୭୪ ଦିନ ପାଇଁ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଉଦୟ ଉମେଶ ଲଲିତ୍ , ଜାଣନ୍ତୁ କାରଣ

238

କନକ ବ୍ୟୁରୋ : ଭାରତୀୟ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନ ଭି ରମନ୍ନାଙ୍କ କାର୍ଯ୍ୟକାଳ ଚଳିତମାସ ୨୬ ତାରିଖରେ ସମାପ୍ତ ହେବାକୁ ଯାଉଛି । ତାଙ୍କ ପରେ ତାଙ୍କର ଉତ୍ତରାଧିକାରୀ ଭାବେ ସେ ଜଷ୍ଟିସ ୟୁ ୟୁ ଲଲିତଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଛନ୍ତି । ଏହି କ୍ରମରେ ଜଷ୍ଟିସ ଉଦୟ ଉମେଶ ଲଲିତ ଚଳିତମାସ ୨୭ ତାରିଖରେ ସୁପ୍ରିମକୋର୍ଟର ୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ହେଲେ ସବୁଠାରୁ ବଡ କଥା କି ସେ ମାତ୍ର ୭୪ ଦିନ ପାଇଁ ଏହି ପଦରେ ରହିବେ । ଏହାର କାରଣ ହେଉଛି ଜଷ୍ଟିସ ଲଳିତ ନଭେମ୍ବର ୮ ତାରିଖରେ ଅବସର ନେବାକୁ ଯାଉଛନ୍ତି ।

ଜଷ୍ଟିସ ଉଦୟ ଉମେଶ ଲଳିତ ସୁପ୍ରିମକୋର୍ଟର ସେହି କଲେଜିୟମର ନେତୃତ୍ୱ ନେବେ ଯେଉଁ କଲେଜିୟମରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ କୌଲ, ଜଷ୍ଟିସ ନଜୀର ଓ ଜଷ୍ଟିସ ଇନ୍ଦୀରା ବାନାର୍ଜୀ ସାମିଲ ହେବେ । ହେଲେ ଜଷ୍ଟିସ ଇନ୍ଦୀରା ବାନାର୍ଜୀ ସେପ୍ଟେମ୍ବର ୨୩ ତାରିଖରେ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ଏମ କେ ଜୋସେଫ ସାମିଲ ହେବେ ।

ସେପଟେ ଜଷ୍ଟିସ ୟୁୟୁ ଲଳି ନଭେମ୍ବର ୮ ତାରିଖରେ ଅବସର ନେବା ପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ତାଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଆସନରେ ବସିବେ । ତାଙ୍କର କାର୍ଯ୍ୟକାଳ ମାତ୍ର ୨ ବର୍ଷ ରହିବ । ସୂଚନା ଥାଉକି ଜଷ୍ଟିସ ଉଦୟ ଉମେଶ ଲଳିତ ହେଉଛନ୍ତି ସୁପ୍ରିମକୋର୍ଟର ଦ୍ୱିତୀୟ ମୁଖ୍ୟ ବିଚାରପତି । ଯେ କି, ସିଧାସଳଖ ବାରରୁ  ସୁପ୍ରିମକୋର୍ଟର ବିଚାରପତି ଭାବେ ଚୟନ କରାଯାଇଥିଲା ।  ତାଙ୍କ ପୂର୍ବରୁ ଜଷ୍ଟିସ ଶିକରୀ ବାରରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇ ଶେଷରେ ମୁଖ୍ୟ ବିଚାରପତି ଭାବେ ଅବସର ନେଇଥିଲେ ।