ଜାତୀୟ ରାଜନୀତିରେ ଦଳର ଭବିଷ୍ୟତ ଯୋଜନା ନେଇ କେଜ୍ରିୱାଲଙ୍କ ବଡ ବୟାନ, ଜାଣନ୍ତୁ କଣ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

250

କନକ ବ୍ୟୁରା : ଦେଶରେ ଖସୁଛି କଂଗ୍ରେସ ଓ ବଢୁଛି ଆମ୍ ଆଦମୀ ପାର୍ଟିର ଲୋକପ୍ରିୟତା । ଦିଲ୍ଲୀ ପରେ ପଞ୍ଜାବରେ ଦଳକୁ ବହୁମତ ମିଳିବା ପରେ ଏବେ ଜାତୀୟ ରାଜନୀତିରେ ଏକ ଚେହେରା ହୋଇସାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଏହି କ୍ରମରେ ୨୦୨୪ ରେ ବିଜେପି ସରକାରକୁ ପରାସ୍ତ କରିବାକୁ ଦଳର ରଣନୀତି ନେଇ କେଜ୍ରିୱାଲ ବୟାନ ଦେଇଛନ୍ତି ।

ଜାତୀୟ ରାଜନୀତିରେ ବିଜେପିକୁ ପରାସ୍ତ କରିବାକୁ ଆଞ୍ଚଳିକ ଓ ଜାତୀୟଦଳମାନେ ମେଣ୍ଟ କରିବାକୁ ଶ୍ରେୟସ୍କର ବୋଲି କହୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି କି ଜାତୀୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ଅନ୍ୟଦଳମାନଙ୍କ ସହ ମେଣ୍ଟ କରିବା ସପକ୍ଷରେ ନାହାଁନ୍ତି । ସେ କହିଛନ୍ତି କି ଅନ୍ୟ ରାଜନୈତିକ ଦଳମାନଙ୍କ ସହ ମେଣ୍ଟ କରିବା ପରିବର୍ତ୍ତେ ଦେଶର ୧୩୦ କୋଟି ଜନତାଙ୍କ ସହ ମେଣ୍ଟ କରିବାକୁ ଆମେ ପଶନ୍ଦ କରିଛୁ । କେବଳ ସେତିକି ନୁହେଁ କେଜ୍ରିୱାଲ କହିଛନ୍ତି କି ଆମ୍ ଆଦମୀ ପାର୍ଟିର ସ୍ୱପ୍ନ ହେଉଛି ଦେଶର ସାଧାରଣ ଲୋକମାନେ କିଭଳି ନିଜର ଭବିଷ୍ୟତ ସ୍ଥିର କରିବେ ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କେଜ୍ରିୱାଲ ‘ଦି କାଶ୍ମୀର ଫାଇଲ୍ସ’ ଓ ବିଜେପିକୁ ନେଇ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି କି ଦି କାଶ୍ମୀର ଫାଇଲ୍ସ ସିନେମାରୁ ଯେଉଁ ଆୟ ହୋଇଛି ତାହାକୁ କାଶ୍ମୀର ପଣ୍ଡିତଙ୍କ କଲ୍ୟାଣ ଓ ପୁର୍ନବିନ୍ୟାସରେ ସରକାର ଖର୍ଚ୍ଚ କରନ୍ତୁ । ସେ ଆହୁରି କହିଛନ୍ତି କି, ଯଦି କେନ୍ଦ୍ରରେ ଆମ୍ ଆଦମୀ ପାର୍ଟିର ସରକାର ଥାନ୍ତା ତେବେ ତାଙ୍କ ସରକାର କାଶ୍ମୀର ଫାଇଲ୍ସ ସିନେମା ନିର୍ମାଣ କରିବା ପରିବର୍ତ୍ତେ କାଶ୍ମୀର ପଣ୍ଡିତଙ୍କ ହତାଧରି  ସେମାନଙ୍କୁ କାଶ୍ମୀରରେ ଥିବା ସେମାନଙ୍କ ଘରେ ଛାଡି ଦେଇଥାନ୍ତେ ।