୨ ହଜାର ଟଙ୍କାରେ ବିକ୍ରି ହେଉଛି ୭୫୦ ଟଙ୍କାର କଡକନାଥ କୁକୁଡା । ଜାଣନ୍ତୁ କାହିଁକି ଏଭଳି ଭାବେ କଡକନାଥ କୁକୁଡାର ହେଲା ମୂଲ୍ୟବୃଦ୍ଧି

327

କନକ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ମଧ୍ୟପ୍ରଦେଶର ରାଜନୈତିକ ମାହୋଲ ସରଗରମ ରହିଛି । ନିର୍ବାଚନ ପ୍ରଚାର ଯେଭଳି ଭାବେ ଅଗାକୁ ବଢୁଛି, ସେହି ତୁଳନାରେ ମଧ୍ୟପ୍ରଦେଶ ଝାବୁଆର କଡକନାଥ କୁକୁଡାର ଦାମ ବୃଦ୍ଧି ପାଇବାରେ ଲାଗିଛି । ଝାବୁଆର ବିଶ୍ୱପ୍ରସିଦ୍ଧ କଡକନାଥ କୁକୁଡା ସାଧାରଣ ଦିନରେ ୭୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ସେହି କୁକୁଡାର ଦାମ ୧୫ ଶହରୁ ୨ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଏହି କାରଣରୁ ଏବେ କଡକନାଥ କୁକୁଡା ଚାଷ କରୁଥିବା ଚାଷୀ ଓ ଏହାକୁ ରୋଷେଇ କରି ହୋଟେଲରେ ବିକ୍ରି କରୁଥିବା ବ୍ୟବସାୟୀ ଉଭୟ ଲାଭବାନ ହେଉଛନ୍ତି ।

ହେଲେ ହଠାତ୍ କଡକନାଥ କୁକୁଡାର ଦାମ କାହିଁକି ବଢିଗଲା ବୋଲି ପ୍ରଶ୍ନର ଉତ୍ତର ଦେଇ ଜଣେ କଡକନାଥ କୁକୁଡା ବିକ୍ରେତା କହିଛନ୍ତି କି, ଏବେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଓ ରାଜ୍ୟରେ ଶୀତ ଲହର ଚାଲିଛି । ନିର୍ବାଚନ ଥିବାରୁ ରାଜ୍ୟକୁ ବହୁପରିମାଣର ବାହାର ନେତା ଓ କର୍ମୀ ନିର୍ବାଚନ ପ୍ରଚାରରେ ଆସୁଛନ୍ତି । ସେମାନେ ମଧ୍ୟପ୍ରଦେଶର ପ୍ରସିଦ୍ଧ କଡକନାଥ କୁକୁଡା ଖାଇବାକୁ ପସନ୍ଦ କରୁଛନ୍ତି । ଫଳରେ ଆବଶ୍ୟକତା ବୃଦ୍ଧି ପାଉଛି ଓ ଏହି କାରଣରୁ କଡକନାଥ କୁକୁଡାଙ୍କ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଝାବୁଆ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡାକ୍ତର ଚନ୍ଦନ ରାୟ କହିଛନ୍ତି କି କଡକନାଥ କୁକୁଡା ମାଂସରେ ସର୍ବାଧିକ ପରିମାଣର ଆଇରନ ଓ ମେଲୋନିନ୍ ରହିଥାଏ । ଏହାକୁ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।