ପାଣି ଘେରରେ କଣାସର ଅନେକ ଅଞ୍ଚଳ : ପ୍ରତ୍ୟେକ ବର୍ଷ ବନ୍ୟାର ସମ୍ମୁଖୀନ ହେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି

54

କନକ ବ୍ୟୁରୋ : ପାଣି ଘେରରେ କଣାସର ଅନେକ ଅଞ୍ଚଳ । ଯାହାକୁ ନେଇ ଚିନ୍ତାରେ କଣାସ ଅଞ୍ଚଳର ଚାଷୀ । ପ୍ରତ୍ୟେକ ବର୍ଷ ଏହି ଅଞ୍ଚଳ ବନ୍ୟାର ସମ୍ମୁଖୀନ ହେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି । ବାରମ୍ବାର ପ୍ରଶାସନକୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିଭଳି ଭାର୍ଗବୀର ଜଳସ୍ତର ବି ଫୁଲିବା ସହ ପିପିଲି ହରିପୁର ନିକଟରେ ବିପଦସଂକେତ ନିକଟରେ ପ୍ରବାହିତ ହେଉଛି । ଜଳସ୍ତର ଆଜି ରାତି ଭିତରେ ବହୁ ଅଧିକ ବଢ଼ିଯିବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଗତକିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉପରମୁଣ୍ଡର ଏହି ବନ୍ୟା ଜଳ କ୍ରମେ ମହାନଦୀରେ ପହଞ୍ଚିବା ପରେ ମୁଣ୍ଡଳିଠାରୁ ଏହା ଭାର୍ଗବୀ, ଦୟା ଦେଇ ପୁରୀ ଜିଲ୍ଲାରେ ପ୍ରବେଶ କରିଛି । ଯେଉଁଥିପାଇଁ କିଛିଦିନ ଧରି ଶୁଖିଲା ପଡ଼ିଥିବା ଦୟା, ଭାର୍ଗବୀ, କୁଶଭଦ୍ରା ଆଦିର ଜଳସ୍ତର ହଠାତ୍‌ ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳକୁ ଜଳମଗ୍ନ କରିବାରେ ଲାଗିଛି । ଆଉ ଦିନେ ଦୁଇ ଦିନ ଭିତରେ ସ୍ଥିତି ଅସମ୍ଭାଳ ହୋଇପଡ଼ିବା ଆଶଙ୍କା ଦେଖାଦେଇଛି ।