ମାର୍ଚ୍ଚ ୮ରେ ତ୍ରିପୁରାରେ ନୂଆ ସରକାରର ଶପଥ ଗ୍ରହଣ । ଯୋଗଦେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ ?

206

କନକ ବ୍ୟୁରୋ : ମାର୍ଚ୍ଚ ୮ ତାରିଖରେ ତ୍ରିପୁରାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ହେବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ତ୍ରିପୁରାରେ ବିଜେପି ଓ ତାର ସହଯୋଗୀ ଦଳ ଆଇପିଏଫଟି ସହ ମିଶି ସରକାର ଗଠନ କରିବେ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ତ୍ରିପୁରା ଗସ୍ତନେଇ ପ୍ରମୁଖ ସଚିବ ଏସ.କେ ସିହ୍ନା ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରୁଛନ୍ତି । ଏହାସହ ଏସପିଜିର ଗୋଟିଏ ଟିମ୍ ଆଜି ତ୍ରିପୁରା ପହଂଚିଛି । ସୂଚନା ଥାଉକି ତ୍ରିପୁରା ବିଧାନସଭାର ମୋଟ ୬୦ ଟି ଆସନ ମଧ୍ୟରୁ ବିଜେପି ୩୨ଟି ଆସନରେ ବିଜୟୀ ହୋଇଥିବା ବେଳେ ତାର ସହଯୋଗୀ ଦଳ ଆଇପିଏଫଟି ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମାଣିକ ସାହା ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନୂଆ ସରକାରର ଶପଥ ଗ୍ରହଣ ସମାରୋହ ବିବେକାନନ୍ଦ ମୈଦାନରେ ଅନୁଷ୍ଠିତ ହେବ । ଏହି ସମାରୋହରେ ବିଜେପି ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ନିର୍ବାଚନ ଫଳାଫଳକୁ ନେଇ ବାମମେଣ୍ଟ କହିଛି କି ବିଜେପି ବିରୋଧୀଦଳ ମଧ୍ୟରେ ମତର ଭାଗବଣ୍ଟା କରି କ୍ଷମତା ଦଖଲ କରିବା ଭଳି ହୀନ ପ୍ରୟାସ କରୁଛି । ବାମମୋର୍ଚ୍ଚାର ସଂଯେ୍ଧକ୍ସଳ ନାରାୟଣ କର କହିଛନ୍ତି କି ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୩୯ ପ୍ରତିଶତ ଭୋଟ ମିଳିଛି । ଅର୍ଥାତ ରାଜ୍ୟରେ ୬୦ ପ୍ରତିଶତ ଭୋଟର ବିଜେପି ବିରୋଧରେ ମତଦାନ କରିଛନ୍ତି ।

ସୂଚନା ଥାଉକି ୨୦୧୮ ବିଧାନସଭା ନିର୍ବାଚନରେ ବିଜେପିକୁ ୪୩.୫୯ ପ୍ରତିଶତ ଭୋଟ ମିଳିଥିଲା । ହେଲେ ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ୩୯ ପ୍ରତିଶତ ଭୋଟ ମିଳିଛି । ୬୦ ସଦସ୍ୟତା ତ୍ରିପୁରା ବିଧାନସଭା ନିର୍ବାଚନ ୨୦୧୮ରେ ବିଜେପିକୁ ୩୬ ଆସନ ମିଳିଥିବା ବେଳେ ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ ୩୨ଟି ଆସନ ମିଳିଛି । ସେପଟେ ଗତ ବିଧାନସଭା ନିର୍ବାଚନରେ ବାମମୋର୍ଚ୍ଚାକୁ ୪୨.୭୦ ପ୍ରତିଶତ ଭୋଟ ମିଳିଥିବା ବେଳେ ଚଳିତ ବିଧାନସଭା ନିର୍ବାଚନରେ ବାମମୋର୍ଚ୍ଚାକୁ ୨୪ ପ୍ରତିଶତ ଭୋଟ ମିଳିଛି । ହେଲେ ୨୦୧୮ ନିର୍ବାଚନରେ କଂଗ୍ରେସକୁ ୧.୪୧ ପ୍ରତିଶତ ଭୋଟ ମିଳିଥିବା ବେଳେ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୮.୫୬ ପ୍ରତିଶତ ଭୋଟ ମିଳିଛି ।