ବାପା କରୁଥିଲେ ଡିଲ, ପୁଅ ଆଦାୟ କରୁଥିଲେ ଲାଞ୍ଚ ଟଙ୍କା । ଘରୁ ମିଳିଲା ବିଡା ବିଡା ନୋଟ, ଅଫିସରୁ ହେଲା କୋଟି କୋଟି ଟଙ୍କା ଜବତ

257

କନକ ବ୍ୟୁରୋ : ଯେତେ ଖୋଜିଲେ ସେତେ ମିଳୁଛି । ଯେତେ ଆଗକୁ ବଢୁଛି ଖୋଳତାଡ ସେତିକି ବିଡ଼ାବିଡ଼ା ନୋଟ ହାତରେ ଲାଗୁଛି । ଦେଖୁ ଦେଖୁ ଗଦା ହୋଇଗଲାଣି ନୋଟର ପାହାଡ଼ । ଏହି ଘଟଣା ହେଉଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରର ଆଉ ଜବତ ହୋଇଥିବା ପୁଳାପୁଳା ନୋଟ । ଜବତ ହୋଇଥିବା ନୋଟର ମାଲିକ ହେଉଛନ୍ତି ପ୍ରଶାନ୍ତ ମଦଲ । ବେଙ୍ଗାଲୁର ୱାଟର ସପ୍ଲାଏ ବୋର୍ଡର ଆକାଉଂଟାଂଟ ମୁଖ୍ୟ ଭାବେ କାର୍ଯ୍ୟରତ । ତାଙ୍କ ଅଫିସରୁ ମିଳିଛି ଦୁଇବ୍ୟାଗ ଭର୍ତି ନୋଟ୍ । ଜବତ ନୋଟର ମୂଲ୍ୟ ଆନୁମାନିକ ମୂଲ୍ୟ ପାଖାପାଖି ୨କୋଟି ଟଙ୍କା ବୋଲି ଜଣାପଡିଛି । ଅଫିସର ବାବୁ ଲାଂଚ ନେଉଥିବା ସମୟରେ ଲୋକାୟୁକ୍ତ ଆଣ୍ଟି କରପସନ ୱିଙ୍ଗସ ହାତରେ ଧରାପଡିଛି । ସେପଟେ ପ୍ରଶାନ୍ତଙ୍କ ଘରୁ ମିଳିଛି ୬କୋଟି ଟଙ୍କା ।

ସବୁଠୁ ବଡ କଥା ହେଉଛି ପ୍ରଶାନ୍ତ ହେଉଛନ୍ତି ବିଜେପି ବିଧାୟକ ମଦଲ ବିରୁପାକ୍ଷଙ୍କ ପୁଅ । ପ୍ରଶାନ୍ତଙ୍କ ନାଁରେ ଅଭିଯୋଗ ଆସିବପରେ ଲୋକାୟୁକ୍ତ ଏକ ଜାଲ ବିଛାଇଥିଲେ । ପ୍ରଶାନ୍ତ ଗୋଟିଏ ଟେଣ୍ଡର ପାସ ପାଇଁ ୪୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡିଥିଲେ । ଟେଣ୍ଡର ପାଇଁ ପ୍ରଶାନ୍ତ ୮୦ଲକ୍ଷ ଟଙ୍କା ଦାବି କରିଥିଲେ ।

ବିଜେପି ବିଧାୟକ ମଦଲ ଏବେ କର୍ଣ୍ଣାଟକ ସୋପ୍ ଆଣ୍ଡ ଡିଟରଜେଂଟସ ଲିମିଟେଡର ଅଧ୍ୟକ୍ଷ ଅଟନ୍ତି । ଘଟଣା ସାମ୍ନାକୁ ଆସିବା ପରେ ବିଜେପି ବିଧାୟକ କହିଛନ୍ତି ପୁଅ ଲାଞ୍ଚ ନେଉଥିବା ନେଇ ସେ କିଛି ବି ଜାଣନ୍ତି ନାହିଁ । ସେପଟେ କର୍ଣ୍ଣାଟକ ସରକାର କହିଛନ୍ତି ମାମଲାର ନିରପେକ୍ଷ ତଦନ୍ତ କରାଯିବ ।