଲେ ଏଥିରେ ରାଗିଯାଇ ଗାଡି ରୋକିବାକୁ କହିଥିଲେ ଆଇଏଏସ୍ ଜି କ୍ରିଷ୍ଣୟା । ଲୋକଙ୍କୁ ବୁଝାଇ ନିଜ ବଡିଗାର୍ଡର ଜୀବନ ବଞ୍ଚାଇବାକୁ ଚାହୁଁଥିଲେ । ହେଲେ ମାଲିକଙ୍କ କଥା ମାନି ଯେମିତି ଡ୍ରାଇଭର ଦୀପକ ବ୍ରେକ୍ ମାରିଛି ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଗଲା । କ୍ରିଷ୍ଣୟାଙ୍କ କଲାର ଧରି କାର ଭିତରୁ ଘୋଷାଡି ନେଇଥିଲେ । ସେ ମୁଜାଫରପୁରର ଜିଲ୍ଲାଧିକାରୀ ନୁହେଁ ବରଂ ଗୋପାଳଗଞ୍ଜର ଜିଲ୍ଲାଧିକାରୀ କହି ଯେତେ ପରିଚୟ ଦେବାକୁ ଚାହିଁଥିଲେ ବି କିଛି ଶୁଣିନଥିଲେ ଦଙ୍ଗାକାରୀ । ଚେତାଶୂନ୍ୟ ହେବା ଯାଏଁ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ମୁଣ୍ଡକୁ ଗୁଳି କରିଦେଇଥିଲେ । ନିଜ ଜୀବନ ବଞ୍ଚାଇ ପଳାଇଥିବା ଡ୍ରାଇଭର କିଛି ସମୟ ପରେ ଆସି ଦେଖିବା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ଆମ୍ବାସାଡାର କାରଟି ଓଲଟିପଡିଥିଲା ଏବଂ ଜି କ୍ରିଷ୍ଣୟାଙ୍କ ଶରୀର ରକ୍ତ ଜୁଡୁବୁଡୁ ହୋଇ ଏକ ଖାଲରେ ପଡିରହିଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।

ଆଜି ଜି, କୃଷ୍ଣୈୟାଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ପୂର୍ବ ସାଂସଦ ଆନନ୍ଦ ମୋହନ ସିଂହ ଜେଲରୁ ମୁକ୍ତ ହୋଇଥିବାବେଳେ ସେଦିନର ବିଭତ୍ସ ଘଟଣାକୁ ମନେପକାଇଛନ୍ତି ବିହାରବାସୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସହକର୍ମୀ । ଆଜି ଭୋର ସାଢେ ୪ଟା ସମୟରେ ଜେଲରୁ ମୁକୁଳିଲେ ଆନନ୍ଦ ମୋହନ । ହେଲେ ତାଙ୍କ ମୁକୁଳୁବାକୁ ବିରୋଧ କରି ପୁନର୍ବାର ପାଟଣା ହାଇକୋର୍ଟରେ ମାମଲା ଦାଏର ହୋଇଥିବା ଜଣାପଡିଛି ।

କିଛି ନେତା ଆନନ୍ଦମୋହନଙ୍କ ମୁକ୍ତିକୁ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ବିରୋଧ କରିଛନ୍ତି ଆଇଏଏସ୍ ସଙ୍ଗଠନ । ଆନନ୍ଦ ମୋହନଙ୍କୁ ମୁକ୍ତ କରାଯାଉଥିବାରୁ ଏହାକୁ ବିରୋଧ କରି ପାଟଣା ହାଇକୋର୍ଟରେ ଜନହିତରେ ଆବେଦନ ଦାଖଲ କରାଯିବା ସହ ନିତିଶ ସରକାରଙ୍କୁ ଭର୍ତ୍ସନା କରାଯାଇଛି । ଏହି ଘଟଣାରେ କ୍ରିଷ୍ଣୟାଙ୍କ ପରିବାର ନ୍ୟାୟ ମିଳୁ ବୋଲି ଆଇଏଏସ୍ ସଙ୍ଗଠନ ପୁନର୍ବାର ଅପିଲ୍ କରିଛି ।

ଅତି ଦାରିଦ୍ର୍ୟ ଭିତରେ ବି ନିଜକୁ ସଫଳତାର ଶୀର୍ଷକୁ ନେଇପାରିଥିଲେ ଜି କ୍ରିଷ୍ଣୟା । ପରିବାର ପାଇଁ ବାପାଙ୍କ ସହ ପ୍ରଥମେ କୁଲି କାମ କରିଥିଲେ । ଏହା ପରେ କିଛି ଦିନ ଜଣେ କିରାଣୀ ଭାବେ କାମ କରିଥିଲେ । ହେଲେ ତାଙ୍କ ପାଠ ପଢାରେ ପ୍ରବଳ ଆଗ୍ରହ ଥିବାରୁ ଆଇ,ଏସ୍ ବନିବାକୁ ସଂକଳ୍ପ ନେଲେ ଆଉ ଜୀବନର ଅନେକ ପ୍ରତିଘାତ ଭିତରେ ବି ଆଇଏଏଏସ୍ ବନିଥିଲେ ଜି କ୍ରିଷ୍ଣୟା । ତାଙ୍କର ସରଳତା ଓ କର୍ତ୍ତବ୍ୟନିଷ୍ଠା ଏବଂ ଲୋକପ୍ରିୟତାକୁ ଆଜିବି ଝୁରୁଛନ୍ତି ଅନେକ ।

୧୯୯୪ର ଏହି ଦଙ୍ଗାକୁ ଉସକାଇବାର ମୁଖ୍ୟ କାର୍ପଟଦାର ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ କୋର୍ଟ । ହେଲେ ତାହା ପରବର୍ତ୍ତୀ ସମୟରେ ଆଜୀବନ କାରାଦଣ୍ଡରେ ବଦଳିଥିଲା । ହେଲେ ତାଙ୍କର ଜେଲରୁ ମୁକୁଳିବାକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛି ଆଇଏଏସ୍ ସଂଘ । ଏହି ଘଟଣାକୁ ପୁନର୍ବାର ବିଚାର କରି ଜି କ୍ରିଷ୍ଣୟାଙ୍କ ପରିବାରକୁ ନ୍ୟାୟ ଦେବାକୁ କୋର୍ଟରେ ଅପିଲ କରିଛନ୍ତିି ଆଇଏଏସ୍ ଅଧିକାରୀ ।