ହିଟୱେଭ ନେଉଛି ଜୀବନ : ଉତ୍ତରଭାରତରେ ଗୀଷ୍ମପ୍ରବାହରେ ଶତାଧିକ ଲୋକଙ୍କ ମୃତ୍ୟୁ; ସେପଟେ ଝାରସୁଗୁଡାରେ ଅଂଶୁଘାତ ଯୋଗୁ ୩ଜଣଙ୍କ ମୃତ୍ୟୁ ସୂଚନା

208

କନକ ବ୍ୟୁରୋ : ପ୍ରବଳ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଦେଶ । ଉତ୍ତରଭାରତରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଶତାଧିକ ଲୋକଙ୍କର ଜୀବନ ଯାଇଛି । ଗତ ୩ ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ୫୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିହାରରେ ୫୨ଜଣଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉତ୍ତରପ୍ରଦେଶ ବାଲିଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫୪ଜଣ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।

ବାଲିଆ ହସ୍ପିଟାଲରେ ୪୦୦ରୁ ଅଧିକ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀଙ୍କ ବୟସ ୬୦ ଉପରେ ରହିଛି । ଅଧିକାଂଶ ମୃତ୍ୟୁ ହୃଦଘାତ, ମସ୍ତିଷ୍କଘାତ ଓ ହଇଜା ଯୋଗୁଁ ହୋଇଥିବା ଡାକ୍ତର କହିଛନ୍ତି । ସେହିପରି ବିହାରରେ ଗ୍ରୀଷ୍ମଲହରୀ ଯୋଗୁଁ ଗତ ୨୪ ଘଣ୍ଟାରେ ୫୨ଜଣଙ୍କର ମୃତ୍ୟୁ ହୋଇଛି । ୫୨ଜଣଙ୍କ ମଧ୍ୟରୁ କେବଳ ପାଟନାରେ ୩୫ଜଣଙ୍କର ମୃତ୍ୟୁ ହୋଇଛି । ବିହାରରେ ୪ଟି ସ୍ଥାନରେ ଗ୍ରୀଷ୍ମଲହରୀ ଏବଂ ୧୮ଟି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଦେଖିବାକୁ ମିଳିଛି ।

ଝାରସୁଗୁଡାରେ ଅଂଶୁଘାତ ଯୋଗୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ତିନି ଜଣଙ୍କ ଜୀବନ ଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅଂଶୁଘାତରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିତ ତଦନ୍ତରୁ ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃ୍ତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ମୃତକମାନେ ହେଲେ ଝାରସୁଗୁଡା ମାଳୀମୁଣ୍ଡା ଗାଁର ଅଜିତ ମକର, ଗାୟତ୍ରୀ କଲୋନୀର ବାସନ୍ତୀ ପ୍ରଧାନ, ସମ୍ବଲପୁର ଜିଲ୍ଲା ଖିଣ୍ଡା ଗାଁର ଦେବାଶିଷ ରାୟ ।

ଅଜିତ ରବିବାର ମାଳୀମୁଣ୍ଡି ରାସ୍ତାକଡରେ ଏକ ଗଛ ତଳେ ଶୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାସନ୍ତି ପ୍ରଧାନ ରବିବାର ଅପରାହ୍ନରେ ଅସୁସ୍ଥ ହୋଇପଡିଥିଲେ । ସନ୍ଧ୍ୟାରେ ସେ ହଠାତ୍ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ଦେବାଶିଷ ରାୟ ମଧ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଛି ।