ନ୍ୟୁ ବ୍ରିଜ୍ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ଆଲୋଚନା: “ସମକାଳୀନ ସମୟରେ ଗୋଟିପୁଅ ନୃତ୍ୟ – ଏକ ପ୍ରତିଫଳନ”

57

କନକ ବ୍ୟୁରୋ: ୨୮ ଜୁନ୍, ୨୦୨୪ ରେ ନ୍ୟୁ ବ୍ରିଜ୍ ଇଣ୍ଡିଆ, ଓଡିଶା ରାଜ୍ୟ ସଂଗ୍ରହାଳୟର ମିଳିତ ସହଯୋଗରେ “ସମସାମୟିକ ସମୟରେ ଗୋଟିପୁଅ ନୃତ୍ୟ – ଏକ ପ୍ରତିଫଳନ” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବଂ କାର୍ଯ୍ୟକ୍ରମ ଓଡିଶା ରାଜ୍ୟ ସଂଗ୍ରହାଳୟରେ ଆୟୋଜନ କରିଥିଲା । ଏହି କାର୍ୟ୍ୟକ୍ରମର ପ୍ରମୁଖ ସହଯୋଗି ଥିଲେ ଆଇପିସିଏ । ନ୍ୟୁ ବ୍ରିଜ୍ ଇଣ୍ଡିଆର ଆର୍ଟିଷ୍ଟିକ୍ ଏବଂ କ୍ୟୁରେଟେରାଲ୍ ନିର୍ଦ୍ଦେଶିକା ଡକ୍ଟର ରାଜଶ୍ରୀ ବିଶ୍ଵାଳ ଏହି ଆଲୋଚନାର ଶୀର୍ଷକ ସ୍ଥିର କରିବା ସହିତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

ଡକ୍ଟର ବିଶ୍ଵାଳ ଏହି ବୈଠକଟିକୁ ପରିଚାଳନା କରି କହିଥିଲେ ଯେ ଗୋଟିପୁଅ ନୃତ୍ୟ ହେଉଛି ଓଡ଼ିଶାର ପରିଚୟର ଏକ ଅନ୍ତର୍ନିହିତ ଦିଗ । ସର୍ବଭାରତୀୟ ସ୍ତରରେ ଜଣାଶୁଣା ଓଡ଼ିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟରୁ ଉତ୍ପନ୍ନ । ତଥାପି, ଗୋଟିପୁଅ ନୃତ୍ୟ ସମାଜରେ ଉଚିତ ମାନ୍ୟତା ପାଇପାରି ନାହିଁ । ଏହି ନୃତ୍ୟଟିକୁ ବଞ୍ଚାଇ ରଖିବା ପାଇଁ କଳା ଓ କଳାକାରମାନଂକର ସମସ୍ୟା ସମାଧାନର ଆବଶ୍ୟକତା ସହିତ ସେ ତାହାର ମୌଳିକ ଗୁଣ ଅକ୍ଷୁର୍ଣ୍ଣ ରଖିବା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ । ସେ ଗୋଟିପୁଅ ନୃତ୍ୟର ଅଧିକ ପ୍ରଚାର ଦିଗ ଉପରେ ଆଲୋଚନା କରିଥିଲେ । ଏହି ନୃତ୍ୟ କିପରି ବର୍ତ୍ତମାନ ତାର ନିଜର ଅସ୍ଥିତ୍ଵ ବଜାଇ ରଖିବା ସହିତ ଭବିଷ୍ୟତରେ ଏହାର ମହତ୍ତ୍ଵ କିପରି ସୂଚାରୁ ରୂପେ ପ୍ରତିଫଳିତ କରିବ ତାହା ଉପର ଆଲୋକପାତ କରିଥିଲେ ।

ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଲେଖକ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି ମତ ଦେଇଛନ୍ତି ଯେ ଯଦି ଗୋଟିପୁଅ ନୃତ୍ୟ ବୃହତ ସାର୍ବଜନୀନ ଭାବରେ ଲୋକଲୋଚନାକୁ ନଆସିବ, ତେବେ ଏହା ଧୀରେ ଧୀରେ ବିକୃତ ହୋଇ ଚିରଦିନ ପାଇଁ ହଜିଯିବ। ଏହି ନୃତ୍ୟ ରୂପରେ ବାଳିକାମାନଙ୍କୁ ଗ୍ରହଣୀୟତା ଉପରେ ଆଲୋଚନା ହୋଇଥିଲା । ସେ କନ୍ଦର୍ପ ରଥରେ ଏବଂ ପୂର୍ବ ସମୟରେ ବିଭିନ୍ନ ସାମାଜିକ-ସାଂସ୍କୃତିକ ପ୍ରସଙ୍ଗରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରୁଥିବା ବାଳିକାମାନଙ୍କର ପ୍ରମାଣ ଦର୍ଶାଇଥିଲେ । ପରମ୍ପରାକୁ ଆଗକୁ ନେବା ପାଇଁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉତ୍ତମ ତାଲିମପ୍ରାପ୍ତ ଗୁରୁମାନଙ୍କର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଭାଷା, ସାହିତ୍ୟ ଓ ସଂସ୍କୃତିର ନିର୍ଦ୍ଦେଶକ ଦିଲୀପ ରାଉତରାୟ କହିଛନ୍ତି ଯେ ଗୋଟିପୁଅ ନୃତ୍ୟର ସଂରକ୍ଷଣ ତଥା ପ୍ରଚାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବେ। ମାନ୍ୟବର ଅତିଥି ବିଶିଷ୍ଟ ଲେଖକ ତଥା କବି କେଦାର ମିଶ୍ର ଗୋଟିପୁଅ ଓଡିଶାର ଏକ ମହତ୍ୱପୂର୍ଣ୍ଣ ପରିଚୟ ବହନ କରିବା ଏବଂ ଏହି ନୃତ୍ୟରେ ବାଳିକା ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗରେ ଆଲୋଚନା ଉପରେ ଗୁରୁତ୍ୱ ଦେଇଥିଲେ ।

ଗୋଟିପୁଅ ଗୁରୁ ଲିଙ୍ଗରାଜ ବାରିକ, ଗୋବିନ୍ଦ ଚନ୍ଦ୍ର ପାଲ ଏବଂ ଅନନ୍ତ ବେହେରା ଗୁରୁକୁଳ ବ୍ୟବସ୍ଥାର ସ୍ଥିତି ଅନୁସନ୍ଧାନ କରିବା ଏବଂ ବର୍ତ୍ତମାନର ପରିବର୍ତ୍ତନ ସମୟରେ ଗୋଟିପୁଆ ନୃତ୍ୟ ଶିକ୍ଷାର ଶୈଳୀ ଏବଂ ଗୁଣ ଉପରେ ପ୍ରତିଫଳନ କରିବା ଉପରେ ସେମାନଙ୍କର ମତ ଦେଇଥିଲେ । ପରମ୍ପରା ଏବଂ ମୂଲ୍ୟବୋଧର ଗୁରୁତ୍ୱକୁ ବଜାୟ ରଖିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ସେମାନଙ୍କ ମଧ୍ୟରୁ କେତେକ ମତ ଦେଇଛନ୍ତି ଯେ ନୃତ୍ୟର ବର୍ତ୍ତମାନର ଧାରା ଏକ ନିର୍ଦ୍ଦିଷ୍ଟ ପରିମାଣରେ ‘ନୃତ୍ୟ ଫର୍ମର ଆଭିମୁଖ୍ୟ ଉପରେ ଧ୍ୟାନ ଦେବା’ ପରିବର୍ତ୍ତେ ‘ପ୍ରଚାର ଏବଂ ଅର୍ଥ ଭିତ୍ତିକ’ ଅଟେ । ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟୀ ଏବଂ ଅନ୍ୟମାନେ । ସଂଗ୍ରହାଳୟର ଅଧୀକ୍ଷକ ଡକ୍ଟର ଭାଗୀଲିପି ମଲ୍ଲ ସଭାପତିତ୍ୱ କରିଥିଲେ, ସେ ଗୋଟିପୁଆ ନୃତ୍ୟର ବିବର୍ତ୍ତନର ଐତିହାସିକ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ । କଳାକାର ବିରେନ୍ଦ୍ର ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ୟ୍ୟକ୍ରମର ବିଶେଷ ଅତିଥିମାନେ ଯେଉଁମାନେ ପୂର୍ବରୁ ଗୋଟିପୁଅ ନୃତ୍ୟଶିଳ୍ପୀ ଥିଲେ ଏବଂ ବର୍ତ୍ତମାନ ମର୍ଦ୍ଦଳ ବାଦକ ଡକ୍ଟର ବିଭୂତି ଭୂଷଣ ଚମ୍ପତି, ଦୁଷ୍ମନ୍ତ ମହାରଣା, ବିଚିତ୍ର କୁମାର, ଚନ୍ଦ୍ରମଣି ପ୍ରଧାନଙ୍କ ପରି ଓଡ଼ିଶୀ ନୃତ୍ୟଶିଳ୍ପୀ ଉପସ୍ଥିତ ଥିଲେ ଏବଂ ଗୋଟିପୁଅ ଗୁରୁମାନଂକ ସହ ଗୋଟିପୁଅ ସଙ୍ଗୀତ, ଗୀତ ଏବଂ ମର୍ଦ୍ଦଳ ବାଦନ ପ୍ରଦର୍ଶନ କରିଥିଲେ ।

ଏହି ଆଲୋଚନା ବୀରେନ୍ଦ୍ର ପାଣିଙ୍କ କଳା କୃତି ଏବଂ ଡକ୍ଟର ରାଜଶ୍ରୀ ବିଶ୍ଵାଳଙ୍କ କଳା ନିର୍ଦ୍ଦେଶନା ତଥା କ୍ୟୁରେସନ ଦ୍ୱାରା ଆୟୋଜିତ କଳା ପ୍ରଦର୍ଶନୀ “ବୟ ଡାନ୍ସାର : କନଭାରଜେନ୍ସ ଆଣ୍ଡ କୋଣ୍ଟିନୂମ – ଏ ରିଭିଜିଟିଙ୍ଗ”ର ସମାପ୍ତି ସମାରୋହର ଏକ ଅଂଶ ଥିଲା, ଯାହା ନ୍ୟୁ ବ୍ରିଜ୍ ଇଣ୍ଡିଆ ଦ୍ୱାରା ଉପସ୍ଥାପିତ ହୋଇଥିଲା । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ ଇଲା ପଣ୍ଡା ଫାଉଣ୍ଡେସନ ଫର ଆର୍ଟ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ସହଯୋଗରେ ତାହା ୧୪ ଜୁନ୍, ୨୦୨୪ ରେ ଉଦ୍ଘାଟିତ ହୋଇଥିଲା ୨୮ ଜୁନ୍, ୨୦୨୪ ରେ ଓଡିଶା ରାଜ୍ୟ ସଂଗ୍ରହାଳୟରେ ଉଦଯାପନୀ ସମାରୋହ ପାଳନ କରାଯାଇଥିଲା ।

ଗୋଟିପୁଅ ଉପରେ ଆଧାରିତ ଏହି ଐତିହାସିକ ଭ୍ରାମ୍ୟମାଣ ପ୍ରଦର୍ଶନୀ ଯେଉଁଥିରେ ଚିତ୍ରକଳା, ଚିତ୍ରାଙ୍କନ, ଫଟୋଗ୍ରାଫ୍ ଏବଂ ଭିଡିଓ ଆଧାରିତ ଚିତ୍ର ଯଥା ପୁରାତନ ତଥା ନୂତନ କଳା ରେ ଆଧାରିତ ଥିଲା ଯାହା ନୃତ୍ୟର ‘ମୂଳ’, ‘ମହତ୍ତ୍ୱ’ ଏବଂ ନୃତ୍ୟଶିଳ୍ପୀଙ୍କ ସଙ୍କଟକୁ ଆଲୋକପାତ କରିଥିଲା ଜ୍ଝସମାଜର ବିଭିନ୍ନ ବିଭାଗ ଏବଂ ବୟସ ବର୍ଗର ପ୍ରାୟ ୮ ହଜାରରୁ ଅଧିକ ଦର୍ଶକ ତଥା ବିଭିନ୍ନ ବିଦ୍ୟାଳୟ ଏବଂ କଲେଜ ଛାତ୍ର ଛାତ୍ରୀମାନେ ପରିଦର୍ଶନ କରିଥିଲେ । ଏହି ପ୍ରଦର୍ଶନୀ ତଥା ଆଲୋଚନାଚକ୍ର କେବଳ ଗୋଟିପୁଅ ନୃତ୍ୟ ପରମ୍ପରା ପ୍ରତି ଏକ ନୂତନ ସଚେତନତା ସୃଷ୍ଟି କରିନଥିଲା ବରଂ ସାଂସ୍କୃତିକ ଯୋଗଦାନର ନିରନ୍ତର ଭାବରେ ଏହା ବିଭିନ୍ନ ଦର୍ଶକଙ୍କ ନିକଟରେ ପହଞ୍ଚି ଏହି ନୃତ୍ୟ ବିଷୟରେ ବୁଦ୍ଧିଜୀବୀ, ନୃତ୍ୟଶିଳ୍ପୀ ଏବଂ ଗୋଟିପୁଅ ଗୁରୁଙ୍କ ମଧ୍ୟରେ ନୂତନ ପରିଚୟ ଏବଂ ସ୍ୱର ସୃଷ୍ଟି କରିବା ସହିତ ବିଭିନ୍ନ ସ୍ତରରେ ଏହି ନୃତ୍ୟ ବିଷୟରେ ନୂତନ ଜ୍ଞାନ ଏବଂ ଏବଂ ସାଂସ୍କୃତିକ ସମ୍ବେଦନଶୀଳତାର ଦିଗଦର୍ଶନ ଦେଇଥିଲା ।